Odisha news

ପରଦାରେ ଅନ୍ଧକାର

(ଯାଜ୍ଞସେନୀ ସାହୁ , ସେମିଳିଗୁଡା )କୋରାପୁଟ  : ମଣିଷର ଶିକ୍ଷଣପ୍ରକ୍ରିୟା ଆରମ୍ଭ ହୁଏ ପ୍ରଥମେ ଘରୁ, ପରେ ସାଙ୍ଗସାଥୀ ଏବଂ ତାପରେ ବିଦ୍ୟାଳୟ ଆଦି ଅନୁଷ୍ଠାନ ଦେଇ ଆଗକୁ ବଢିଥାଏ।ଯାହାକୁ ଯଥାକ୍ରମେ ପ୍ରାଥମିକ, ଦ୍ଵିତୀୟକ କାରକ ବୋଲି ନାମିତ କରାଯାଇଛି।ତନ୍ମଧ୍ୟରୁ ସାମାଜିକ ଶିକ୍ଷଣର ଭୂମିକା ଅନ୍ୟତମ।ଆମେରିକାନ୍ ମନସ୍ତତ୍ତ୍ୱବିତ୍ ଆଲବର୍ଟ ବାଣ୍ଡୁରା ପ୍ରଥମେ ସାମାଜିକ ଶିକ୍ଷଣ ତତ୍ତ୍ବ ଦେଇଥିଲେ।ତାଙ୍କ ମତରେ ମଣିଷ ନିଜ ପରିବେଶରୁ ଅବଲୋକନ ଓ ଅନୁକରଣରୁ ଶିକ୍ଷଣ କରେ।ପୁଣି ମନୋବିଜ୍ଞାନ ଅନୁସାରେ, ବିକାଶ ଓ ଶିକ୍ଷଣ ପରସ୍ପରକୁ ପରିପୂରକ ଭାବେ ପ୍ରଭାବିତ କରେ।ତେଣୁ ମନୁଷ୍ଯ ବିକାଶର କିଛି ଆୟାମ ପାଇଁ ସାମାଜିକ ଶିକ୍ଷଣ ଦାୟୀ ବୋଲି କହିବା ଅତ୍ୟୁକ୍ତି ହେବନାହିଁ।

ବର୍ତ୍ତମାନ ସାମାଜିକ ଶିକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅକ୍ତିଆର କରିଛି ଗଣମାଧ୍ୟମ।ପିଲାଠୁ ବୁଢା ସମସ୍ତଙ୍କ ହାତରେ ରହିଛି ମୋବାଇଲ ଓ ଘରେ ଘରେ ଟିଭି,ଇଣ୍ଟରନେଟ୍।ଗତ କିଛି ଦଶନ୍ଧି ଧରି  ଯୋଗାଯୋଗ କ୍ଷେତ୍ରରେ ଆମେ ଉତ୍ତରୋତ୍ତର ଉନ୍ନତି କରିବା ସହ ଫେସବୁକ୍, ହ୍ୱାଟସଆପ୍, ଟୁଇଟର୍,ଇନଷ୍ଟାଗ୍ରାମ୍ ପରି ସୋସିଆଲ ମିଡିଆ ବହୁଳ ବ୍ୟବହୃତ ହେଉଛି।ମନୋରଞ୍ଜନ ସାଙ୍ଗକୁ ଦେଶବିଦେଶର ଖବର, ନୂତନ ଜ୍ଞାନକୌଶଳ ଜାଣିବାରେ ଏସବୁ ସହାୟକ ହେଉଛି ସତ କିନ୍ତୁ କିଛି ନକରାତ୍ମକ ଦିଗ ପ୍ରତି ଆମେ ଏବେ ବି ଅନଭିଜ୍ଞ।ଏଭଳି ଅନେକ ବିଷୟ ଅଛି  ବିଜ୍ଞାପନ,  ଧାରାବାହିକ, ଚଳଚ୍ଚିତ୍ରର ଆକର୍ଷକ ଦୃଶ୍ୟପଟ, ସଂଳାପ, ପାର୍ଶ୍ବ ସଙ୍ଗୀତ ଦ୍ବାରା ଅତିରଞ୍ଜିତ ଉପସ୍ଥାପନ ଜନମାନସକୁ ପରୋକ୍ଷରେ କବଳିତ କରିବା ସହ ତାଙ୍କ ବିଚାରଶକ୍ତିକୁ ଲାଘବ ଓ ଚିନ୍ତନ କ୍ଷମତାକୁ ପଙ୍ଗୁ କରିଦେଉଛି।ପରଦାରେ ଏସବୁର ବାରମ୍ବାର ପ୍ରସାରଣ ଓ ଅତିଶୟ ମାତ୍ରାରେ ସୋସିଆଲ ମିଡିଆର ପୋଷ୍ଟ ଓ ଫରୱାର୍ଡସ୍ ଲୋକଙ୍କ ମାନସିକ ଓ ଆବେଗିକ ଭାବନାକୁ ଋଣାତ୍ମକ ପ୍ରହାର କରିବା ଚିନ୍ତାଜନକ।ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିବାଦ, ଲିଙ୍ଗଗତ ବୈଷମ୍ଯ, ଅମୂଳକ ଓ ଭିତ୍ତିହୀନ ଭାବଧାରାର ବିକାଶ ଘଟିବାରେ ଏସବୁ ମୁଖ୍ଯ ବାହକ ସାଜିଛନ୍ତି।

