କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ୮ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ କାଦୁଆନୂଆଗାଁ, କୁରୁଜଙ୍ଗ, ଅବଦାନ, ବାଙ୍ଗୁରିଗାଁ ଓ ନାସିକେଶ୍ବର ଗ୍ରାମ ପଞ୍ଚାୟତରେ ଥିବା ୬ଗୋଟି ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ କୃଷକ ମାନେ ନିଜର ଉତ୍ପାଦିତ ଧାନ ଫସଲର ଅଭାବୀ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ଖବରରୁ ପ୍ରକାଶ ଯେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ସେବା ସମବାୟ ସମିତି, ସନ୍ତରସ ସେବା ସମବାୟ ସମିତି, କୁରୁଜଙ୍ଗ ଗ୍ରାମପଞ୍ଚାୟତର ଜାଗେଶ୍ୱରୀ ସେବା ସମବାୟ ସମିତି, ଅବଦାନ ଗ୍ରାମପଞ୍ଚାୟତର ଚିତ୍ରେଶ୍ଵରୀ ସେବା ସମବାୟ ସମିତି, ବାଙ୍ଗୁରିଗାଁ ଗ୍ରାମ ପଞ୍ଚାୟତର ବାଙ୍ଗୁରିଗାଁ ସେବା ସମବାୟ ସମିତି ଓ ନାସିକେଶ୍ବର ଗ୍ରାମ ପଞ୍ଚାୟତର ନାସିକେଶ୍ବର ସେବା ସମବାୟ ସମିତିର ଦାୟିତ୍ବରେ ସଂପାଦକ ମାନଙ୍କର ଦୂରଦୃଷ୍ଟି ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଧାନମଣ୍ଡି ଖୋଲିବା କ୍ଷେତ୍ରରେ ଅହେତୁକ ବିଳମ୍ବ ହେଉଛି ବୋଲି କୃଷକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏହି ୬ଗୋଟି ସେବା ସମବାୟ ସମିତି ଅଧୀନରେ ଥିବା କୃଷକ ମାନେ ନିଜ ନିଜର ଉତ୍ପାଦିତ ଧାନ ମଣ୍ଡି ଖୋଲା ଯିବାରେ ଅହେତୁକ ବିଳମ୍ବ ଯୋଗୁଁ ଖୋଲା ବଜାରରେ ବେପାରୀ ମାନଙ୍କୁ ସରକାରୀ ନିର୍ଧାରିତ ଦର ଠାରୁ କମ ମୂଲ୍ୟରେ ବିକ୍ରି କରୁଥିବା କୃଷକ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମିତିର ସଂପାଦକ ଓ ଧାନ କ୍ରୟ ଦାୟିତ୍ବ ନେଇଥିବା ମିଲର ମାନଙ୍କ ଅସାଧୁ ମେଣ୍ଟ ଯୋଗୁଁ ଧାନର ଅଭାବୀ ବିକ୍ରି ହେଉଛି ବୋଲି କୃଷକ ମାନଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ସମିତିରେ ସର୍ବ ସାଧାରଣ ଓ କୃଷକ ମାନଙ୍କ ଅଗୋଚରରେ ବୋର୍ଡ ମେମ୍ବର, ବ୍ଲଡ ସ୍ତରୀୟ ଅଧିକାରୀ ଓ ସମିତି ସଂପାଦକ ମାନେ ମାତ୍ର ଦିନରୁ ଦୁଇ ଦିନ ଧାନମଣ୍ଡି ଖୋଲି ଅନ୍ୟ କୃଷକମାନଙ୍କୁ ମିଲର ମାନଙ୍କ ନିକଟକୁ ଉତ୍ପାଦନ କରିଥିବା ଧାନ ଫସଲ ନେଇ ବିକ୍ରି ପାଇଁ ପଠାଉଥିବା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସମିତି ମାନଙ୍କ ରେ ଧାନମଣ୍ଡି ଖୋଲିବା ସମୟରେ ବ୍ଲକ ସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପ୍ରମୁଖ ସରକାରୀ ଅଧିକାରୀଙ୍କ କୌଣସି ଦିନ ଦେଖିବାକୁ ମିଳେ ନାହିଁ ବୋଲି କେତେକ କୃଷକ ମତପ୍ରକାଶ କରିଛନ୍ତି। ବିଗତ ଦିନରେ ଏହି ସମିତି ପକ୍ଷରୁ ଖୋଲା ଯାଇଥିବା ଧାନମଣ୍ଡି ସ୍ଥଳୀରେ କୌଣସି ସରକାରୀ ଅଧିକାରୀଙ୍କ ପକ୍ଷରୁ ମଣ୍ଡି ପରିଦର୍ଶନ କରି ନ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଏହି ସମିତିର କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ତୁରନ୍ତ ଧାନମଣ୍ଡି ଖୋଲିବା ସହ ଧାନର ଅଭାବୀ ବିକ୍ରି ରୋକିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ କୃଷକ ମାନଙ୍କ ପକ୍ଷରୁ ଦାବି କରାଯାଇଛି।
