କଣାସ : ରାଜ୍ୟସ୍ତରୀୟ କାୟାକଳ୍ପ ପୁରଷ୍କାର ଆଜି ଘୋଷଣା ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ଚିଠି ସଂଖ୍ୟା ୩୯୧୨ ରେ ଏ ସମ୍ପର୍କରେ ଆଜି ବିଧିବଦ୍ଧ ଘୋଷଣା କରାଯାଇଛି। ପୁରୀ ଜିଲ୍ଲା କଣାସ ବ୍ଲକର ମୋଟ ବାଇଶି ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଏହି ଶ୍ରେୟ ମିଳିଥିବା ଡାକ୍ତର ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏ ବର୍ଷ ସାହୁପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାଦୁଆ ପଞ୍ଚାୟତରେ ଥିବା ସାହାସପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ଜିଲ୍ଲାରେ ପ୍ରଥମ ସ୍ଥାନ ମିଳିଛି। ପ୍ରକାଶ ଥାଉକି ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଂଜୁଲତା ମହାରଣା ସାହାସପୁର ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇବର୍ଷ ହେବ ଦୁଇଶହରୁ ଉର୍ଦ୍ଧ୍ବ ଆନୁଷ୍ଠାନିକ ପ୍ରସବ କରାଇ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ନାଇଟି ଏଙ୍ଗଲ ପୁରସ୍କାର ଗ୍ରହଣ କରିଥିଲେ ।
ଦ୍ଵିତୀୟ ଥର ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରଷ୍କାର ମିଳିଛି । ସବୁ ବର୍ଷ ଭଳି ବ୍ଲକର ସମସ୍ତ ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁନଶ୍ଚ କାୟାକଳ୍ପ ମାନ୍ୟତା ମିଳିଥିବା ବେଳେ ସାହୁପଡା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଚଳିତ ବର୍ଷ ଜିଲ୍ଲାରେ ଶ୍ରେଷ୍ଠ ବିବେଚିତ ହୋଇଛି। ପଞ୍ଚାୟତ ସ୍ତରରେ ଥିବା ଷୋହଳ ଗୋଟି ଆରୋଗ୍ୟ ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ଚଳିତବର୍ଷ କାୟାକଳ୍ପ ମାନ୍ୟତା ମିଳିଛି। ଉପକେନ୍ଦ୍ର ବର୍ଗରେ କ୍ରମନ୍ଵୟରେ ସହାସପୁର, ଗଡ଼ବଡ଼ପୁଟ, ଗଡ଼ସାନପୁଟ, ପଣ୍ଡିଆକେରା, ତିପୁରୀ, ତ୍ରିଲୋଚନପୁର, ବିନ୍ଧଣ, ବକୁ, ପାହୀଲୁଣ୍ଡି, ହରଷପଡା, ଜାଗୁଳେଇପଦର, ଗଡ଼ବଳଭଦ୍ରପୁର, ଝାରଡ଼ା, , ତେଲେଙ୍ଗାପଡା, ଗଡସାହି ଓ କରମଳା ଆଦି ମୋଟ ଷୋହଳଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଥର କଣାସ ବ୍ଲକରେ କାୟାକଳ୍ପ ପୁରଷ୍କାର ମିଳିଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର, ଫର୍ମାସି ଅଫିରସ, ଲାବୋରେଟୋରୀ ଟେକ୍ନିସିଆନ, ସିଏଚଓ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ, ଅଟେଣ୍ଡାଣ୍ଟ, ଆଶାକର୍ମୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟସ ମ୍ୟାନେଜର, ଡାଟା ମ୍ୟାନେଜର, ଓ ଅନ୍ୟାନ୍ୟ ଅଧିକାରୀ ଓ ସେକ୍ଟର ସ୍ତରୀୟ ସୁପରଭାଇଜରଙ୍କୁ ଡାକ୍ତର ରମେଶ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଡାକ୍ତରଖାନାର ରକ୍ଷଣାବେକ୍ଷଣ, ପରିଷ୍କାର ପରିଛନ୍ନତା, ସ୍ଵଛତା ପ୍ରୋତ୍ସାହନ, ଡାକ୍ତରଖାନା ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ପ୍ରତିରୋଧ, ରୋଗୀ ସହଯୋଗୀ ସେବା, ଡାକ୍ତରଖାନା ପରିସର ବାହାର ସହଯୋଗ ଓ ପରିବେଶ ଉପଯୋଗୀ ଡାକ୍ତରଖାନା ଆଦି ଆଠଟି ବିଭାଗୀୟ ମାନଦଣ୍ଡକୁ ଅନୁଧ୍ୟାନ କରା ଯାଇ ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ କାୟାକଳ୍ପ ପୁରଷ୍କାର ପାଇଁ ରାଜ୍ୟ ସ୍ତରରେ ଆକଳନ କରାଯାଇଥାଏ। ଚଳିତ ବର୍ଷ ଫେବୃୟାରୀ ମାସରେ ରାଜ୍ୟସ୍ତରୀୟ ଅନୁଧ୍ୟାନ ଟିମ ଏହି ଆକଳନ କରିଥିଲେ। ସମସ୍ତ କର୍ମଚାରୀଙ୍କୁ ଡାକ୍ତର ରମେଶ ଚନ୍ଦ୍ର ବେହେରା କୃତଜ୍ଞତା ଜଣାଇଛନ୍ତି କଣାସ ବ୍ଲକ ଜିଲ୍ଲାରେ ଉତ୍ତମ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି। ଚଳିତ ବର୍ଷ ସର୍ଭଧିକ କାୟାକଳ୍ପ ପୁରସ୍କାର ପାଇବାରେ କଣାସ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି କାର୍ଯ୍ୟରେ ଆପ୍ରାଣ ଚେଷ୍ଟା କରିଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ ପରିଚାଳନା ୟୁନିଟର ବିପିଏମ ଧନେଶ୍ୱର ସ୍ୱାଇଁଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ବ୍ଲକ ଆକାଉଣ୍ଟସ ମ୍ୟାନେଜର ଶିବପ୍ରସାଦ ଦିକ୍ଷୀତ, କୃଷ୍ଣଚନ୍ଦ୍ର ବରାଳ, ଡାକ୍ତର ବିଶ୍ୱରଞ୍ଜନ ଜେନା, ଦେବାଶିଷ ପ୍ରଧାନ ଓ ସ୍ଵର୍ଣଲତା ରଥଙ୍କୁ ଧନ୍ୟବାଦ ଦେବା ସହିତ ଶୁଭେଛା ଜଣାଇଛନ୍ତି ଡାକ୍ତର ସମ୍ବିତ ରଞ୍ଜନ ଜେନା ।