ଅଧୁନା ମହାମାରୀ କାଳରେ ଅଧିକାଂଶ ଲୋକ ଘରେ ରହି ଗଣମାଧ୍ୟମ ନିର୍ଭରରେ ସମୟ ଅତିବାହିତ କରିବା ବେଳେ ସେଥିରେ ଦେଖାଉଥିବା ପ୍ରସଙ୍ଗ ଗୁଡିକ ଅଜ୍ଞାନତା ଆଡକୁ ଟାଣିନେଉଛି।ସେଇ ସଙ୍କୁଚିତ ପରିସରରୁ ଦର୍ଶକଟେ ଆଉ ବାହାରକୁ ଯାଇପାରୁନି।କାହାଘରେ ରୁଟିରେ ଜଗନ୍ନାଥ ଦେଖାଦେଲେଣି ତ, କୋଉ ଗାଁ ନିମଗଛରୁ କ୍ଷୀର ଝରି ଗଣେଶଙ୍କ ଆକୃତି ନେଲାଣି। କିଛି ଲୋକ ରୁଟି ଉପରେ ଫୁଲ ସିନ୍ଦୂର ଦେଇ ଘଣ୍ଟ ହୁଳହୁଳିରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେଣି ତ କିଛି ଗଛ ଚାରିପଟେ ପାଚେରୀ କରି ପୂଜାସ୍ଥଳୀରେ ପରିଣତ କରିବାକୁ ବ୍ୟଗ୍ର। ମାଟି ଖୋଳୁ ଖୋଳୁ ବା ପୋଖରୀ ଗହୀରରୁ ପଥର ବାହାରିବା ଘଟଣାର ବିନା ପରୀକ୍ଷାନିରୀକ୍ଷା ବିନା ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଭାବେ ଭିନ୍ନ ରୂପ ଦେବାର ଖବର ବି ନୈରାଶ୍ୟଜନକ।

