ଫୁଲବାଣୀ, ତା :୬।୧୦-କନ୍ଧମାଳ ଜିଲ୍ଲା ଘରୋଇ ବସ ମାଲିକ ସଂଘ ତରଫରୁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟ କୁ ଲକ୍ଷ୍ମୀ ବସ୍ ଚଳାଚଳ କୁ ବିରୋଧ କରି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ଫୁଲବାଣୀ ବସଷ୍ଟାଣ୍ଡ ରେ ଥିବା ସଂଘର କାର୍ଯ୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ। ଏହି ଅବସରରେ ସଂଘର ଉପସଭାପତି ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ , ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଗତ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା କରିବା ଉଦ୍ଦେଶ୍ୟରେ ଜନହିତକର ଯୋଜନା ନାମରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରି ରାଜ୍ୟ ର ଜଣେ ଏବଂ ରାଜ୍ୟ ବାହାରର ଦୁଇଟି ଘରୋଇ କମ୍ପାନୀକୁ କିମି ପିଛା ୭୦ ରୁ ୭୫ ଟଙ୍କା ଦରରେ ଠିକା ଦେଇ ଏହି ବସ ସେବା ଆରମ୍ଭ କରିଥିଲେ। ସେଥିପାଇଁ ଲୋକଙ୍କ ଠାରୁ ୫ ଟଙ୍କା ଗାଡି ଭଡା ନେଇ ଏହି ସେବା ଆରମ୍ଭ କରିଥିଲେ। ଏହାର ପରିଣାମ ସ୍ୱରୂପ ଦିର୍ଘ ଦିନ ଧରି କୋଟି କୋଟି ଟଙ୍କା ର କ୍ଷତି ସହିବାକୁ ପଡ଼ିଛି। ଏଥି ସହିତ ଏହି ଯୋଜନା ର ପ୍ରଭାବରେ ପୁର୍ବରୁ ଚାଲିଥିବା ଘରୋଇ ବସ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ଏଥିପାଇଁ ଘରୋଇ ବସ ମାଲିକ ମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି। ରାଜ୍ୟ ସରକାର ବ୍ଲକ୍ ଠାରୁ ଜିଲ୍ଲା ମୁଖ୍ୟାଳୟ କୁ କିମି ପିଛା ୯୬ ଟଙ୍କା ରେ ଠିକା ସଂସ୍ଥା ଜରିଆରେ (ଟୁ ଟାୟାର୍) ଦ୍ବିତୀୟ ପର୍ଯ୍ଯାୟ ର ଏହି ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ବିରୋଧ କରି ରାଜ୍ୟ ସଂଘ ଆନ୍ଦୋଳନ କରିଥିଲା। ଯାହାକୁ ବର୍ତମାନର ମୁଖ୍ୟମନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସି ତାଙ୍କ ସରକାର ଆସିଲେ ଏହାକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏହି ସରକାର ପୁଣି ଏହି ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ପରିଣାମ ସ୍ୱରୂପ ଆମକୁ ପ୍ରଭୁତ କ୍ଷତି ସହିବାକୁ ପଡୁଛି। ତେଣୁ ଦାକ୍ଷିଣାଞ୍ଚଳ ଓ ପୁର୍ବାଞ୍ଚଳ ବସ ମାଲିକ ସଂଘ ପକ୍ଷରୁ ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟା ଠାରୁ ଆସନ୍ତା ୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତି କୁ ସମର୍ଥନ କରି କନ୍ଧମାଳରେ ମଧ୍ୟ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି।
