Odisha news

ଜୟ ହନୁମାନ

0

sakalakhabar.com: ଭଗବାନ ଶଙ୍କର ଭଗବତୀଙ୍କ ସହିତ କୈଳାସ ପର୍ବତର ଗୋଟିଏ ମନୋରମ ଶୃଙ୍ଗ ଉପରେ ଧ୍ୟାନରତ ଥିଲେ । ବଟବୃକ୍ଷର ଘନଛାୟାରେ ତାହାଙ୍କର କର୍ପୂର ସମାନ ଧବଳ ଶରୀର ଉପରେ ସୁନେଲୀ ରଙ୍ଗର ଜଟା ଲମ୍ବି ଯାଇଥାଏ । ହାତରେ ରୁଦ୍ରାକ୍ଷ ମାଳା,ଗଳାରେ ସର୍ପ ଓ ସମ୍ମୁଖରେ ନନ୍ଦୀ ବସି ଥାନ୍ତି । ଅନ୍ୟାନ ଗଣମାନେ ବିଭିନ୍ନ କ୍ରୀଡ଼ାରେ ରତ ଥାନ୍ତି । ଗଙ୍ଗାଧରଙ୍କ ଶିରରେ ଚନ୍ଦ୍ରମା ଏବଂ ଅମୃତମୟୀ ଗଙ୍ଗାଙ୍କର ଧାରା ରହିଥିବାରୁ ଶାନ୍ତ ଓ ପ୍ରସନ୍ନ ମୁଦ୍ରାରେ ବସିଥାନ୍ତି ଶିବ । ଲଲାଟରେ ଭସ୍ମ ଅତି ସୁନ୍ଦର ମାନୁଥାଏ ପ୍ରଭୁଙ୍କୁ ।
ହଠାତ୍ ‘ରାମରାମ’ କହି ଚିକ୍ରାର କରି ଉଠିଲେ ଆଶୁତୋଷ । ସମାଧି ଭାଙ୍ଗିଗଲା । ମାତା ପର୍ବତୀ ଙ୍କର ସମାଧି ମଧ୍ୟ ଭଙ୍ଗ ହେଲା । ମାତାଙ୍କର ଦୃଷ୍ଟି ପଡ଼ିଲା ନୀଳକଣ୍ଠଙ୍କ ସୁନ୍ଦର ମୁଖଶ୍ରୀ ଉପରେ,ଲାଗିଲା ପ୍ରଭୁ ଯେମିତି କିଛି କହିବାକୁ ଚାହୁଁଛନ୍ତି । ନିଜ ସ୍ଥାନରୁ ଉଠିଆସି ମାତା ପ୍ରଭୁଙ୍କୁ ବିନୟର ସହ ପଚାରିଲେ, “ସ୍ୱାମୀ! ମୁଁ ଆପଣଙ୍କର କି ସେବା କରିବି?ଆପଣଙ୍କ ମୁହଁ କହୁଛି ଯେମିତି ଆପଣ କିଛି କହିବାକୁ ଚାହୁଁଛନ୍ତିି?” ଭଗବାନ ମୃତ୍ୟୁଞ୍ଜୟ କହିଲେ “ପ୍ରିୟେ,ଆଜି ମନରେ ଗୋଟିଏ ଶୁଭ ସଂକଳ୍ପ ଜାତ ହୋଇଛି । ମୋର ଆରାଧ୍ୟ ପ୍ରଭୁ ‘ରାମ’ ଅବତାର ନେବାକୁ ଯାଉଛନ୍ତି । ଯାହାର ସେବା କରିବା ପାଇଁ ସମସ୍ତ ଦେବତାଙ୍କ ସହିତ ମୁଁ ନିଜେ ଚାହିଁ ବସିଥାଏ ସେହି ପ୍ରଭୁଙ୍କ ସହିତ ମୁଁ ମଧ୍ୟ ସେଠାକୁ ଯାଇ ପ୍ରଭୁଙ୍କର ସେବା କରି ଯୁଗଯୁଗର ଲାଳସାକୁ ପୂର୍ଣ୍ଣ କରି ଜୀବନକୁ ସଫଳ କରିଦେବି ।”