ଛୋଟ ଛୋଟ କୋମଳମତି ଶିଶୁଙ୍କୁ ମଧ୍ଯ ଏଥିରୁ ବାଦ୍ ଦିଆଯାଉନାହିଁ।ନିଜ ଭବିଷ୍ୟତର ନିଷ୍ପତ୍ତି ନେଇ ଶିଖିନଥିବା ଅପରିପକ୍ୱ ପିଲାଟିକୁ ଚିତାଚୈତନ୍ୟ ମାରି ପ୍ରବଚକ ସଜାଉଥିବା ଅବା ଠାକୁରଙ୍କ ନାମକୀର୍ତ୍ତନ ଶୁଣି ବିଭୋର ହୋଇ କାନ୍ଦିଉଠୁଥିବା ଖବରମାନ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ।ସେଇଭଳି କିଛି ଦିନ ତଳେ ଜଣେ ସଂସ୍କୃତିରକ୍ଷକଙ୍କ ଏକ ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିଲା।ଯେଉଁଥିରେ ବ୍ୟକ୍ତିଜଣକ ନିଜ ସଂସ୍କୃତି ଓ ପାଶ୍ଚାତ୍ୟ ସଂସ୍କୃତିକୁ ତୁଳନାତ୍ମକ ଭାବେ ତାଚ୍ଛଲ୍ୟ କରିବାକୁ ପଛାଉନଥିଲେ ।ମତ ଥିଲା କେକ୍ କାଟି ବିଶେଷ ଦିନକୁ ଉପଭୋଗ କରିବା ଓ ବିବାହ ବିଚ୍ଛେଦ କିମ୍ବା ଜୀବନସାଥୀର ବିୟୋଗ ପରେ ନୂତନ ସାଥୀ ଆପଣେଇବା ଏକ ଅପସଂସ୍କୃତି।ଖାଦ୍ୟ,ପୋଷାକ, ଚଳଣୀ ଆଦିକୁ ତୁଳନା କରି ଅନ୍ଯର ସଂସ୍କୃତିକୁ କୁଠାରଘାତ କରି ନିଜ ସଂସ୍କୃତିର ଆତ୍ମବଡିମା ଦେଖାଇବା ଭଳି ଅନେକ ଭିଡିଓ ଆମେ ଦେଖିବାକୁ ପାଉ।

ଏକବିଂଶ ଶତାବ୍ଦୀରେ ଏଇ ରୁଦ୍ଧ ମାନସିକତାକୁ ଉନ୍ମୁକ୍ତ ଓ ବ୍ୟାପକ କରିବାର ପ୍ରୟାସ ଚାଲିଥିବା ବେଳେ,ଏସବୁ ଖବର “ବିବିଧତାରେ ଏକତା”ର ଆହ୍ବାନକୁ କରୁଛି ଧ୍ଵଂସଗାମୀ।ଭିନ୍ନ ଭିନ୍ନ ଜାତି,ଧର୍ମ ଓ ଚଳଣୀର ସମାହାରରେ ଆମ ସମାଜ ଗଠିତ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ସମ୍ବେଦନଶୀଳ ଗଣମାଧ୍ୟମ ପ୍ରକୋପରୁ ଅଧିକ କନ୍ଦଳ ମନୋବୃତ୍ତି ଯେ ବଢି ନପାରେ, ଏହା ଅସମ୍ଭବ ନୁହେଁ। ଯାହା ଗଣମାଧ୍ୟମଠାରୁ ଆଶା କରାଯାଇନପାରେ।ଗୋଟିଏ ପଟେ ଦୁନିଆରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ ବିକାଶ ଦିଗରେ ସଂଘର୍ଷ ଚାଲିଥିବାବେଳେ ,ଏସବୁର ମାତ୍ରାଧିକ ପ୍ରସାରଣ ମୂଳଲକ୍ଷ୍ୟକୁ ବିପରୀତମୁଖୀ କରୁଛି।

