Odisha news

ପୁଷ୍ଟିକର ବଗିଚା ରେ ରୋଜଗାର କ୍ଷମ ହେବେ ୧୫ ହଜାର ପ୍ରବାସୀ

0

କେନ୍ଦ୍ରାପଡା : କରୋନା ସଂକ୍ରମଣ କଟକଣା ମଧ୍ୟରେ ଜିଲ୍ଲାକୁ ଫେରିଥିବା ପ୍ରାୟ ୪୭ ହଜାର ପ୍ରବାସୀଙ୍କୁ କର୍ମଯୋଗାଣ ଉଦେ୍ଦଶ୍ୟରେ ଓ ଅପପୁଷ୍ଟି ଦୂରପାଇଁ ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ଯୋଜନାର କାର୍ଯ୍ୟକାରିତା ସଂପର୍କରେ ବିଭିନ୍ନ ବ୍ଲକରେ ଚିହ୍ନଟ କରା ଯାଇଥିବା ହିତାଧିକାରୀ ମାନଙ୍କ ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଜଣାପଡିଛି । ଜୀବିକା ମିଶନ ପକ୍ଷରୁ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୫ ହଜାର ଲୋକଙ୍କୁ ବର୍ଷସାରା ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦେ୍ଦଶ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ସଂପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ଉନ୍ନତ ମାନର ଚାରା ଓ ମଞ୍ଜି ପ୍ରଦାନ କରାଯାଇ ବର୍ଷଯାକ ପନିପରିବା, ଶାଗ, ଫଳ ଅଦି ଉତ୍ପାଦନ କରି ସ୍ୱାବଲମ୍ବି କରାଇବା ଲକ୍ଷ୍ୟରେ ଉଦ୍ୟମ ଆରମ୍ଭ କରାଯାଇଛି ।

ଯେକୈାଣସି ପ୍ରବାସୀ ବା ସାଧାରଣ ବ୍ୟକ୍ତି ମାତ୍ର ୨ ଡିସିମିଲ ଜମି ଉପରେ ପରିବାର ଚଳାଇଲା ଭଳି ୧୭ ପ୍ରକାର ପନିପରିବା, ଶାଗ ସମେତ ଲେମ୍ବୁ , ସଜନା, ଅମୃତଭଣ୍ଡା, କଦଳୀ ପ୍ରଭୃତି ଚାଷ କରି ଉତ୍ପାଦନ କରିପାରିବେ । ଜିଲ୍ଲାର ୯ଟି ବ୍ଲକରେ ୧୫ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ନିଜସ୍ୱ ଜମି ନଥିଲେ ଅନ୍ୟ ଜମିରେ ବୁଝାମଣା ସୂତ୍ରରେ ମଧ୍ୟ ଚାଷ କରିପାରିବେ ।

ପ୍ରାରମ୍ଭିକ ଅବସ୍ଥାରେ ବ୍ଲକ ତରଫରୁ ମଞ୍ଜି ଓ ଚାରା ବୃକ୍ଷ ଚିହ୍ନଟ କରାଯାଇଥିବା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବ । ବ୍ଲକରେ ଥିବା କୃଷିମିତ୍ର ମାନେ ଏହି ଫସଲ ଓ ପନିପରିବା ଚାଷର ପଦ୍ଧତି ସଂପର୍କରେ ହିତାଧିକାରୀ ମାନଙ୍କୁ ଅବଶ୍ୟକୀୟ ସହାୟତା ପ୍ରଦାନ କରିବେ । ବ୍ଲକ ତରଫରୁ ମଞ୍ଜି ଓ ଚାରା ବୃକ୍ଷ ପ୍ରଦାନ କରାଯାଇ ଗଛ ଲଗାଇବାର ପ୍ରକ୍ରିୟା ଶେଷ ହେବାପରେ ମନରେଗା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦ ହଜାର ୭୨୯ ଟଙ୍କା ସହାୟତା ରାଶି ସରକାରଙ୍କ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ଜଣାପଡିଛି । ପୃଷ୍ଟିକର ଖାଦ୍ୟ , ଫଳ, ପନିପରିବା ଦ୍ୱାରା ଅପପୁଷ୍ଟିକୁ ରୋକିବା, ପ୍ରବାସୀ ମାନଙ୍କୁ କାମ ଯୋଗଇବା, ଆବଶ୍ୟକ ସ୍ଥଳେ ରୋଜଗାରର ବାଟ ଦେଖାଇବା ପାଇଁ ଏହି ଯୋଜନା ଜୀବିକା ମିଶନ ତରଫରୁ କରାଯାଇଥିବା ଓଡିଶା ଜୀବିକା ମିଶନର କେନ୍ଦ୍ରାପଡା ଜିଲ୍ଲା ପରିଚାଳକ ସତ୍ୟଭାମା ପ୍ରଧାନ ସୂଚନା ଦେଇଛନ୍ତି ।

Nalco
Leave A Reply