ୱାଶିଂଟନ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଯୋଗୁ ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ରାଷ୍ଟ୍ରକୁ ପରାମର୍ଶ ଦେଇଛି ଜାତିସଂଘ। କିଛିଦିନ ତଳେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଉପରେ ଜାତିସଂଘର ପ୍ରବକ୍ତା କହିଛନ୍ତି, ଏହି ଘଟଣାରେ କିଏ ମଧ୍ୟସ୍ଥତା କରିବ ତାହା ଭାରତ ଓ ଚାଇନା ଉପରେ ନିର୍ଭର କରେ। ତେବେ ବର୍ତ୍ତମାନ ଉଭୟ ରାଷ୍ଟ୍ର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ବୋଲି ୟୁଏନ୍ ପ୍ରବକ୍ତା କହିଛନ୍ତି।
ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେବାରୁ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଚାଇନା ଓ ଭାରତ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସେ ମଧ୍ୟସ୍ଥତା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ଷମ ଅଛନ୍ତି।
ତେବେ ଦୁଇ ଦେଶ ମଧ୍ୟରେ କିଛିଦିନର ଉତ୍ତେଜନା ପରେ ଗତକାଲି ନରମି ଥିଲା ଚାଇନା। ଭାରତରେ ଥିବା ଚାଇନାର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜିଆନ କହିଥିଲେ, ସୀମା ବିବାଦକୁ ନେଇ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ଦୁଇ ଦେଶର ନେତାଙ୍କ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ସହମତି ରହିଛି ଏବଂ ଦୁଇ ଦେଶ ଆପୋଷ ବୁଝାମଣା ରଖି ଚୁକ୍ତି ପାଳନ କରୁଛନ୍ତି। ଉଭୟ ଦେଶ ସାର୍ବଭୌମ, ଅଖଣ୍ଡତା ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛନ୍ତି।
ତେବେ ଲୋକଦେଖାଣିଆ ଭାବେ ଚୀନ୍ ଏପରି ଘୋଷଣା ପରେ ବି ଥମିନି ଉତ୍ତେଜନା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ୟୁନାଇଟେଡ୍ ନେସନ୍ ବା ଜାତିସଂଘ।
ଭାରତ ଓ ଚାଇନା ମଧ୍ୟରେ ୩୫୦୦ କିମିର ଏଲ୍ଏସି ରହିଛି। ଏହି ସୀମାଗୁଡ଼ିକ ଭାରତର ଲଦାଖ ଓ ଉତ୍ତର ସିକ୍କିମ ସୀମାକୁ ଲାଗି ରହିଥିବାରୁ ଚୀନ୍ ବାରମ୍ବାର ଏହି ସୀମାଗୁଡ଼ିକରେ ଉତ୍ତେଜନା ସୃଷ୍ଟି କରୁଛି। ନିକଟରେ ଦୁଇ ଦେଶର ସେନା ମଧ୍ୟରେ ସାମ୍ନାସାମ୍ନି ହେବା ପରେ ସୀମାରେ ଉଭୟ ଦଶ ସୈନ୍ୟ ସଂଖ୍ୟା ବଢ଼ାଇବାରେ ବ୍ୟସ୍ତ। ଲଦାଖ ଓ ସିକ୍କିମକୁ ଲାଗିଥିବା ଏଲ୍ଏସିରେ ଭାରତୀୟ ଯବାନଙ୍କ ପେଟ୍ରୋଲିଂରେ ଚାଇନା ବାଧା ଦେବାରୁ ଏଭଳି ଉତ୍ତେଜନା ଦେଖା ଦେଇଛି।