କିଛି ବିଜ୍ଞାପନ ମଣିଷର ସଂଜ୍ଞାନାତ୍ମକ କ୍ଷେତ୍ରକୁ ଦୁର୍ବଳ ଓ ସୀମିତ କରିଥାଏ।ପରଦାରେ ନିଜ ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଦ୍ବାରା ଉତ୍ପାଦର ପ୍ରଚାର ପ୍ରସାର ଦର୍ଶକଙ୍କ ମନରେ ଅଧିକ ବିଶ୍ବାସ ଜନ୍ମାଏ।ବିଜ୍ଞାପନ ଉପସ୍ଥାପନର ଶୈଳୀ ଓ ଚାତୁରୀକୁ ହିଁ ଏଭଳି ଭାବେ ସର୍ଜନା କରାଯାଏ ଯେପରି ତାହା ସାଧାରଣ ଲୋକଙ୍କ ମାନସଶାସ୍ତ୍ରକୁ କାବୁ କରିପାରିବ।ଏଇ ଯେମିତି ରୂପ ସୌନ୍ଦର୍ଯ୍ଯ ବର୍ଦ୍ଧିତ ପ୍ରସାଧନ ସାମଗ୍ରୀର ବିଜ୍ଞାପନ।ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଥିବା ଲୋକଟି ଠିକ୍ ଜାଣିଥାଏ ଯେ ନା ଚର୍ମରଙ୍ଗ ପରିବର୍ତ୍ତନ ହୁଏ ନା କେଶର ଘନତ୍ୱ ବୃଦ୍ଧି ପାଏ।ତଥାପି ବାରମ୍ବାର ଦେଖିଆସୁଥିବା ସମାନ ବିଜ୍ଞାପନରେ ମୋହିତ ହୋଇଯାଏ।ବିପକ୍ଷ ମତ ବି ଏହା ହୋଇପାରେ ଯେ,ଏହା ଦ୍ରବ୍ଯକୁ ବିକ୍ରୟ କରିବାର ଏଇ ପନ୍ଥା।କିନ୍ତୁ କେବଳ ବିକ୍ରୟ ହେବାପାଇଁ  ଭୁଲ ତଥ୍ଯ ଦେଇ କ୍ରେତାଙ୍କୁ ଭ୍ରମିତ କରିବା କେତେ ଦୂର ଯୁକ୍ତିଯୁକ୍ତ ?

ଆଉ ଏକ ଧରଣର ବିଜ୍ଞାପନ ଯେଉଁଥିରେ ଲିଙ୍ଗଗତ ଅସମାନତା ମହିମାମଣ୍ଡନ କରେ ।ତାହାକୁ ଅତି ସୂକ୍ଷ୍ମ କଥାଟିଏ ଭାବି ଆମେ ଅଣଦେଖା କରିଆସୁଛୁ।ମସଲା ପକାଇ ସ୍ବାଦିଷ୍ଟ ରୋଷେଇ,ଚାପତି ପକାଇ କଡା ଚା,ସାବୁନ ଡିଟରଡେଣ୍ଟ ଦ୍ବାରା ପୋଷାକ ଚମକ, ପ୍ରେସରକୁକର ରେ ଗାଜର ହାଲୱା ସବୁଥିରେ ମାଆ,ଭଉଣୀ,ଝିଅ,ବୋହୂଙ୍କର ହାତକରାମତିର ଭୂରି ଭୂରି ପ୍ରଂଶସା ଚାଲେ।ଏକ ନିର୍ଦ୍ଦିଷ୍ଟ ବିଜ୍ଞାପନରେ ନାରୀଟେ ଗୃହକାର୍ଯ୍ୟ କଲାବେଳେ ତାର ଦଶଟି ହାତ ବାହାରିଥିବାର ଓ ପୁରୁଷଟେ ସେଇ ସମାନ କାର୍ଯ୍ଯ କଲାବେଳେ ଅସାଧାରଣ ମନେକରି ପ୍ରଶଂସା କରାଯିବାର ନଜିର ବି ରହିଛି।ବିଜ୍ଞାପନ ଆମ ସମାଜ ଚଳଣୀର ପ୍ରତିବିମ୍ବ ଭାବେ କିଛି ସନ୍ଦେଶ ଦେଉଥିବା ଯୋଗୁଁ ଏଭଳି ସ୍ତରରେ କିଞ୍ଚିତ ପରିବର୍ତ୍ତନ ଆବଶ୍ୟକ।

