Odisha news

ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବେଗୁନିଆପଡ଼ା ବିଇଓ! ଶିକ୍ଷକ ହେଡ୍ କ୍ୱାଟର ଛାଡିବା ନେଇ ବଡ଼ ଡିଲ୍!

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : କରୋନା ଆଳରେ ଦୁର୍ନୀତିକୁ ସରଳୀକରଣ କରି ମାଲାମାଲ୍ ହେଉଛନ୍ତି ଶିକ୍ଷା ବିଭାଗର କିଛି ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି ଶିକ୍ଷା ବିଭାଗର ପ୍ରମୁଖ ଅଧିକାରୀ। ଏଭଳି ଏକ ସାଂଘାତିକ ଘଟଣା ନଜରକୁ ଆସିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଶିକ୍ଷା ବିଭାଗରେ। କରୋନା ସଂକ୍ରମଣ କାରଣରୁ ମାର୍ଚ୍ଚ ମାସରୁ ଏଯାବତ୍ ଦୀର୍ଘ ୭ ମାସ ଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ କେବେ ଖୋଲା ହେବ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ।ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ଯାଳୟ ଗୁଡିକୁ ଛାତ୍ରଛାତ୍ରୀ ମାନେ ନ ଆସିବା ପାଇଁ ଯଦିଓ ବାରଣ ରହିଥିଲା କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହେଡ୍ କ୍ୱାଟର ନ ଛାଡିବାକୁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ଯ ରହିଥିଲା। ତେବେ ସରକାରଙ୍କ ନିୟମକୁ ଫୁ କରି ଖୋଲା ଖୋଲି ଧଜିଆ ଉଡାଉଛି ବେଗୁନିଆପଡ଼ା ବ୍ଳକ ଶିକ୍ଷା ବିଭାଗ।ଏହି ବ୍ଲକରେ ବାହାର ଜିଲ୍ଲାରୁ ଶହ ଶହ ସଂଖ୍ଯାରେ ଶିକ୍ଷକ ଶିକ୍ଷୟିତ୍ରୀ ଆସି କାର୍ଯ୍ୟ କରୁଥିବା ବେଳେ କରୋନା କଟକଣା ଆରମ୍ଭରୁ ହିଁ ସ୍କୁଲ ହେଡ୍ କ୍ୱାଟର ଛାଡି ନିଜ ନିଜ ଜିଲ୍ଲାକୁ ଶହ ଶହ ସଂଖ୍ଯାରେ ଶିକ୍ଷକ ଶିକ୍ଷୟିତ୍ରୀ ଚାଲିଯାଇଥିବା ଜଣାପଡିଛି।
ତେବେ ଏନେଇ ନା ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପାଖରେ ତଥ୍ଯ ଅଛି ନା ଶିକ୍ଷା ଅଧିକାରୀଙ୍କ ପାଖରେ। କେହି ବି ଏ ପ୍ରସଙ୍ଗରେ ମତ ରଖିବାକୁ ଇଛା ପ୍ରକାଶ କରୁ ନାହାନ୍ତି। ଯାହାକୁ ନେଇ ବଡ଼ ଧରଣର ଡିଲ୍ ହୋଇଥିବା ଏବେ ଶୁଣିବାକୁ ମିଳୁଛି। ବାହାର ଜିଲ୍ଲା ଶିକ୍ଷକ ଶିକ୍ଷୟିତ୍ରୀ ବେଧଡ଼କ ଭାବେ ନିଜ ଜିଲ୍ଲାକୁ ଚାଲିଯାଇଥିବା ବେଳେ ଇତି ମଧ୍ୟରେ କେହି ଫେରିଛନ୍ତି ତ କେହି ଏଯାବତ୍ ଫେରି ନାହାନ୍ତି। କିନ୍ତୁ ସମସ୍ତଙ୍କ ଆକାଉଣ୍ଟ୍ କୁ ପ୍ରତି ମାସର ଦରମା ଦିଆଯାଉଛି। ଦରମା ଦିଆଯିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଜରୁରୀ ହୋଇଥିବା ବେଳେ ଉପସ୍ଥାନ କିପରି ପଡୁଛି ଏବଂ ଏଭଳି ବେଆଇନ କାର୍ଯ୍ୟ କାହା ନିର୍ଦ୍ଦେଶରେ ହେଉଛି ତାହା ତଦନ୍ତ ସାପେକ୍ଷ ।ଏନେଇ ବେଗୁନିଆପଡ଼ା ବ୍ଲକର କିଛି ସିଆରସିସି ମାନଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିଥିଲେ ବି ପ୍ରସଂଗକୁ ଏଡାଇଯାଉଛନ୍ତି।
ଅପରପକ୍ଷେ ଗଂଜାମ ଜିଲ୍ଲାପାଳ ପୂଜାଛୁଟିରେ ଶିକ୍ଷକ ଶିକ୍ଷୟିତ୍ରୀ ହେଡ୍ କ୍ୱାଟର ଛାଡି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ କେତେ ଶିକ୍ଷକ ଏବେ ବାହାର ଜିଲ୍ଲାକୁ ଚାଲି ଯାଇଛନ୍ତି ସେ ନେଇ ମୁହଁ ଖୋଲୁ ନାହାଁନ୍ତି ବ୍ଲକ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ। ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ବ୍ଲକରେ କାର୍ଯ୍ୟରତ ବାହାର ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ଘରେ ବସି କିପରି ପୁରା ଦରମା ଉଠାଉଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
କିଛି ଶିକ୍ଷକ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ଘରେ ବସି ଦରମା ପାଇବା ପାଇଁ ବାହାର ଜିଲ୍ଲାରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ମୋଟା ଅଙ୍କର ବଟି ଦେଉଛନ୍ତି। ଏକଥା ଯଦି ସତ ହୁଏ ତେବେ ସାଂଘାତିକ କଥା। ତଦନ୍ତ କରିବାର ନିହାତି ଆବଶ୍ୟକ ରହିଛି। ଅନ୍ୟ ପଟେ ବିଭାଗରେ ଦୁର୍ନୀତି ହେଉଥିବା ନେଇ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ମାଗିଥିଲେ ମଧ୍ୟ ଉଦେଶ୍ୟ ମୂଳକ ଭାବେ ବିଭାଗ ତଥ୍ଯ ପ୍ରଦାନ କରୁନି ବୋଲି କହିଛନ୍ତି ସୁଶାନ୍ତ। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବା ସହ ଦୁର୍ନୀତିର ଗୁମର ଖୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ସେ ପ୍ରକାଶ କରିଛନ୍ତି।
Leave A Reply