ଶଙ୍କର ମୁହଁରୁ ଏହି କଥା ଶୁଣି ସତୀ କଣ କହିବେ ଭାବି ପାରିଲେ ନାହିଁ । ତାଙ୍କର ମନରେ ଦୁଇ ପ୍ରକାର ଭାବ ଜାତ ହେଲା । ଗୋଟିଏ ହେଲା ପତିଙ୍କର ଅଭିଳାଷ ପୂର୍ଣ୍ଣ ହେବା ଓ ଦ୍ୱିତୀୟଟି ହେଲା ଶିବଙ୍କ ଠାରୁ ବିଚ୍ଛେଦ । ମାତା ମନ ମଧ୍ୟରେ ଚିନ୍ତା କଲେ,ସେ ମଧ୍ୟ ଶିବଙ୍କ ସହିତ ପୃଥିବୀକୁ ଯାଇ ସ୍ୱାମୀଙ୍କ ଆରାଧ୍ୟଙ୍କର ସେବା କରିବେ । ମାତ୍ର ଶିବ ବୁଝାଇ ଦେଲେ ଉକ୍ତ ଅବତାର ତାଙ୍କର ବ୍ରହ୍ମଚାରୀ ହୋଇଥିବାରୁ ସେ ପାର୍ବତୀଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ । ହେଲେ ମାତା ବୁଝିବା ପାଇଁ ପ୍ରସ୍ତୁତ ନ ଥିଲେ,ଭଗବାନ ଶ୍ରୀବିଷ୍ଣୁଙ୍କର ସେବାକୁ ସେ ବା କାହିଁକି ହାତ ଛଡ଼ା କରିଥାନ୍ତେ! ମାତା ମଧ୍ୟ ଶିବଙ୍କୁ ବୁଝାଇ ଦେଲେ ସ୍ୱାମୀ-ସ୍ତ୍ରୀ ଗୋଟିଏ ଶରୀର ହୋଇଥିବାରୁ ସେ ଶିବଙ୍କ ଶରୀରରେ ଗୋଟିଏ ଅଂଶ ହୋଇ ଅବତାର ଗ୍ରହଣ କରିବେ ।ଏହା ପରେ ମାତା ଶିଙ୍କୁ ପଚାରିଲେ ପ୍ରଭୁ ଶ୍ରୀବିଷ୍ଣୁଙ୍କର ଏହି ଅବତାର ତ କେବଳ ରାବଣକୁ ବଧ କରିବା ପାଇଁ ଉଦ୍ଦିଷ୍ଟ । ରାବଣ ତ ଆପଣଙ୍କର ପରମ ଭକ୍ତ,ତାର ଦଶ ଶିର ଦେଇ ଆପଣଙ୍କୁ ସେ ସନ୍ତୁଷ୍ଟ କରି ବର ପାଇଛି,ତା ବିରୁଦ୍ଧରେ ଯୁଦ୍ଧ କରିବେ କିପରି? ସଦାଶିବ ହସିହସି ଉତ୍ତର ଦେଲେ ରାବଣ ମୋତେ ଦଶ ଶିର ଅର୍ପଣ କରି ମୋର ଦଶ ସ୍ୱରୂପକୁ ଆରାଧନା କରିଥିବା ବେଳେ ମାରଏକାଦଶ ସ୍ୱରୂପକୁ ଅବହେଳା କରିଛି ।ଏଣୁ ଏହି ଏକାଦଶ ସ୍ୱରୂପରେ ମୁଁ ତା ବିରୁଦ୍ଧରେ ଯୁଦ୍ଧ କରିବି ଏବଂ ପ୍ରଭୁଙ୍କର ସେବା ମଧ୍ୟ କରିବି । ମୁଁ ବାୟୁ ଦେବାତାଙ୍କ ଠାରୁ ଅଞ୍ଜନା ଗର୍ଭରୁ ଅବତାର ନେବାକୁ ଠିକ୍ କରିଛି ।

 


ମାତା ପାର୍ବତୀଙ୍କ ମନରେ ଅଞ୍ଜନା କିଏ ବୋଲି ଜାଣିବାର ଇଚ୍ଛା ଜାତ ହେବାରୁ ଶିବ ତାଙ୍କୁ କହିଲେ “ଇନ୍ଦ୍ରଙ୍କ ଅମରାବତୀରେ ପୁଞ୍ଜିକସ୍ଥଳା ବୋଲି ଜଣେ ଅପ୍ସରା ଥିଲା । ଦିନେ ତାର କିଛି ଭୁଲ ପାଇଁ ତାକୁ ଅଭିଶାପ ମିଳିଲା ଯେ ,ସେ ବାନରୀ ଭାବରେ ଜନ୍ମ ହେବ । ସେହି ଅପ୍ସରୀ ବହୁ ଅନୁନୟ ବିନୟ ପରେ ଇଚ୍ଛା ରୂପ ଧାରଣ କରି ପାରିବ ବୋଲି ଆଶ୍ୱାସନା ପାଇଲା ।”