କେବଳ ବିଜ୍ଞାପନ କାହିଁକି ଧାରାବାହିକ ଓ ଚଳଚ୍ଚିତ୍ରର ଚିତ୍ରଣଶୈଳୀ ଓ ସଂଳାପ ମଧ୍ଯ ଅନେକାଂଶରେ ଅହେତୁକତାକୁ ପ୍ରଶ୍ରୟ ଦିଏ।ସାମାଜିକ ଶିକ୍ଷଣ ମଣିଷର ଆବେଗକୁ ଯେ କେତେ ମାତ୍ରାରେ ପ୍ରଭାବିତ କରେ ଏଥିରୁ କଳନା କରିହୁଏ। ପ୍ରେମ, ଘୃଣା, କ୍ରୋଧ, ଭୟ ଆଦି ଅନେକ ଗୁଣ ସଂପ୍ରସାରିତ ହୁଏ।ପରଦାର କାହାଣୀ କପୋଳକଳ୍ପିତ କାଳ୍ପନିକ ହେଇଥିବା ସତ୍ତ୍ୱେ କେବେ ତାହା ପ୍ରେମରେ ପକାଏ,କେବେ ମୁହଁରେ ହସ ଫୁଟାଏ ତ ପୁଣି ଆଖିରେ ଲୁହ ଆଣେ।ଭାବପ୍ରବଣ ହୋଇ ଦର୍ଶକ ବି ବ୍ୟକ୍ତିଗତ ଜୀବନ ସହ ଯୋଡିନିଅନ୍ତି।ଘରୋଇ ଶାଶୁବୋହୂ କଲହରୁ ନାରୀବିଦ୍ୱେଷର କଥା ହେଉ, ବଳତ୍କୃତା ଓ ବିଧବା ମହିଳାଙ୍କ ପ୍ରତି ସାମାଜିକ କଟକଣା ହେଉ ଅବା ଆନ୍ତର୍ଜାତୀୟ ବିବାହ ପରେ ପରିବାର ଓ ସମାଜର କୁମନୋଭାବ ହେଉ , ପରଦା ସବୁବେଳେ ଏସବୁର ଭୟାବହତା ଓ ପରିଣତିର କେବଳ ଏକ ନିର୍ଦ୍ଦିଷ୍ଟ ଦିଗକୁ ପ୍ରତିଫଳିତ କରିଆସିଛି।ବିଷୟରେ ଭିନ୍ନ ମୋଡ଼ ଓ ନୂତନତ୍ତ୍ଵ ନ ଆସିବା ଦ୍ବାରା ସଚେତନତା ଅଣାଯାଇପାରୁନି।ଠାକୁରଙ୍କ ପାଖେ ଜଳୁଥିବା ଦୀପ ଲିଭିଗଲେ ଅଶୁଭ ହେବା,ମୂର୍ତ୍ତିରୁ ଫୁଲ ଖସିଗଲେ ଶୁଭ ହେବା,ସିନ୍ଦୂର ଫରୁଆ ଓ ବାହାଘର ଫଟୋ ତଳେ ପଡିଗଲେ ଜୀବନସାଥୀ ପ୍ରତି ବିପଦ ଆସିବା ଭଳି ଅର୍ଥହୀନ ଓ ପ୍ରମାଣହୀନ ଭୟ ଆଜିବି ଶିକ୍ଷିତ ସମାଜକୁ ଗ୍ରସିତ କରୁଛି।”ତୁମେ ହିଁ ସ୍ବର୍ଗ ମୋର ତୁମେ ଦେବତା ମୋର..” ଅବା “ଦେଢଶୁର ନାଁ ବଳିଆଲୋ ମୁଁ ବଳିଆ ଡାକିବି ନାହିଁ..” ଭଳି ସଙ୍ଗୀତର ପଂକ୍ତି ନାରୀସମାଜକୁ ବନ୍ଧନଯୁକ୍ତ ହେଇ ତ୍ଯାଗ, ସମର୍ପଣର ପରାକାଷ୍ଠା ଦେଖାଇବାକୁ ପ୍ରେରିତ କରୁଛି। ଯାହା ଆଜିକାର ପ୍ରଗତିଶୀଳ  ସମାଜପାଇଁ ତିଳେହେଁ ଆବଶ୍ୟକ ନାହିଁ।ଭୂତ,ପ୍ରେତ,ଗୁଣିଗାରେଡି ସହ ମଣିଷ ନାଗନାଗୁଣୀ ରୂପ ଧରି ଆକାଶମାର୍ଗରେ ଉଡିବା ଅବା ଜଣଙ୍କ ଶରୀରରେ ଆଉ କାହା ଆତ୍ମା ପ୍ରବେଶ କରି କର୍କଶ ସ୍ବରରେ ଗର୍ଜନ କରି ଡରାଇବା ଭଳି କିଛି କାହାଣୀ  ବୃଦ୍ଧି କରୁଛି ଅବୈଜ୍ଞାନିକ ମନୋଭାବକୁ।

