ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହାଜତରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) କୋର୍ଟରେ ହାଜର କରିଛି।
ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ମୁଖ୍ୟ ଥିବା ଏହି ୫୫ ବର୍ଷୀୟ ରାଜନେତାଙ୍କୁ ଗୁରୁବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଜାତୀୟ ରାଜଧାନୀର ସିଭିଲ୍ ଲାଇନ୍ସ ଅଞ୍ଚଳର ଫ୍ଲାଗଷ୍ଟାଫ୍ ରୋଡ୍ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରି ଜାତୀୟ ତଦନ୍ତକାରୀ ଏଜେନ୍ସି (ଇଡି) ଗିରଫ କରଥିଲା।
ତଦନ୍ତରେ କେଜ୍ରିୱାଲଙ୍କ ଅସହଯୋଗ ଏବଂ ମଦ ନୀତି ଏବଂ ଅନିୟମିତତା ସଂକ୍ରାନ୍ତରେ ତାଙ୍କ ବ୍ୟକ୍ତିଗତ ଭୂମିକା ଏବଂ ତାଙ୍କ ଦଳର ଭୂମିକା ଜାଣିବା ପାଇଁ ଇଡି ଅଦାଲତରୁ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି। ଇଡି ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନର ଶୁଣାଣି ଆଜି ଅପରାହ୍ନରେ ହେବ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଗିରଫ ହେଇଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ସାଂସଦ ସଂଜୟ ସିଂହ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।