କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଦୟାବିହାର ଠାରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ କଲ୍ୟାଣୀ ପ୍ରକଳ୍ପ ନିରାଶ୍ରୟ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଆଶ୍ରୟ ସ୍ଥଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ୫୩୯ ମାନସିକ ଅନଗ୍ରସର ଶ୍ରେଣୀର ପୁରୁଷ ଓ ମହିଳା ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲତମଣୀ ଜଗଦେବ ଯୋଗ ଦେଇଥିବା ବେଳେ ଚୁପୁରିଙ୍ଗ ସରପଞ୍ଚ ଜଗବନ୍ଧୁ ସେଠୀ,ନୀଳାଚଳ ସେବା ପ୍ରତିଷ୍ଠାନର ପରିଚାଳନା କମିଟିର ସଦସ୍ୟ ପ୍ରଭାସ ଚନ୍ଦ୍ର ସୁନ୍ଦରାୟ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି କେଉଁଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଅଭିଭାଷଣ ପ୍ରଦାନ କରିଥିଲେ। ମାନସିକ ଅନଗ୍ରସର ବିଭାଗର ପ୍ରକଳ୍ପ ସଂଯୋଜକ କୃଷ୍ଣ ଚନ୍ଦ୍ର ନିଶଙ୍କ ଉପସ୍ଥିତ ରହି ମାନସିକ ସ୍ଵାସ୍ଥ୍ୟ ସପ୍ତାହର ମହତ୍ତ୍ଵ ଓ ସଚେତନତା ହେବା ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରକଳ୍ପର ତତ୍ତ୍ୱାବଧାରିକା ଜୟଶ୍ରୀ ସରାଫ ମଞ୍ଚ ପରିଚାଳନା କରିବା ସହ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସୁନ୍ଦର ବାର୍ତ୍ତା ରଖିଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପର ତତ୍ତ୍ୱାବଧାରକ ନିଗମାନନ୍ଦ ବାରିକ, ଚିକିତ୍ସା ମନୋବିଜ୍ଞାନୀ , ପରାମର୍ଶଦାତା,ସାମାଜିକ କର୍ମୀ, ମେଡିକାଲ କର୍ମଚାରୀ ଓ କେୟାର ଟେକର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିଥିଲେ ।