ଲେଉଟିଲା ଶୀତ, କୁହୁଡ଼ିର ଚାଦରରେ ଢାଙ୍କି ହେଲା ବାଲିଗୁଡା ସହର : ବଢ଼ିଲା ଜାଡ଼ର ପ୍ରକୋପ, ନିଆଁ ପୁଇଁବା ସହ ଚା’ ଦୋକାନରେ ଜମୁଛି ଭିଡ଼
ବାଲିଗୁଡ଼ା:୨୭/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ହଠାତ୍ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବିଶେଷକରି ବାଲିଗୁଡ଼ା ଅଞ୍ଚଳରେ ଗତ କିଛି ଦିନ ହେଲା ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଜାଡ଼ ସାଙ୍ଗକୁ ସକାଳୁ ସକାଳୁ ଘନ କୁହୁଡ଼ି ଓ ପ୍ରବଳ କାକର ଜନଜୀବନକୁ ପ୍ରଭାବିତ କରୁଛି। ସତେ ଯେମିତି ଶୀତର ଧଳା ଚାଦର ତଳେ ଢାଙ୍କି ହୋଇ ରହୁଛି ସମଗ୍ର ବାଲିଗୁଡ଼ା ଅଞ୍ଚଳ। ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉନଥିବା ବେଳେ ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଉଛି। ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଦେଖିବା କଷ୍ଟକର ହେଉଥିବାରୁ ସକାଳୁ ଯାତାୟାତ କରୁଥିବା ଗାଡ଼ିଚାଳକ ଓ ପଥଚାରୀଙ୍କୁ ବେଶ୍ ସତର୍କ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ପ୍ରବଳ କାକର ଯୋଗୁଁ ଗଛଲତା, ରାସ୍ତାଘାଟ ଓ ଖୋଲା ପଡ଼ିଆ ଉପରେ ଶୀତର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ ଲୋକେ ଘର ସମ୍ମୁଖରେ ନିଆଁ ପୁଇଁବାରେ ବ୍ୟସ୍ତ ରହୁଥିବା ବେଳେ ବିଭିନ୍ନ ଚା’ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମୁଛି। ଗରମ ଚା’ର ଚୁସ୍କି ସହ ଶୀତର ମଜା ନେଉଛନ୍ତି ଲୋକେ। ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ ଓ ଶ୍ରମଜୀବୀମାନେ ଶୀତର ପ୍ରକୋପ ଅଧିକ ଅନୁଭବ କରୁଛନ୍ତି। ଫଳରେ ସକାଳ ସମୟରେ ସାଧାରଣ ଜନଜୀବନର ଚଳଚଞ୍ଚଳତା କିଛିଟା ମନ୍ଥର ହୋଇପଡ଼ୁଛି।
ତେବେ ଶୀତର ପ୍ରକୋପ ସତ୍ତ୍ୱେ ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ଉତ୍ସାହରେ କୌଣସି କମି ଦେଖିବାକୁ ମିଳୁନାହିଁ। କେତେକ ଯୁବକ ଜିମ୍କୁ ଯାଇ ବ୍ୟାୟାମ କରୁଥିବା ବେଳେ ବୟସ୍କ ଓ ଅନ୍ୟମାନେ ସକାଳୁ ମର୍ଣ୍ଣିଂ ୱାକ୍ ଏବଂ ଶାରୀରିକ ବ୍ୟାୟାମ କରୁଛନ୍ତି। ତେବେ ଘନ କୁହୁଡ଼ି ଓ ଶୀତକୁ ଦୃଷ୍ଟିରେ ରଖି ସକାଳୁ ବାହାରକୁ ଯାଉଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଓ ଜଙ୍ଗଲଘେରା ପରିବେଶରେ ଶୀତର ପ୍ରଭାବ ସାଧାରଣତଃ ଅଧିକ ଅନୁଭୂତ ହୋଇଥାଏ। ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବଢ଼ିବା ଆଶଙ୍କାରେ ଲୋକେ ଏବେଠାରୁ ଗରମ ପୋଷାକର ବ୍ୟବହାର କରିବା ସହ ଶୀତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପ୍ରସ୍ତୁତି କରୁଛନ୍ତି। ଘନ କୁହୁଡ଼ି ସମୟରେ ଯାନବାହନ ଚାଳକମାନେ ଧୀରେ ଓ ସତର୍କତାର ସହ ଗାଡ଼ି ଚଳାଇବାକୁ ମଧ୍ୟ ସଚେତନ ମହଲରେ ପରାମର୍ଶ ଦିଆଯାଉଛି। ଶୀତର ଏହି ଫେରନ୍ତା ଲହରୀ ଏବେ ବାଲିଗୁଡ଼ାବାସୀଙ୍କୁ ଶୀତର ଅନୁଭୂତି ଦେବା ସହ ଚା’ ଦୋକାନର ଆସରକୁ ମଧ୍ୟ ଜମାଇ ଦେଇଛି।
