ଟୋକିଓ : ଜାପାନ କ୍ୟାବିନେଟ୍ ସଚିବ ୟୋସିହିଦେ ସୁଗା ହେବେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ଏଥିଲାଗି ଲିବରାଲ ଡେମୋକ୍ରାଟିକ ପାର୍ଟି ଓ କ୍ଷେତ୍ରିୟ ପ୍ରତିନିଧିଙ୍କ ନିର୍ବାଚନରେ ସୁଗା ବହୁମତରେ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୫୩୪ଟିରୁ ୩୭୭ଟି ବୈଧ ଭୋଟ ମିଳିଛି।
ତେବେ ୭୧ ବର୍ଷ ବୟସ୍କ ସୁଗା ଏତେ ସହଜରେ ଜାପାନର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି। ତାଙ୍କ ସଂଘର୍ଷମୟ ଜୀବନକୁ ନେଇ ଜପାନରେ ଏବେ ରୋମାଞ୍ଚକ କାହାଣୀ ଶୁଣିବାକୁ ମିଳୁଛି। ଜାପାନର ଅକିତାରେ ସୁଗାଙ୍କ ଜନ୍ମ। ତାଙ୍କ ପିତା ଜଣେ ଷ୍ଟ୍ରବେରୀ ଚାଷୀ। ଆଇନ ପଢିବା ଲାଗି ସୁଗା ରାଜଧାନୀ ଟୋକିଓର ହୋସଇ ୟୁନିଭର୍ସିଟିକୁ ବାଛିଥିଲେ। କାରଣ ଉତ୍କଟ ଅର୍ଥାଭାବରେ ପାଠ ପଢା ଜାରି ରଖିବା ତାଙ୍କ ଲାଗି ସବୁଠୁ ବଡ ଆହ୍ୱାନ ଥିଲା। ରାଜଧାନୀରେ ଛୋଟମୋଟ କାମ ମିଳିଯିବାର ସମ୍ଭାବନାକୁ ଆଖିରେ ରଖି ସେ ଏଠାରେ ପାଠ ପଢିବା ଲାଗି ନିଷ୍ପତ୍ତି ନେଇଥିଲେ।
ପାଠ ପଢା ସହ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ କାର୍ଡବୋର୍ଡ କାରଖାନାରେ ମଧ୍ୟ ସେ ଚାକିରୀ କରୁଥିଲେ। କେବେ କେବେ ମାଛ ହାଟରେ ତାଙ୍କୁ ଲୋକେ ମାଛ ବିକୁଥିବାର ଦେଖିଛନ୍ତି। ବିଶ୍ୱବିଦ୍ୟାଳୟରୁ ପାଠପଢା ଶେଷ ହେବା ପରେ ସେ ଅପର ହାଉସ୍ ନିର୍ବଚନ ଲାଗି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ରାଜନୀତି ସହ ତାଙ୍କର ନା କୌଣସି ସମ୍ପର୍କ ଥିଲା ନା ଏକ୍ଷେତ୍ରରେ ଅଭିଜ୍ଞତା, ତଥାପି ସେ ନିର୍ବାଚନ ମୈଦାନରେ ନିଜକୁ ଓହ୍ଲାଇଦେଇଥିଲେ।
ଲୋକଙ୍କ ଘରକୁ ଘର ବୁଲି ସେ ନିଜ ଲାଗି ନିର୍ବାଚନ ପ୍ରଚାର କରିଥିଲେ। ଦେଶରେ ନିର୍ବାଚନ ଶେଷ ହେବା ବେଳକୁ ସେ ପ୍ରାୟ ୩୦ ହଜାର ଘରେ ପହଞ୍ଚି ପାରିଥିଲେ। ଜାପାନର ବ୍ୟସ୍ତତମ ଷ୍ଟେସନମାନଙ୍କରେ ଲୋକଙ୍କୁ ଭାଷଣା ଦେବାର ପ୍ରଥା ଦେଶରେ ସୁଗା ହିଁ ଆରମ୍ଭ କରିଥିଲେ। ତାଙ୍କର ପ୍ରଚାର ଶୈଳୀ ସେତେବେଳେ ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ମଧ୍ୟ ଦେଶରେ ଅନେକ ନେତା ତାଙ୍କୁ ଅନୁକରଣ କରୁଛନ୍ତି। ଏହି ନିର୍ବାଚନ ଶେଷ ହେବା ବେଳକୁ ସୁଗାଙ୍କ ୬ ହଳ ଜୋତା ଛିଡିଯାଇଥିଲା। ହେଲେ ନିର୍ବାଚନ ତାଙ୍କୁ ଜଣେ ଟାଣୁଆ ନେତା ଭାବେ ଛିଡାକରିବାର ସହାୟକ ହୋଇଥିଲା।