Odisha news

କାତ୍ୟାୟାନୀ ଵେଶ ରେ ଦର୍ଶନ ଦେଲେ କାକଟପୁର ବାସିନୀ ମା ମଙ୍ଗଳା

0
କାକଟପୁର ୧୯/୧0 :- ଓଡିଶା ର ଆଠ ଗୋଟି ସ୍ଥାନ ରେ ବିଦ୍ୟମାନ ପୂରlଣ ପ୍ରସିଦ୍ଧ ଅଷ୍ଟଚଣ୍ଡୀ ପୀଠ ମଧ୍ୟରୁ କାକଟପୁର ବାସିନୀ ମା ମଙ୍ଗଳା ହେଉଛନ୍ତି ଆଦିମାତା l ମା ହେଉଛନ୍ତି ଆଦିଶକ୍ତି, ପରମ ବୈଷ୍ଣବୀ ମା ବିପଦ ଭଞ୍ଜନୀ,ବିପଦ ଆପଦ ରୁ ରକ୍ଷା କରନ୍ତି ତାଙ୍କର ଭକ୍ତ ମାନଙ୍କୁ l ଘଣ୍ଟ ଘୋଡାଇ ରଖନ୍ତି ତାଙ୍କର ଆଶ୍ରିତ ମାନଙ୍କୁ l  ସେ ହେଉଛନ୍ତି ସର୍ବ ମଙ୍ଗଳମୟ ମା ମଙ୍ଗଳା l
ମା ମଙ୍ଗଳା ଙ୍କ ର ବିଭିନ୍ନ ମାସରେ ବିଭିନ୍ନ ଯାନୀ ଯାତ୍ରା ମଧ୍ୟରେ ଶରତ ଋତୁ ରେ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ l ଆଶ୍ୱିନ ମୂଳାଷ୍ଟାମୀ ଠାରୁ ପାରମ୍ପରିକ ପ୍ରଥାନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ (ଦଶହରା )ଦିନ ଶେଷ ହୋଇଥାଏ l ନବପତ୍ରିକା ପୂଜା ର  ଆଜି ଷଷ୍ଠୀ ତିଥି ପୂଜାରେ ମା ମଙ୍ଗଳା କାତି ଖର୍ପର ବା କାତ୍ୟାୟାନୀ ଵେଶ ରେ ଦର୍ଶନ ଦେଇଛନ୍ତି l ପୂର୍ବରୁ ମା ଙ୍କୁ ଲାଗି ହୋଇଥିବା ଅସ୍ତ୍ର ଶସ୍ତ୍ର ସହିତ ଆଜି କାତି (ଖଣ୍ଡା ),ଖର୍ପର,ସରା (ରକ୍ତ ସଂଗ୍ରହ ପାତ୍ର )ପ୍ରଭୃତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିଲା l
ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିବାକୁ ଚଣ୍ଡୀ ପୁରାଣ ରେ ବର୍ଣିତ ହୋଇଛି ତଦନୁସାରେ ମା ‘ମଙ୍ଗଳା ଙ୍କୁ ସଜ୍ଜିତ କରାଯାଇଥିଲା l ଏହି ମନୋରମ ଵେଶ ଦେଖିବାକୁ ମନ୍ଦିର ରେ ବହୁ ଭକ୍ତ ଙ୍କ ର ସମାଗମ ହୋଇଥିବା ବେଳେ ଆସନ୍ତା କାଲି ଶୁକ୍ରବାର ଦିନ ପ୍ରସିଦ୍ଧ ସିଂହ ବାହିନୀ ବେଶ ଅନୁଷ୍ଠିତ ହେବ ବୋଲି  ମା ମଙ୍ଗଳା ମନ୍ଦିର ସେବାୟତ ମାନସ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି l
Leave A Reply