ସେହି ଅପ୍ସରୀକୁ ବାନର ରାଜା କେଶରୀ ପନôୀ ରୂପରେ ଅଞ୍ଜନା ନାମ ଦେଇ ରଖିଥିଲେ । ଅଞ୍ଜନା ଖୁବ୍ ସୁନ୍ଦର ଥିବାରୁ କେଶରୀ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ।
ଦିନେ ସେ ଦୁହେଁ ମନୁଷ୍ୟ ରୂପ ଧାରଣ କରି ସୁମେରୁ ଶୃଙ୍ଗ ଉପରେ ଭ୍ରମଣ କରୁଥିଲେ । ବାୟୁ ଧିରେ ଧିରେ ବହି ତନ୍ମନକୁ ରୋମାଞ୍ଚିତ କରି ଦେଉଥିଲା । ହଠାତ୍ ଦଲକାଏ ପବନ ଆସି ଅଞ୍ଜନାଙ୍କ ଦେହରୁ ଶାଢୀର ଏକ ଅଂଶ ଉଡ଼ାଇ ନେଲା । ଅଞ୍ଜନାଙ୍କୁ ଲାଗିଲା ଯେମିତି ତାଙ୍କୁ କେହି ସ୍ପର୍ଶ କରୁଛି । ସେ ନିଜର ବସ୍ତ୍ର ସମ୍ଭାଳି ନେଇ ଅଲଗା ହୋଇଯାଇ ପ୍ରଶ୍ନ କଲେ “କିଏ ଏ ପରି ନିର୍ଲ୍ଲଜ୍ଜ ମୋର ପାତିବ୍ରତ୍ୟ ଧର୍ମ ନଷ୍ଟ କରିବାକୁ ଚେଷ୍ଟା କରୁଛି? ମୋର ଇଷ୍ଟ ଦେବ ମୋ ପତିଦେବ ମୋ ସମ୍ମୁଖରେ ଅଛନ୍ତି । ମୁଁ ଅଭିଶାପ ଦେଇ ତାକୁ ଭସ୍ମ କରିଦେବି ।”କିନ୍ତୁ ତାଙ୍କୁ ଲାଗିଲା ସତେ ଯେମିତି ବାୟୁ ଦେବ କହୁଛନ୍ତ ଦେବି! ମୁଁ ତମର ବ୍ରତ ନଷ୍ଟ କରିନାହିଁ । ତୁମର ଏପରି ଗୋଟିଏ ପୁତ୍ର ହେବ,ଯେ କି ଶକ୍ତିର ମୋ ସମାନ ହେବ । ବଳ କି ବୁଦ୍ଧିର ତାହା ସହ କେହି ସମାନ ହେବେ ନାହିଁ । ମୁଁ ତାକୁ ରକ୍ଷା କରିବି । ସେ ଭଗବାନଙ୍କର ସେବକ ହେବ । ତାହା ପରେ ଅଞ୍ଜନା ଓ କେଶରୀ ନିଜ ସ୍ଥାନକୁ ଚାଲିଗଲେ । ଭଗବାନ ଶଙ୍କର ଅଂଶ ରୂପରେ ଅଞ୍ଜନାଙ୍କ କାନ ଦେଇ ତାଙ୍କର ଗର୍ଭରେ ପ୍ରବେଶ କଲେ ।(ଭିନ୍ନ କଥାନୁଯାଇ ସତୀ ସ୍ୱାଧ୍ୱୀ ଅଞ୍ଜନା ପୁତ୍ର ପ୍ରାପ୍ତି ନିମନ୍ତେ ଆଶୁତୋଷଙ୍କୁ ସାତ ହଜାର ବର୍ଷ ଉଗ୍ର ତପସ୍ୟା ଦ୍ୱାରା ଶଙ୍କଙ୍କୁ ସନ୍ତୁଷ୍ଟ କରି ଏକ ବଳଶାଳୀ ସତ୍ୟନିଷ୍ଠ ପୁତ୍ର ବର ମାଗିଥିଲେ । ଭଗବାନ ଶଙ୍କର ବର ଦେଇ କହିଲେ “ହେ ଅଞ୍ଜନା! ମନ ମଧ୍ୟରେ ମୋତେ ଧ୍ୟାନ କରି ହସ୍ତ ପ୍ରସାରଣ କର । ମୁଁ ପବନ ଦେବତା ଦ୍ୱାରା ପ୍ରସାଦ ପ୍ରେରଣ କରିବି । ତୁମେ ସେହି ପ୍ରସାଦକୁ ସେବନ କଲେ ଏକାଦଶ ରୁଦ୍ର ସ୍ୱରୂପ ପରମ ତେଜସ୍ୱୀ ପୁତ୍ର ତୁମକୁ ପ୍ରାପ୍ତ ହେବ । ଅଞ୍ଜନା ସେହି ସ୍ଥାନରେ ହସ୍ତ ପ୍ରସାରଣ ପୂର୍ବକ ଦଣ୍ଡାୟମାନ ହୋଇ ଧ୍ୟାନମଗ୍ନ ହୋଇ ରହିଲେ ।ଏହି ସମୟରେ ପୁତ୍ର ପ୍ରାପ୍ତି ନିମନ୍ତେ ଚକ୍ରବର୍ତ୍ତୀ ରାଜା ଦଶରଥଙ୍କ ରାଣୀ କୈକେୟୀ ଯଜ୍ଞ ଚରୁ ସେବନ କରିବାକୁ ଯାଉଥିଲେ । ତାଙ୍କ ହାତରୁ କିଛି ଚରୁ ତଳକୁ ଖସି ପଡ଼ିଲା । ଚିଲଟିଏ ସେହି ଚରୁକୁ ଝାମ୍ପିଆଣି ଉଡ଼ି ଚାଲି ଯିବା ସମୟରେ ହଠାତ୍ ଅଣଚାଶ ପବନ ମାଡ଼ି ଆସିଲା । ଫଳରେ ଚିଲ ଥଣ୍ଟରୁ ଚରୁ ତକ ଉଡ଼ିଆସି ହସ୍ତ ପ୍ରସାରଣ କରି ରହିଥିବା ଅଞ୍ଜନାଙ୍କ ହାତରେ ପଡ଼ିଲା । ମହାନନ୍ଦରେ ସେହି ପ୍ରସାଦକୁ ଅଞ୍ଜନା ସେବନ କଲେ ।”ସେହି ପ୍ରସାଦ ସେବନରୁ ଅଞ୍ଜନାଙ୍କର ପୁତ୍ରଟିଏ ଜାତ ହେଲା । ଶିବ ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର ମୋହିନୀ ସ୍ୱରୂପକୁ ଦେଖି,ମହାଦେବଙ୍କର ଯେଉଁ ବୀର୍ଯ୍ୟ ସ୍ଖଳିତ ହୋଇଥିଲା,ତାହାକୁ ସପ୍ତର୍ଷିମାନେ ଅଞ୍ଜନାଙ୍କ ଶ୍ରବଣେନ୍ଦ୍ରିୟ ଦେଇ ଗର୍ଭାଶୟ ମଧ୍ୟରେ ପ୍ରବିଷ୍ଟ କରାଇ ଥିଲେ । ସେଥିରୁ ପରମ ତେଜସ୍ୱୀ କପୀଶ୍ୱର ଉତ୍ପତ୍ତି ହୋଇଥିଲେ ।
ଚୈତ୍ର ଶୁକ୍ଳପକ୍ଷ ପନ୍ଦର ଦିନ (ପୂର୍ଣ୍ଣିମା)ମଙ୍ଗଳବାରରେ ଅଞ୍ଜନାଙ୍କ ଗର୍ଭରୁ ଭଗବାନ ଶଙ୍କର ମେଖଳା,କୋ÷÷ପିନ ଓ ଯଜେ୍ଞାପବୀତ ଧାରଣ ପୂର୍ବକ କର୍ଣ୍ଣରେ କୁଣ୍ଡଳ ଯୁକ୍ତ ହୋଇ ରକ୍ତ ବର୍ଣ୍ଣ ମୁଖ ବିଶିଷ୍ଟ ଲାଙ୍ଗୁଳ ଯୁକ୍ତ ହୋଇ ବାନର ରୂପରେ ଅବତାର ଗ୍ରହଣ କଲେ । (ଅନ୍ୟ କେତେକ ବିଦ୍ୱାନ ମତ ଦିଅନ୍ତି ହନୁମାନ କାର୍ତ୍ତିକ କୃଷ୍ଣପକ୍ଷ ୧୪ କିମ୍ବା କାର୍ତ୍ତିକ ଶୁକ୍ଳ ୧୫ ଦିନ ଜନ୍ମ ହୋଇଥିଲେ । ଆନନ୍ଦ ପୁରାଣ ଅନୁସାରେ ପ୍ରଭୁଙ୍କର ଜନ୍ମ ଚୈତ୍ରମାସ ଶୁକ୍ଳପକ୍ଷ ଏକାଦଶୀ ।) ବାଳକର ଜନ୍ମ ପରେ ମାତା-ପିତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ଦୁହେଁ ପିଲାଟିକୁ ଅତ୍ୟନ୍ତ ଯନô ସହକାରେ ପାଳନ କରିବାକୁ ଲାଗିଲେ । ଦିନେ
ଅଞ୍ଜନା ଓ କେଶରୀ ବାଳକଟିକୁ ଛାଡ଼ି ଦେଇ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ବାଳକକୁ ଭୋକ ଲାଗିବାରୁ ସେ ଖାଦ୍ୟ ଖୋଜୁଖୋଜୁ ତାର ଦୃଷ୍ଟି ବାଳସୂର୍ଯ୍ୟ ଉପରେ ପଡ଼ିବାରୁ ସେ ସୂର୍ଯ୍ୟଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କଲା । ବାୟୁ ତାକୁ ଉଡ଼ିବାର ଶକ୍ତି ଦେଇଥିଲେ । ବାଳକଟିଏ ସୂର୍ଯ୍ୟ ଆଡ଼କୁ ଉଡ଼ି ଯାଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାୟୁ ଦେବ ନିଜ ପୁଅ ସୂର୍ଯ୍ୟ ଆଡ଼କୁ ଯାଉଥିବାର ଦେଖି କାଳେ ସୂର୍ଯ୍ୟତାପ ତାକୁ ଜାଳିଦେବ ଭାବି ହିମାଳୟର ଶୀତଳତାକୁ ନେଇ ପୁତ୍ରର ପଛେପଛେ ଚାଲିଲେ । ସୂର୍ଯ୍ୟ ଦେଖିଲେ ଯେ ବାୟୁ ପୁତ୍ର ଆସୁଛି,ସେ ମଧ୍ୟ ନିଜ ତେଜ କମ କରିଦେଇ ଶଙ୍କରଙ୍କୁ ସ୍ୱାଗତ କଲେ । ବାଳକ ସେଠାରେ ପହଁଚି ଯିବାରୁ ସୂର୍ଯ୍ୟଙ୍କ ରଥ ଉପରେ ବସି ଖେଳିବା ଆରମ୍ଭ କରିଦେଲା ।
ସେହି ଦିନଟି ଥିଲା ସୂର୍ଯ୍ୟ ପରାଗ । ନିଜର ସମୟ ଜାଣି ରାହୁ ସୂର୍ଯ୍ୟଙ୍କୁ ଗ୍ରାସ କରିବାକୁ ଆସି ଦେଖେତ ସୂର୍ଯ୍ୟ ଉପରେ ବାନର ଶିଶୁଟିଏ ଖେଳୁଛି!ରାହୁ ତାକୁ ଖାତିର ନ କରି ସୂର୍ଯ୍ୟଙ୍କ ଉପରକୁ କୁଦି ପଡ଼ିବାରୁ ବାନର ଶିଶୁଟି ତାକୁ ଧରି ପକାଇଲା । ଶିଶୁଟି କବଳରୁ ଯାଇ ରାହୁ ଇନ୍ଦ୍ରକୁ ଅଭିଯୋଗ କଲା ଯେ ତା ଅଧିକାର ଅନ୍ୟ ଜଣେ ନେଉଛି । ଇନ୍ଦ୍ର କଥା ଉପରେ ଗୁରୁତ୍ତ୍ୱ ନଦେଇ ରାହୁକୁ ସୂର୍ଯ୍ୟ ପାଖକୁ ପଠାଇ ଦେଲା,ଏଥର ବାନର ରାହୁକୁ ଖାଦ୍ୟ ଭାବି ଧରିବାକୁ ଯିବାରୁ ରାହୁ ପଳାଇ ଯାଇ ଇନ୍ଦ୍ରଙ୍କ ଶରଣ ନେବାରୁ ଇନ୍ଦ୍ର ନିଜ ହାତୀ ଉପରେ ସବାର ହୋଇ ଆସିଲେ । ହାତୀ ଐରାବତକୁ ଦେଖି ବାନର ଶିଶୁ ଆକ୍ରମଣ କରିବାରୁ ଇନ୍ଦ୍ର ଶିଶୁ ଉପରେ ବଜ୍ର ପ୍ରହାର କଲେ । ସେହି ଆଘାତରେ ଶିଶୁଟିର ବାମ ହନୁହାଡ଼ ଭାଙ୍ଗିଗଲା । ବାଳକଟି ତଳେ ପଡ଼ି ଛଟପଟ ହେବାରୁ ବାୟୁଦେବ ତାକୁ ଉଠାଇ ନେଇ କୋ୍ରଧରେ ନିଜର ଗତି ବନ୍ଦ କରି ଦେବାରୁ ତ୍ରିଲୋକର ଅବସ୍ଥା ଅସମ୍ଭାଳ ହୋଇଗଲା । ବ୍ରହ୍ମା ଜାଣିପାରି ବାଳକ ପାଖରେ ପହଞ୍ଚି ବାଳକ ମୁଣ୍ଡରେ ହାତ ମାରି ଦେବାରୁ ବାଳକ ଉଠି ବସିଲା । ବାୟୁ ଦେବ ପ୍ରସନ୍ନ ହେବା ସହିତ ସାରା ଜଗତରେ ପ୍ରାଣ ସଂଚାର କରିଦେଲେ । ବ୍ରହ୍ମା ସମସ୍ତ ଦେବତାଙ୍କୁ କହିଲେ “ଏହି ବାଳକ ଦେବତାଙ୍କ କାର୍ଯ୍ୟ ସାଧନ ନିମନ୍ତେ ଜନ୍ମ ହୋଇଛି,ସେଥିପାଇଁ ସମସ୍ତ ଦେବତା ଏହାଙ୍କୁ ବର ପ୍ରଦାନ କରିବା ଉଚିତ ।”
ଇନ୍ଦ୍ର ବାଳକଟିକୁ ବର ଦେବା ସହିତ ହନୁହାଡ଼ ଭାଙ୍ଗି ଯାଇଥିବାରୁ ନାମ କରଣ କଲେ ହନୁମାନ । ବ୍ରହ୍ମା ବ୍ରହ୍ମ ଜ୍ଞାନ ଦେବା ସହିତ ବିଷ୍ଣୁ ଚିରାୟୁ କରି ଦେଲେ । ଅନ୍ୟାନ ଦେବଗଣ ଅନେକ ବର ଦେଇ ନିଜନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ ।
ବ୍ରହ୍ମା,ବିଷ୍ଣୁ ଓ ଇନ୍ଦ୍ରାଦି ଦେବତା ମାନଙ୍କ ଦ୍ୱାରା ବରପ୍ରାପ୍ତ ସାକ୍ଷାତ୍ ଏକାଦଶ ରୁଦ୍ର ଅବତାର ସମସ୍ତ ଚରାଚରରେ ଏକମାତ୍ର ରକ୍ଷକ,ଭକ୍ତରାଜ ଶ୍ରୀରାମ ଦୂତ ହନୁମାନଙ୍କ ଉପାସନା ଏବଂ ସ୍ତୋତ୍ରପାଠ ପୂଜନ ଅନୁଷ୍ଠାନ ଓ ବ୍ରତ ଦ୍ୱାରା ଚମକ୍ରାର କାର୍ଯ୍ୟ ସିଦ୍ଧି ମିଳିଥାଏ । ଯେଉଁମାନେ ଧର୍ମ,ଅର୍ଥ,କାମ ଅଥବା ମୋକ୍ଷ,ଏହି ଚତୁବର୍ଗ ଫଳ ଲାଭ କରିବାକୁ ଚାହାନ୍ତି,ତାଙ୍କ ପକ୍ଷେ ଶ୍ରୀ ହନୁମତ ଉପାସନା ସଦା ଫଳ ଦାୟକ ଅଟେ ।

 

Leave A Reply

Your email address will not be published.