ନୂଆଦିଲ୍ଲୀ: କରୋନାଭାଇରସ୍ରେ ପୀଡ଼ିତ ୧୪ଜଣ ଇଟାଲୀୟ ନାଗରିକଙ୍କୁ ଭାରତ ସରକାରଙ୍କ ବିଶେଷ ଅନୁରୋଧରେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାର ଏକ ଭିନ୍ନ ପ୍ରକୋଷ୍ଠରେ ପୃଥକ୍ କରି ରଖାଯାଇଥିବା କଥା ଜଣାପଡ଼ିଛି।
ଆଜି ଏକ ବିବୃତିରେ ମେଦାନ୍ତ ହସ୍ପିଟାଲ୍ କହିଛି ଯେ ସରକାରଙ୍କ ବିଶେଷ ଅନୁରୋଧରେ ‘କୋଭିଡ୍-୧୯’ ଲକ୍ଷଣ ଥିବା ୧୪ଜଣଙ୍କୁ ମେଦାନ୍ତରେ ଭର୍ତ୍ତି କରାଯାଇଛି। ଏହି ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଅଲଗା କୋଠରିରେ ପୃଥକ୍ କରି ରଖାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସତର୍କତାର ସହ ସେମାନଙ୍କର ଚିକିତ୍ସା କରୁଛନ୍ତି।

ବୁଧବାର ଦିନ ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଥିଲେ ଯେ ଇଟାଲୀର ଏହି ପର୍ଯ୍ୟକଟ ଦଳ ପ୍ରାୟ ୨୧୫ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ଫେବ୍ରୁଆରି ୨୧ ତାରିଖରୁ ୨୯ ତାରିଖ ମଧ୍ୟରେ ସେମାନେ ଛଅଟି ଜିଲ୍ଲା ପରିକ୍ରମଣ କରିଛନ୍ତି। ଏମାନଙ୍କୁ ଗାଡ଼ିରେ ନେଇ ଯାଉଥିବା ଜଣେ ଭାରତୀୟ ଡ୍ରାଇଭର୍ଙ୍କୁ ମଧ୍ୟ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି।
ପ୍ରଥମେ ଏମାନଙ୍କୁ ଛାଓ୍ଵଲା ଠାରେ ଥିବା ‘ଇଣ୍ଡୋ-ତିବ୍ଦେତାନ୍ ବର୍ଡର୍ ପୋଲିସ ଫୋର୍ସ କେନ୍ଦ୍ରରେ’ ଭର୍ତ୍ତି କରାଯାଇଥିଲା।