ନିର୍ଭୟା ଦୋଷୀ ମାନଙ୍କୁ ବିଳମ୍ବରେ ଫାଶୀ ମିଳିବା ପ୍ରସଙ୍ଗ ଆଇନର ଗଳାବାଟ ବନ୍ଦ ହେଲେ ରାଜ୍ୟରେ ଅନେକ ପୀଡିତାଙ୍କୁୁ ତ୍ୱରିତ ନ୍ୟାୟ ମିଳିପାରିବ:ବିଜେପି ମହିଳାମୋର୍ଚ୍ଚା
ଆଜି ସତ୍ୟର ବିଜୟ ହୋଇଛି ଏବଂ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ
ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ
ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି
ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର
ଦେଶରେ ଯେତେ ମହିଳା ଓ ନାବାଳିକାଙ୍କ ଉପରେ ଦୁଷ୍କର୍ମ ମାମଲା ବାକି ଅଛି ସେଗୁଡିକୁ ତୁରନ୍ତ ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଶୁଣାଣି କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଉ
ଯେଉଁ ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ
ଭୁବନେଶ୍ୱର, ତା.୨୦/୩: ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ । ବିଳମ୍ବ ହେଲେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ବିଶ୍ୱାସ ରଖିଥିବା ଆମ ସମସ୍ତଙ୍କୁ ନ୍ୟାୟ ମିଳିଛି ଏବଂ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ମିଳିଛି । ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ନିର୍ଭୟା କେସ ରେ ସୁପ୍ରିମକୋର୍ଟ ରାୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ନିର୍ଭୟାଙ୍କ ପିତା ମାତା ଏବଂ ପରିବାର ଲୋକଙ୍କୁ ଆଜି ନ୍ୟାୟ ମିଳିଛି । ନିର୍ଭୟା ପରିବାର ୭ ବର୍ଷ ଧରି ନ୍ୟାୟ ପାଇବା ପାଇଁ ଯେପରି ଲଢେଇ କରିଥିଲେ ତାହା ସମସ୍ତଙ୍କୁ ଏକ ପ୍ରେରଣା ଯୋଗାଇବ । ଆଜି ସତ୍ୟର ବିଜୟ ହୋଇଛି । ଏହି ଦଣ୍ଡ ବିଧାନରୁ ଅନ୍ୟ ଦୁଷ୍କର୍ମକାରୀମାନେ ସତର୍କ ହେବେ ଏବଂ ଏପରି ହୀନ କାର୍ଯ୍ୟ କରିବାରୁ ଦୂରେଇ ରହିବେ ।
ପୋଲିସ ଏବଂ ଆଇନ ବ୍ୟବସ୍ଥାରେ କିଛି ତ୍ରୁଟି ଅବା ଗଳାବାଟ ଥିବାରୁ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ୭ ବର୍ଷ ସମୟ ଲାଗିଗଲା । ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର । ଯେଉଁପରିି ନିର୍ଭୟା କେସ୍ରେ ଅଭିଯୁକ୍ତମାନଙ୍କୁ ଫାଶୀ ମିଳିଛି, ଠିକ୍ ସେହିପରି ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ପୋକସୋ ଆକ୍ଟ ଆଧାରରେ ଫାଶୀ ଦିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ ଅଟେ । ଆଇନର ଗଳାବାଟ ବନ୍ଦ ହେଲେ ନିର୍ଭୟା ପରି ରାଜ୍ୟରେ ଇତିଶ୍ରୀ,ବେବିନା, କୁନ୍ଦୁଳି ପିଡୀତା ଭଳି ଅନେକ ପୀଡିତାଙ୍କୁୁ ତ୍ୱରିତ ନ୍ୟାୟ ମିଳିପାରିବ । ରାଜ୍ୟରେ ଯେଉଁ ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତାପାର୍ଟିର ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।