Odisha news

ମହାବିଷୁବ ସଂକ୍ରାନ୍ତି

0

By sakalakhabar.com :ସ୍କନ୍ଦ ପୁରାଣରେ ବୈଶାଖ ମାସ ସମ୍ବନ୍ଧରେ ବର୍ଣ୍ଣନା ଦେଖିବାକୁ ମିଳେ ଯେ ବୈଶାଖ ମାସଠାରୁ ମାସ ନାହିଁ । ବୈଶାଖ ମାସଠାରୁ ପୁଣ୍ୟ ମାସ ଆଉ କିଛି ନାହିଁ । ନମାଧବସମୋ ମାସୋ ନ କୃତେନ ଯୁଗଂ ସମମ୍(ସ୍କନ୍ଦ,ବୈ,ବୈମା-୨/୧) ଏହି ମାସର ପୁଣ୍ୟତାକୁ ଅନୁଭବ କରି ଋଷିମାନେ ମଧ୍ୟ ଅନେକ ପର୍ବପର୍ବାଣୀ ଖଞ୍ଜିବା ସହିତ ପୂଜା,ଦାନ,ଯାଗ,ଯଜ୍ଞ,ସଂକୀର୍ତ୍ତନ,ମେଳା,ବିବାହ ଉତ୍ସବ,ଉତ୍ସବ,ପ୍ରତିଷ୍ଠା ପରି ପୁଣ୍ୟ କର୍ମମାନରେ ରୁଦ୍ଧିମନ୍ତ କରିଛନ୍ତି । ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିମନ୍ତେ ଏହା ଶ୍ରେଷ୍ଠ ମାସ ଅଟେ । ଶାସ୍ତ୍ରରେ କୁହାଯାଇଛି,ତୀର୍ଥେ ଅନୁଦିନଂ ସ୍ନାନଂ ତିଳେଶ୍ଚ ପିତୃତର୍ପଣମ୍,ଦାନଂ ଧର୍ମଘଟାଦିନାଂ ମଧୂସୁଦନପୂଜନମ୍,ମାଧବେ ମାସି କୃର୍ବାତ ମଧୂସୁଦନ ତୁଷ୍ଟିତମ । ଅର୍ଥାତ୍ ତୀର୍ଥସ୍ନାନ,ତିଳଦ୍ୱାରା ପିତୃତର୍ପଣ,ଜଳଘଟଦାନ,ନାରାୟଣ ଉପାସନା ଦ୍ୱାରା ଭଗବାନ ଶ୍ରୀବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତି । କାରଣ ଶ୍ରୀବିଷ୍ଣୁ ଜଳଧିବାସ ଅଟନ୍ତି ଏବଂ ଜଳ ସ୍ୱରୂପ ଅଟନ୍ତି । ସାଧାରଣତଃ ଖରାଦିନେ ଜଳପ୍ରତି ସମସ୍ତଙ୍କର ରୂଚି ବଢୁଥିବାରୁ ଭଗବାନ ପ୍ରୀତି ମଧ୍ୟ ବଢିଥାଏ ।
ଭାରତବର୍ଷରେ ବର୍ଷଗଣନା ରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଏ । ଏଣୁ ବୈଶାଖ ମାସ ବା ମେଷସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଭାରତ ବର୍ଷ ଉତ୍ତର ଗୋଲାର୍ଦ୍ଧରେ ଥିବାରୁ ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଖର କିରଣ ହୋଇଥାଏ । ଫଳରେ ଜନଜୀବନ ଅତିଷ୍ଠ ରହେ । ଏଣୁ ଶାସ୍ତ୍ରରେ ମଧ୍ୟ ଏହାର ପ୍ରତିକାର ସ୍ୱରୂପ ଜଳଦାନ,ପ୍ରାତଃ ସ୍ନାନ ସହିତ ଜଳରେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ନିମନ୍ତେ ନିଦେ୍ର୍ଦଶ ଅଛି,“ମଧୂସୁଦନ ଦେବେଶ ବୈଶାଖେ ମେଷଗେ ରବୋ ପ୍ରାତଃ ସ୍ନାନଂ କରିଷ୍ରାମି ନିର୍ବିଘ୍ନଂ କୁରୁ ମାଧବଃ ।”ଏବଂ ସ୍ନାନ କରି ମଧୂସୁଦନଙ୍କୁ ଅର୍ଘ୍ୟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଅଛି,“ବୈଶାଖେ ମେଷଗେ ଭାନୋ ପ୍ରାତଃ ସ୍ନାନ ପରାୟଣଃ,ଅର୍ଘ୍ୟ ତେଽହଂ ପ୍ରଦାସ୍ୟାମି ଗୃହାଣ ମଧୂସୁଦନ ।”ସେହିପରି ମହାଭାରତରେ ଖରାଦିନେ ଜଳଦାନର ମହତ୍ତ୍ୱ ସମ୍ପର୍କରେ ଭୀଷ୍ମ ଯୁଧିଷ୍ଠିରକୁ କହିଛନ୍ତି,“ପାନୀୟ ପରମ ଦାନଂ ଦାନାନାଂ ମନୁରବ୍ରବୀତ୍”ା ଅନୁ-୬୫/୩୬)ସେହିପରି ୬୫ ଶ୍ଳୋକରେ ଜଳଛତ୍ର ଏବଂ କୂପ ଖନନର ମହତ୍ତ୍ୱ ସଂପର୍କରେ ବର୍ଣ୍ଣନା ହୋଇଛି, “ନିଦାଘକାଳେ ପାନୀୟଂ ଯସ୍ୟ ତିଷ୍ଠତ୍ୟବାରିତମ.ସଦୁର୍ଗ ବିଷମଂ କୃସ୍ନଂ ନ କଦାଚି ଦବା ପ୍ଳୁତେ ।”ଏହି ସମୟରେ ଜୋତା ଓ ଛତା ଦାନ କରିବା ମଧ୍ୟ ବହୁ ପୁଣ୍ୟ ପ୍ରଦାନକାରୀ କାର୍ଯ୍ୟ ଅଟେ । ମହର୍ଷି ଗୋ ତମଙ୍କୁ ଭଗବାନ ସୂର୍ଯ୍ୟଦେବ ଜୋତା ଓ ଛତା ଦାନ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ମହାଭାରତରେ ମଧ୍ୟ ବର୍ଣ୍ଣନା ଦେଖିବାକୁ ମିଳେ,“ଦହ୍ୱମାନାୟ ବିପ୍ରାୟଃ ପ୍ରଯଛତୁ୍ୟ ପାନାହ,ଯତ୍ ଫଳଂ ତସ୍ୟ ଭବତି ତନ୍ନୋ ବୃହିପିତାମହ (୬୬/୧) ।ଏଣୁ ଏହି ପବିତ୍ର ମାସରେ ପ୍ରତ୍ୟେକଙ୍କୁ ଭଗବାନଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବା ସହିତ ଭଗବାନରୂପୀ ମାନବଙ୍କୁ ଜଳ,ଜୋତା ଏବଂ ଛତାଦି ଅର୍ପଣ କରି ପୁଣ୍ୟର ଅଧିକାରୀ ହେବା ଉଚିତ୍ ।


