କୋଣାର୍କ :କୋଣାର୍କ ଥାନାର ଏସଆଇ ଙ୍କ ମାଡ଼ରେ ଜଣେ ଯୁବକ ଆହତ ହେବା ଅଭିଯୋଗକୁ ନେଇ ମହିଳା ଗୋଷ୍ଠୀ କୋଣାର୍କ ଥାନା ସାମ୍ନାରେ ଗୁରୁବାର ଦିନ ଧାରଣା ଦେଇଥିଲେ ।ପୁଲିସ ର ବୁଝାସୁଝା ପରେ ମହିଳା ମାନେ ସାମୟିକ ଭାବେ ଆନ୍ଦୋଳନରୁ ଓହରିଥିବାର ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ ଜ୍ଞାନ ରଂଜନ ପଣ୍ଡା ନାମକ ଜଣେ ଯୁବକଙ୍କୁ କୋଣାର୍କ ଥାନା ଏସଆଇ ମାଡ଼ମାରି ଆହତ କରିଥିବା ସଂପର୍କରେ ଜ୍ଞାନରଂଜନଙ୍କ ପତ୍ନୀ କୋଣାର୍କଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ନିଶାସକ୍ତ ଅବସ୍ଥାରେ ପୁଲିସକୁ ଆକ୍ରମଣ କରିବା ଓ ଥାନାରେ ପଶି ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ଆଧାରରେ ପୁଲିସ ପକ୍ଷରୁ ଥାନାରେ ଜ୍ଞାନରଂଜନଙ୍କ ନାମରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ଜ୍ଞାନରଂଜନ ଙ୍କ ପତ୍ନୀ ସଦସ୍ୟ ଥିବା ମହିଳା ଗୋଷ୍ଠୀର ୧୦ ରୁ ଅଧିକ ସଦସ୍ୟା ମହିଳା
କରୋନା ସମୟରେ ଜ୍ଞାନରଂଜନଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ କୋଣାର୍କ ଥାନା ସାମ୍ନାରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତିବାଦତ୍ମକ ଧାରଣା ଦେଇଥିଲେ ।ଧାରଣା ସ୍ଥଳରେ କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକ ପହଞ୍ଚି ମହିଳା ଗୋଷ୍ଠୀଙ୍କ ସହିତ ଆଲୋଚନା କରିଥିଲେ ।ମହିଳା ମାନେ ଜିଲ୍ଲା ର ଏସପିଙ୍କ ଉଦ୍ଦ୍ୟେଶରେ ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରି ଜ୍ଞାନରଂଜନଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟର ନ୍ୟାୟ ଦାବି ରଖିଥିଲେ ।ସାତଦିନ ମଧ୍ୟରେ ଯଦି ଏସପି ଏଦିଗରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ମହିଳା ମାନେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାଇ ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟକି ଥାନା ଭିତରେ ନିଶାସକ୍ତ ଅବସ୍ଥାରେ ପୁଲିସ ଉପରେ ସଂପୃକ୍ତ ଯୁବକ ଆକ୍ରମଣ ଓ ଭଙ୍ଗା ରୁଜା କରିଥିବା ନେଇ କୋଣାର୍କ ପୁଲିସ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଥିବାର ଥାନା ସୁତ୍ରରୁ ପ୍ରକାଶ ।