ଶୁକ୍ରବାର ୫ଟା ସୁଦ୍ଧା ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ଆଶୁ ସମାଧାନ ଉଦ୍ଦେଶ୍ୟରେ ଆସନ୍ତାକାଲି (ଶୁକ୍ରବାର) ସୁଦ୍ଧା ବିଧାନସଭା ଗୃହ ମଧ୍ୟରେ ନିଜ ସଂଖ୍ୟା ଗରିଷ୍ଠତା ବା ଆସ୍ଥାର ପ୍ରମାଣ ଦେବା ପାଇଁ ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ।

ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ବା ଆସ୍ଥା ଭୋଟର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୂରା ବିଧାନସଭା ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ।

ଏତଦ୍ବ୍ୟତୀତ ୧୬ ଜଣ ବିବାଦୀୟ ବିଧାୟକ ଯଦି ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ବା ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିବା ପାଇଁ ବିଧାନସଭାରେ ଯୋଗଦେବାକୁ ଚାହିଁବେ, ତେବେ ସେମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ।