ଖୋର୍ଦ୍ଧା : କରୋନା ଯୋଗୁ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରୀ ରହିଥିବାବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ । ବେଗୁନିଆ ଅଂଚଳରେ ଚୋରା ମଦବିକ୍ରୀ ବୃଦ୍ଧି ପାଉଥିବା ଜଣାଯାଇଛି । ଯାହାକି ବେଗୁନିଆ ପୁଲିସ ଆଜି କଂଟାବାଡ କାଜୁ ଜଙ୍ଗଲରେ ଚଢାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ପୋଚ ନଷ୍ଟ କରିବା ଘଟଣା ସ୍ପଷ୍ଟ କରୁଛି ।
ମିଳିଥିବା ସୂଚନାଅନୁସାରେ, କଂଟାବାଡ ଅଂଚଳରେ ଦୀର୍ଘଦିନ ହେବ ଦେଶୀ ମଦ ରନ୍ଧା ହେଉଛି । ଏପରିକି ଏହାକୁ ଚୋରା ରେ ବେପାରୀମାନେ ଉକ୍ତ ଅଂଚଳରେ ବେପାର କରୁଥିବା ଜଣାଯାଇଛି । ତେବେ କଂଟାବାଡ କାଜୁ ଜଙ୍ଗଲରେ ମଦ ରନ୍ଧା ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଗୁନିଆ ପୁଲିସ ର ଏକ୍ ଟିମ୍ ସେଠାରେ ଚଢାଉ କରିଥିଲେ । ଘଟଣାସ୍ଥଳରେ ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହିତ ୧ହଜାର ଲିଟରରୁ ଉଦ୍ଧ୍ୱର୍ ପୋଚକୁ ପୁଲିସ ନଷ୍ଟ କରିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଏଥିସହିତ ମଦ ରାନ୍ଧୁଥିବା ଅବସ୍ଥାରେ ଦୀପା ସାହୁ ନାମକ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଥିବାବେଳେ ୧୦ଲିଟର ଦେଶୀମଦକୁ ଜବତ କରିଛି । ତେବେ ନଷ୍ଟ ହୋଇଥିବା ପୋଚ ସହ ଜବତ ମଦ ପାଇଁ ବ୍ୟବହୃତ ସାମଗ୍ରୀ ର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ପୁଲିସ ସୂଚନା ଦେଇଛି ।
