ବାଲିଗୁଡ଼ା:୨୭/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ପୋଲିସର ଅଭିଯାନ ଜାରି ରହିଥିବା ବେଳେ କୋଟଗଡ଼ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ତୁମୁଡ଼ିବନ୍ଧ ଅଞ୍ଚଳରୁ ତାମିଲନାଡ଼ୁକୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ପୋଲିସ ଚଢ଼ାଉ କରି ୮୭ କେଜି ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ଚୋରା ଚାଲାଣରେ ବ୍ୟବହୃତ ଏକ ବଲେନୋ କାର୍କୁ ମଧ୍ୟ ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ତୁମୁଡ଼ିବନ୍ଧ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବାକୁ ଥିବା ନେଇ କୋଟଗଡ଼ ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାକୁ ଆଧାର କରି ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଦ୍ରୁତଗତିରେ ଯାଉଥିବା ଏକ ବଲେନୋ କାର୍କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୮୭ କେଜି ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ରାଜ୍ୟର ତିରୁନେଲଭେଲି ଜିଲ୍ଲାର ଶିବା ହୋଇଥିବା ବେଳେ ଅନ୍ୟ ଜଣକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ରାଜୁପଦର ଗ୍ରାମର ରାଜେଶ ଦିଗାଳ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଓ କାର୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଚୋରା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କନ୍ଧମାଳରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପୋଲିସର ଏଭଳି କଡ଼ା ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।
