କନ୍ଧମାଳ,୧ା୮, କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦/୧୯୫୧ର ପରିବର୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି, ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଏହି ଉପଲକ୍ଷେ ଆୟୋଜିତ ବୈ÷ଠକରେ ଅଧ୍ୟକ୍ଷତା କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ୱର ରୂପାନ୍ତରିତ ପଞ୍ଜୀକରଣ ଫର୍ମ କାର୍ଯ୍ୟକାରିତାକୁ ଶୁଭ ଉଦ୍ଘାଟନ କରି କହିଲେଯେ, ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ଆହୁରି ସହଜ ହୋଇଗଲା । ଏବେ ନୂଆ ଫର୍ମ ପୂରଣ କରିବା ମଧ୍ୟ ଅହୁରି ସରଳ ହୋଇଗଲା । ଏବେ ଭୋଟର ପରିଚୟ ପତ୍ରକୁ ନିଜର ଆଧାର ସହିତ ସଂଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଡେପୁଟି କଲେକ୍ଟର (ନିର୍ବାଚନ) ବୁନା ପ୍ରଧାନଙ୍କ ଆଲୋଚନାରୁ ଜଣାପଡ଼ିଛି ଯେ, ଏବେ ଫର୍ମ ନଂ-୬ ରେ କେବଳ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବ । ଫର୍ମ ନଂ-୬(କ) ରେ କୋ÷÷ଣସି ପରିବର୍ତନ କରାଯାଇନାହିଁ ।
ଫର୍ମ ନଂ-୬(ଖ)ରେ ଆଧାର ସହିତ ନିଜର ଭୋଟପରିଚୟ ପତ୍ର ସଂଯୋଗ ପାଇଁ ଆବେଦନ କରାଯାଇପାରିବ । ତେବେ, ଏହା ମଧ୍ୟ ବାଧ୍ୟତାମୂଳକ ନୁହେଁ । ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ । ଆସନ୍ତା ଅପ୍ରେଲ ଏକ ତାରିଖ ୨୦୨୩ ମସିହା ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ । ଏହି ଫର୍ମ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ରେ ଅଗଷ୍ଟ ୧ ତାରଖ ପୂର୍ବରୁ ଉପଲବ୍ଧ ହୋଇସାରିଛି । ଫର୍ମ ନଂ-୭ ରେ ସାମାନ୍ୟ ପରିବର୍ତନ କରାଯାଇଛି ।
ଏବେ ନାମ ବାଦ୍ ପାଇଁ ଫର୍ମ ନଂ-୭ ସହ ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ । ଫର୍ମ ନଂ-୮ରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ନିମନ୍ତେ , ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ଆବେଦନ କରିପାରିବେ । ଏବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ପରିବର୍ତେ ୪ ଗୋଟି ଯୋଗ୍ୟତା ସୂଚକ ତାରିଖ ,ଜାନୁଆରୀ ୧ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରଖାଯାଇଛି ବୋଲି ସେ କହିଥିଲେ ।
ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ରାଜନୈତିକଦଳମାନଙ୍କର କର୍ମକର୍ତା, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।