ଉଲ୍ଲିଖିତ ବିଷୟର ସାରମର୍ମ ଏଇଆ ଯେ,ଯେତେବେଳେ ଅଗଣିତ ଦର୍ଶକଙ୍କ ଆଗରେ କିଛି ଉପସ୍ଥାପନ କରାଯାଉଛି ,ତାହା ଶିକ୍ଷଣୀୟ ଓ ସନ୍ଦେଶମୂଳକ ହେବା ନିତାନ୍ତ ଜରୁରୀ। ମନୋରଞ୍ଜନ ଯୋଗ୍ୟ କରିବା ପାଇଁ ଯେ ଆମକୁ ଅମୂଳକ ଦିଗ ଆପଣେଇବାକୁ ପଡିବ, ତାହା ନୁହେଁ।ପ୍ରାଦ୍ୟୋଗିକତା ବ୍ୟବହାର କରି ଅନେକ ସୃଜନାତ୍ମକତାର ସୃଷ୍ଟି ମଧ୍ଯ କରାଯାଇପାରେ।ଏବେ ବିଶେଷ ଦୃଷ୍ଟି ଦେବାର ସମୟ ଆସିଯାଇଛି ଯେ, କିପରି ପିଲାଟିଏ ବାପା ମାଆ ଚାଲିଗଲା ପରେ ସେମାନଙ୍କୁ ଆକାଶର ତାରା ନ ଭାବୁ ଓ ମଣିଷଟେ ସୁଗନ୍ଧିତ ଅଗରବତୀ ଜଳାଇଲେ ଫଟୋ ମଧ୍ଯରୁ ଭଗବାନ ଜୀବନ୍ତ ହେଇ ଆସିବେ ଭଳି ଆଶା ନ ରଖୁ ।ପ୍ରମାଣସିଦ୍ଧ, ସତ୍ଯାସତ୍ଯଯୁକ୍ତ ଓ ବୈଧ ପ୍ରସଙ୍ଗଗୁଡିକ ପରଦାରେ ଆସିବା ଆମର ପ୍ରଚେଷ୍ଟା ହେଉ।ସମୟର ପରିବର୍ତ୍ତନ ସହ ତଦନୁଯାୟୀ ଯଥୋଚିତ ପ୍ରାସଙ୍ଗିକତା ଉପରେ ଧ୍ୟାନ ଦେଲେ ପରଦା ଉପରେ ସଂସ୍କାର ଅଣାଯାଇପାରିବ।

Comments are closed.