ଭଦ୍ରକ ଜିଲ୍ଲାର ୨୨୫ଘରୋଇ ବସ୍ ୫୦ଦିନ ଧରି ବନ୍ଦ ଦୁର୍ଦ୍ଦଶାରେ ବସ୍ ମାଲିକ ଓ କର୍ମଚାରୀ: ସରକାରୀ ସହାୟତା ପାଇଁ ନିବେଦନ
ଭଦ୍ରକ :ରାଜ୍ୟରେ ଏବେ ଲକ୍ଡାଉନ ଜାରି । ସରକାରଙ୍କ କୋଭିଡ୍ ୧୯ ସ୍ଥିତିରେ ଜିଲ୍ଲାର ଯାତାୟତ କରୁଥିବା ୨୨୫ଘରୋଇ ବସ୍ ଆଜିକୁ ୫୦ଦିନ ଧରି ବନ୍ଦ ରହିଛି । କିଏ ନିଜ ଘର ଆଗରେ ତ କିଏ ଖୋଲା ଜାଗାରେ ବସ୍କୁ ପକାଇ ରଖିଛି । ଭଦ୍ରକ ନୂଆବସଷ୍ଟାଣ୍ଡରେ ୧ଶହରୁ ଉଦ୍ଧ୍ୱର୍ ବସ୍ ପଡିରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସବୁ ବସ୍ରେ ଦୀର୍ଘଦିନ ଧରି ଜୀବିକା ନିର୍ବାହ କରି ଆସୁଥିବା ପାଖାପାଖି ୧ହଜାରରୁ ଉଦ୍ଧ୍ୱର୍ ଡ୍ରାଇଭର, କଣ୍ଡକ୍ଟର, ହେଲପର ଓ ହକ୍କର ମାନଙ୍କ ପରିବାର ଏବେ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ସଢୁଛନ୍ତି ।
ଏମାନଙ୍କ ଦୁର୍ଦ୍ଦଶା ପ୍ରତି କାହାରି ନଜର ନାହିଁ । ପରିବାର ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇଛି ବୋଲି ଭଦ୍ରକ ବସ୍ ସିଣ୍ଡିକେଟ୍ର ସମ୍ପାଦକ ହେମନ୍ତ କୁମାର ପାଢୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସିଣ୍ଡିକେଟର ସମ୍ପାଦକ ଶ୍ରୀ ପାଢୀ ଆର୍ଥିକ ଅନାଟକ ପରିପ୍ରେକ୍ଷୀରେ ଦୁଃଖକଷ୍ଟ ପାଉଥିବା ବସ୍ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ବନ୍ଦ ରହିଥିବା ବସ୍ ଗୁଡିକର ଟ୍ୟାକ୍ସ, ଇନ୍ସୁରାନ୍ସ, ବ୍ୟାଙ୍କ ଋଣ ମାସିକିଆ କିସ୍ତିର ସୁଧ ଛାଡ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି