ସିମୁଳିଆ-୦୨/୦୫: -ନାଟ୍ୟକାର ମହେନ୍ଦ୍ର ପ୍ରସାଦ ବାରିକ ସ୍ମୃତି ସଂସଦ ମାର୍କୋଣା ଆନୁକୂଲ୍ୟରେ ସ୍ୱର୍ଗତ ମହେନ୍ଦ୍ର ପ୍ରସାଦ ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋକୁଳାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରିୟା ଗ୍ରାମରେ ଥିବା ସ୍ୱର୍ଗତ ମହେନ୍ଦ୍ର ପ୍ରସାଦଙ୍କ ବାସଭବନରେ ମୁଖ୍ୟଅତିଥିଭାବେ ଦୀନକୃଷ୍ଣ ସ୍ମୃତି ସଂସଦ,ଜଳେଶ୍ୱରର ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗଦେଇ ମହେନ୍ଦ୍ରାୟାନର ଲୋକାର୍ପଣ ଓ ସ୍ୱର୍ଗତ ବାରିକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ମୁଖ୍ୟବକ୍ତାଭାବେ ଶିକ୍ଷାବିତ ସୁଧାଂଶୁ ଶେଖର ମିଶ୍ର,ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ବ୍ରଜେନ୍ଦ୍ରନାଥ ଗିରି,ବିଶିଷ୍ଟ ଶିକ୍ଷାବିତ ହୃଷିକେଶ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହେନ୍ଦ୍ର ପ୍ରସାଦଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ପ୍ରଥମ ନାଟ୍ୟକାର ମହେନ୍ଦ୍ର ପ୍ରସାଦ ସ୍ମୃତି ସମ୍ମାନ ଶିକ୍ଷାବିତ ପ୍ରାବନ୍ଧିକ ପ୍ରଫେସର ଡକ୍ଟର ବ୍ରଜମୋହନ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟବିଶଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ କବି ପୂର୍ଣ୍ଣ ଚନ୍ଦ୍ର ମହାଳିକ,ପଦ୍ମଲୋଚନ ଦାଶ,ନାଟ୍ୟକାର ନାରାୟଣ ଚନ୍ଦ୍ର ପ୍ରଧାନ,ସଦାନନ୍ଦ ପାଣିଗ୍ରାହୀଙ୍କ ଚତୁର୍ଭୁଜ ପାଣିଗ୍ରାହୀ, ସମେତ ବହୁ ଶିକ୍ଷାବିତ,କବି,ଛାତ୍ରଛାତ୍ରୀ, ମହେନ୍ଦ୍ର ସାରଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସାରଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହେନ୍ଦ୍ର ସାରଙ୍କ ଧର୍ମପତ୍ନୀ ଅମିତା ଦାସ,ପୁଅ ପ୍ରୀତମ ମହେନ୍ଦ୍ର,ପି୍ରୟମ ମହେନ୍ଦ୍ର ଓ କନ୍ୟା ପିନାଲି ମହେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।