ଉକ୍ତ ଦିବସଟିକୁ ମଧ୍ୟ ପଣା ସଂକ୍ରାନ୍ତି ଭାବରେ ଅଭିହିତ କରାଯାଏ । କାରଣ ଏହି ସମୟରେ ପ୍ରଖର ଗ୍ରୀଷ୍ମପ୍ରବାହ ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ;ଏଣୁ ଗୁରୁଖାଦ୍ୟ ରୂପେ ଛତୁଆ ପଣାରୂପେ ବ୍ୟବହୃତ ହୁଏ । ଏଣୁ ଛତୁଆ ପଣା ପିଇବା ଆରମ୍ଭ ହେଉଥିବାରୁ ଏହାକୁ ପଣା ସଂକ୍ରାନ୍ତି ବୋଲି କୁହାଯାଉଥିବା ବେଳେ ଉକ୍ତ ଦିବସଟି ମଧ୍ୟ ଅକ୍ଷୟ ତୃତୀୟା, ପର୍ଶୁରାମ ଜୟନ୍ତୀ, ହନୁମାନ ଜୟନ୍ତୀ, ନୃସିଂହ ଜୟନ୍ତୀ, ଝାମୁଯାତ୍ରା ଇତ୍ୟାଦି ଉତ୍ସବମାନଙ୍କ ସହ ଯୋଡି ହୋଇ ଏହାର ଆଡମ୍ବରତା ବୃଦ୍ଧି କରିଥାଏ । ବୈଶାଖ ମାସରେ ଗ୍ରୀଷ୍ମତାପରୁ ନିଷ୍କୃତି ତଥା ଶାରୀରିକ ସୁସ୍ଥତାଲାଗି ବ୍ରତାଚାରୀଙ୍କ ନିମନ୍ତେ କେତେକ ପରାମର୍ଶ ସ୍କନ୍ଦପୁରାଣରେ ପ୍ରଦତ୍ତ ହୋଇଛି । ଯେପରିକି ଏହି ମାସରେ ବ୍ରତକାରୀଙ୍କ ନିମନ୍ତେ ତେଲ ଲଗାଇବା,ଦିବାଶୟନ,କଂସା ପାତ୍ରରେ ଭୋଜନ,ଖଟରେ ଶୋଇବା ଏବଂ ଘରେ ଗାଧୋଇବା ଇତ୍ୟାଦି ନିଶିଦ୍ଧ ଅଟେ । “ତୈଳାଭୀଙ୍ଗ ଦିବ୍ୱା ସ୍ୱାପ ତଥା ବୈ କାଇସ୍ୟ ଭୋଜନମ୍ , ଖଟ୍ୱ୍ୟା ନିଦ୍ରାଂ ଗୃହେସ୍ନାନଂ ନିଷିଦ୍ଧସ୍ୟ ଚ ଭକ୍ଷଣମ୍ ,ବୈଶାଖେ ବର୍ଜୟେ ଦ୍ୱିଭୁକ୍ତଂ ନକ୍ତଭୋଜନମ୍ ।” ଉକ୍ତ ଦିବସଠାରୁ ସଂକ୍ରାନ୍ତି ବ୍ରତ ଆରମ୍ଭ ହୋଇ ୧୨ ମାସରେ ୧୨ ସଂକ୍ରାନ୍ତି ପରିପାଳନ କରାଯାଏ । ଏଥିନିମନ୍ତେ ବ୍ରତୀ ସଂକ୍ରାନ୍ତିର ପୂର୍ବଦିନ ଥରେ ମାତ୍ର ଭୋଜନ କରିବା ସହିତ ସଂକ୍ରାନ୍ତି ଦିନ ପ୍ରାତଃସ୍ନାନ ସାରି ଅଷ୍ଟଦଳ କମଳରେ ସୂର୍ଯ୍ୟଙ୍କ ଅଷ୍ଟନାମ ଲେଖି ପୂଜା କରିଥାଏ । ପୂର୍ବଦଳରେ ଭାସ୍କର, ପଶ୍ଚିମରେ ଆଦିତ୍ୟ, ଉତ୍ତରରେ ମାର୍ତ୍ତଣ୍ଡ, ଦକ୍ଷିଣରେ ବିବଶ୍ୱାନ, ଈଶାନରେ ଭାନୁ, ଅଗ୍ନିରେ ରବି, ନୈଋତରେ ପକ୍ଷା,ବାୟବରେ ତପନ ଏବଂ ମଧ୍ୟରେ ବିଶ୍ୱାତ୍ମା ରଚନା କରି ଧ୍ୟାନ କରିବାକୁ ପଡିଥାଏ । ଶୁଦ୍ଧତାର ସହିତ ଏହି ବ୍ରତ ଆଚରଣ କଲେ ବ୍ରତୀ ମହାପାତକରୁ ମୁକ୍ତିପାଏ ବୋଲି ଶାସ୍ତ୍ରମତ । “ତୁଳାମକର ମେଷଷୁ ପ୍ରାତଃ ସ୍ନାନଂ ବିଧୀୟତେ,ହବିଷ୍ୟଂ ବ୍ରହ୍ମଚର୍ଯ୍ୟଂ ଚ ମହାପାତକ ନାଶନମ୍ ।”

Leave A Reply