Odisha news

ଖରିଫ-୨୦୨୦ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ : ପ୍ରବାସୀ ଶ୍ରମିକ ମାନଙ୍କୁ ଚାଷ କାର୍ଯ୍ୟରେ ନିୟୋଜିତ କରିବା ଉପରେ ଗୁରୁତ୍ୱାରୋପ

0

ଅନୁଗୁଳ: ଚଳିତ ଖରିଫ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗ ଦେଇଥିଲେ । କରୋନା ସଂକ୍ରମର ବ୍ୟାପୁଥିବାରୁ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଆମ ଜିଲ୍ଲାକୁ ଫେରୁଛନ୍ତି । ସେମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ନିମନ୍ତେ ସମସ୍ତ କୃଷି ଭିତିକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

କୃଷି ଓ ଏହାର ଆନୁସଙ୍ଗୀକ ବିଭାଗର କ୍ଷେତ୍ର କର୍ମଚାରୀ ମାନେ ଗ୍ରାମାଚଂଳକୁ ଫେରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ଚାଷ କାର୍ଯ୍ୟ କରି କିପରି ନିଜର ଜୀବିକା ନିର୍ବାହ କରି ପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭୋଳା ଶଙ୍କର ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଗତ ରବି ୨୦୧୯-୨୦ ରେ କାର୍ଯ୍ୟକାରୀ ହୋଇଥିବା ଯୋଜନାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । କୃଷି ଓ ଏହାର ଆନୁସଙ୍ଗୀକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସହ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଜିଲ୍ଲାରେ ଥିବା ବିଭିନ୍ନ ଜଳ ଉତ୍ସ ଗୁଡିକରୁ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପାଣି କିପରି ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ବିଭାଗୀୟ କର୍ମକର୍ତା ମାନେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଜିଲ୍ଲାରେ ହୋଇଥିବା ବର୍ଷା ଓ ଉପଲବଧ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଖରିଫ ଋତୁରେ ଜିଲ୍ଲାରେ ୮୩ ହଜାର ୮୪୮ ହେକ୍ଟର ଧାନ, ୩ ହଜାର ୨୦୨ ହେକ୍ଟର ଅଣ-ଧାନ ଏହିପରି ମୋଯ ୮୭ ହଜାର ୫୦ ହେକ୍ଟର ଫସଲ ଖସଡା ପ୍ରସ୍ତୁତ ହୋଇଛି । ଜିଲ୍ଲାରେ ଥିବା ବିଭିନ୍ନ ଜଳସେଚନ ଉତ୍ସରୁ ୬୮ ହଜାର ୪୫୮ ହେକ୍ଟର ଫସଲକୁ ଜଳସେଚନ ଯୋଗାଇ ଦିଆଯିବାର ଯୋଜନା ରହିଛି । ଚଳିତ ଖରିଫ ଋତୁରେ ଜିଲ୍ଲାର ୧୦୩ଟି କୃଷି ସମବାୟ ସମିତି ମାଧ୍ୟମରେ ୧୨ ହଜାର ୩୨୮ କ୍ୱିଟାଂଲ ଧାନ, ୧୦୦ କ୍ୱିଟାଂଲ ବିରି, ୩୦ କ୍ୱିଟାଂଲ ହରଡ, ୧୦୦ କ୍ୱିଟାଂଲ ଚିନାବାଦାମ ଓ ୬୦ କ୍ୱିଟାଂଲ ଧନିଚା ବିହନ ଡି.ବି.ଟି ମାଧ୍ୟମରେ ବିକ୍ରୟ କରାଯିବ ।

ଡି.ଆର.ସି.ସି ଓ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ସମ୍ପାଦକ ଏହି ବିହନ ବିକ୍ରୟ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀ ମାନେ ରିହାତି ଦରରେ ଧାନ କ୍ୱିଟାଂଲ ପ୍ରତି ୨୨୫୦ (୧୦ ବର୍ଷ ପୂର୍ବରୁ ଯୋଗାଇ ଦିଆଯାଉଥିବା ପୁରୁଣା ଧାନ) ଓ ୧୯୫୦ (୧୦ ବର୍ଷ ମଧ୍ୟରେ ଯୋଗାଇ ଦିଆଯାଉଥିବା ପୁରୁଣା ଧାନ) ଟଙ୍କାରେ କିଣିବେ । ଚଳିତ ଖରିଫ ଋତୁରେ ସମବାୟ ଓ ବ୍ୟବସାୟୀକ ବ୍ୟାଙ୍କ ମାଧ୍ୟମରେ ଚାଷୀ ମାନଙ୍କୁ ୩୧୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ଚଳିତ ଖରିଫ ଋତୁ ପାଇଁ ୧୪ ହଜାର ୨୦୦ ମେଟ୍ରିକ ଟନ ସାର ଦରକାର । ବର୍ତମାନ ୫୦୦ ଟନ୍ ୟୁରିଆ ସାର ଗଚ୍ଛିତ ଅଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରକାଶ କରିଥିଲେ । ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ର ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ ଓ ବିଭିନ୍ନ ଜଳସେଚନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହି ବୈଠକରେ କୃଷି ଓ ଏହାର ଆନୁସଙ୍ଗୀକ ବିଭାଗ ଗୁଡିକର କର୍ମକର୍ତା ମାନେ ଯୋଗ ଦେଇଥିଲେ ।

 

Nalco

Leave A Reply