ସତେ ଯେପରି ପ୍ରଶାସନ ଓ ସରକାର ତ୍ରିଶଙ୍କୁର ଭୂମିକା ନିର୍ବାହ କରୁଥିବା ଭଳି ପ୍ରତୀୟମାନ ହେଉଛି। ଗତ ୨୦୦୫ ମସିହାରେ ତତ୍କାଳୀନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ସ୍ବର୍ଗତ ସନାତନ ବିଶି ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। କୋଣାର୍କ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମନ୍ତ୍ରୀ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏହା ପରେ ତତ୍କାଳୀନ ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଫୁଲ ଚନ୍ଦ୍ର ଘଡେଇ ମହୋଦୟ ଙ୍କୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ବାରା କୋଣାର୍କ ଯାତ୍ରୀ ନିବାସ ଠାରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଏରିଆ ହସ୍ପିଟାଲ ମାନ୍ୟତା ନାଲି ଫିତା ତଳେ ଅଟକି ଯାଇଥିବା ପରି ମନେ ହେଉଛି।
ଏହା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ପ୍ରତି ଅଣଦେଖା ନା ବୈମାତୃକ ମନୋଭାବର ପରିଚାୟକ ତାହା ସ୍ପଷ୍ଟ ଭାବେ ବୁଝାପଡୁନି ଏ ନେଇ ଅନେକ ପ୍ରଶ୍ନ ଅଂଚଳବାସୀ ମାନଙ୍କ ମନରେ ଉଙ୍କି ମାରୁଛି। କୋଣାର୍କ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ପଛରେ ପଡିଯାଇଛି। ଗତ ନବକଳେବର ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନରେ କୋଣାର୍କ ଠାରେ ଶିଶୁ ଓ ମା ମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଶିଶୁ ଓ ମାତୃ ମଂଗଳ ହସ୍ପିଟାଲ ନିମନ୍ତେ ଭିତ୍ତିଭୂମି ବିକାଶ, ବିରାଟକାୟ ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ସହ ୩୬ ଶଯ୍ୟା ବିଶିଷ୍ଟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ମାତ୍ର ଆସିଥିବା ଶଯ୍ୟା ମାନ ଓ ଆନୁଷଙ୍ଗିକ ସାମଗ୍ରୀ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲା ମୁଖ୍ୟ ସଦର ମହକୁମା ଚିକିତ୍ସାଳୟକୁ ନେଇଯିବା ସହ ଅଦ୍ୟାବଧି ଫେରସ୍ତ କରିନାହାନ୍ତି। ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏହି ହସ୍ପିଟାଲ ନିମନ୍ତେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ଜଣେ ହେଲେ ମଧ୍ୟ ଆନ୍ତରିକତା ଦେଖାଉନାହାନ୍ତି। ନିର୍ମାଣଧୀନ ଅଟ୍ଟାଳିକା ଏବେ ଭୂତକୋଠି ପାଲଟିବାକୁ ବସିଛି। ଯେଉଁ ଲକ୍ଷ୍ୟ ନେଇ ଏହି ଶିଶୁ ଓ ମାତୃ ମଂଗଳ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା ତାହା ଏବେ ଫଳପ୍ରଦ ହୋଇପାରିନାହିଁ। ନା ଏଠାରେ ଡାକ୍ତର ନିଯୁକ୍ତି ହେଉଛନ୍ତି ନା ଏ ଦିଗରେ କୌଣସି ନିର୍ବାଚିତ ବିଧାୟକ ଆନ୍ତରିକ ଭାବ ପୋଷଣ କରୁଛନ୍ତି ତାହା ଏବେ ଦୃଷ୍ଟି ଗୋଚର ହେଉଛି। ଭାଗ୍ୟର ବିଡମ୍ବନା ସମୟ ମଧ୍ୟରେ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା ଗତି କରୁଛି।
ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ନିମନ୍ତେ ଏକ ମାସ ତଳେ ଏକ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଆସିଥିଲେ ମଧ୍ୟ କୋଣାର୍କକୁ ଏରିଆ ହସ୍ପିଟାଲ ମାନ୍ଯତା ପ୍ରଦାନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଦାବି କରିଛନ୍ତି ନା ରାଜ୍ୟ ସରକାର। ଏହା କଣ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିଡମ୍ବନା ନୁହେଁ କି। ଆଗକୁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନା, ଦ୍ବିତୀୟ ସୋଲାର ସିଟି ଭାବେ ଦେଶରେ ଓ ରାଜ୍ୟରେ ପ୍ରଥମ ସହର ଭାବେ ମାନ୍ୟତା ପାଇବା ପାଇଁ ଯାଉଛି। ମାତ୍ର ସ୍ବାସ୍ଥ୍ୟ ସେବା ଭଳି ଏକ ସମ୍ବେଦନଶୀଳ ବିଷୟ ପ୍ରତି କାହାର ଧ୍ୟାନ ନାହିଁ ବୋଲି ଦୃଷ୍ଟି ଗୋଚର ହେଉଛି। ସାଧୁ ସାବଧାନ ନ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାର କୋଣାର୍କ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସ୍ପିଟାଲ ଭାବେ ସ୍ବତନ୍ତ୍ର ମାନ୍ଯତା ପ୍ରଦାନ କରିବା ସହ ଶିଶୁ ଓ ମାତୃ ମଂଗଳ ହସ୍ପିଟାଲକୁ କାର୍ଯ୍ୟକାରୀ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କୋଣାର୍କ ଅଞ୍ଚଳବାସୀ ଚାତକ ଭଳି ଚାହିଁ ରହିଛନ୍ତି। ଦେଖାଯାଉ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ କେବେ ଏରିଆ ହସ୍ପିଟାଲ ମାନ୍ଯତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଅପେକ୍ଷାରତ କୋଣାର୍କ ବାସୀ ଚାହିଁ ବସିଛନ୍ତି। ଏ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟିସଚିବ, ମୁଖ୍ୟ ଶାସନ ସଚିବ ସ୍ଥାନୀୟ ବିଧାୟକ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସ୍ପିଟାଲ ମାନ୍ଯତା ପ୍ରଦାନ ସହ ଶିଶୁ ଓ ମାତୃ ମଂଗଳ ହସ୍ପିଟାଲକୁ କାର୍ଯ୍ୟକାରୀ କରିବେ ବୋଲି ଅଂଚଳବାସୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।