ଡ଼ଃ.ଅରୁନ୍ଧତୀ ଦେବୀ : ଓଡ଼ିଆ ଭାଷା ସାହିତ୍ୟର ପ୍ରତିଥଯଶା ବିଦ୍ୱାନ, ପ୍ରାଜ୍ଞ୍ୟପଣ୍ଡିତ, ସାରସତ୍ୱ ସ୍ରଷ୍ଟା ତଥା ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ମୂର୍ଦ୍ଧନ୍ୟ ସମାଲୋଚକ, ଐତିହାସିକ, ଭାଷା ଆନେ୍ଦାଳନ ସମର୍ପିତ ମୁକ୍ତ ଯୋଦ୍ଧା ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥି ଆଉନାହାନ୍ତି । ୮୩ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ଘଟିଛି । ୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ଜଗତ୍ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାଇ ଶାସନ ଠାରେ ପିତା ବିଦ୍ୟାଧର ଶତପଥି ଓ ମାତା ଦୁର୍ଗାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ଗରାଇରେ (ପିତାମ୍ବରପୁର) ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତୋକୋତ୍ତର ଦୁଇଟିରେ ହିଁ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରିବା ସହ ଶିକ୍ଷା ଶେଷ କରିଥିଲେ । ୧୯୭୬ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସମ୍ମାନର ସହ ପିଏଚ୍ଡି ବା ଡକ୍ଟରେଟ ଲାଭ କରିଥିଲେ । ପରେ ଅଧ୍ୟାପନ ବୃତ୍ତିକୁ ପେଷା ଭାବେ ଗ୍ରହଣ କରିଥିଲେ ।
ଛାତ୍ର ଜୀବନରୁ ତାଙ୍କର ସୃଜନଶୀଳତା ବିଶେଷକରି କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କ ସହଧର୍ମିଣୀ ତଥା ଓଡ଼ିଶାର ବିଶିଷ୍ଟ ମହିଳା କବି ପ୍ରତିଭା ଶତପଥିଙ୍କ ମିଳିତ ସମ୍ପାଦନାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ କବିତା ଗୁଚ୍ଛ “ଆମ କବିତା’ । ପରେ ସେ ଉକ୍ରଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭଳି ଅନେକ ମହାପୁରୁଷଙ୍କ ଜୀବନୀ ରଚନା କରିଥିଲେ । ଭାରତର ଅନେକ ଆଧ୍ୟାତ୍ମିକ ସାହିତ୍ୟ ସ୍ରଷ୍ଟା ଓ ମୁନିଋଷିଙ୍କ ଜୀବନ କାହାଣୀକୁ ନେଇ ସେ ମନଲାଖି ଛୋଟ ଛୋଟ ପୁସ୍ତକ ମଧ୍ୟ ରଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ସମାଲୋଚନା ମୂଳକ ଲେଖା ମଧ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ସ୍ମରଣୀୟ ଅମୃତ ଅମ୍ଳାନ ସୃଷ୍ଟି ଗୁଡ଼ିକ ହେଉଛି “ସତୁରୀରୁ ଶହସ୍ରାଧି’, “କାବ୍ୟ ଦୃଷ୍ଟି, କାବ୍ୟ ବିଚାର’, “କବିତାର ସେତୁ’, “ସବୁଜର ସାମ୍ପ୍ରତିକ’, “ଶାରଳାରୁ ସମ୍ପ୍ରତି’, “ଆଧୁନିକ ଓଡ଼ିଆ ସାହିତ୍ୟ’, “ସତ୍ୟବାଦୀର ଯୁଗ ସ୍ରଷ୍ଟ ଓ ସୃଷ୍ଟି’, “ପ୍ରମୁଖ କବି କତିପୟ’, “ଗଳ୍ପ ଓ ଗାଳ୍ପିକ’, “କାବ୍ୟ ପ୍ରକରଣ’, “ମେଘା ଓଡ଼ିଆ ଔପନ୍ୟାସ ଆଦି କୋଡିଏଟି ଉଚ୍ଚତମ ସମାଲୋଚନା ପୁସ୍ତକ’, “ପତ୍ରିକା ଇସ୍ତାହାର’ ଅନ୍ୟତମ ।
ଓଡ଼ିଆ ଅଧ୍ୟାପନା ସହିତ ସମାଲୋଚନା ସାହିତ୍ୟରେ ସେ ସାରା ଜୀବନ ସାରସ୍ୱତ ସାଧନାକୁ ବ୍ରତ କରିଥିଲେ । ତାଙ୍କର ସମାଲୋଚନା ପୁସ୍ତକ “ସବୁଜରୁ ସାମ୍ପ୍ରତିକ’ ଆଧୁନିକ ଓଡ଼ିଆ କବିତା ଚର୍ଚ୍ଚା କ୍ଷେତ୍ରର ଦିଗବାରେଣୀ ବୋଲି କୁହାଯାଏ । ୧୯୬୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ପୂଜ୍ୟପୂଜା ସଂସଦ ଗଠନ କରିଥିଲେ । ଏହି ଅନୁଷ୍ଠାନର ମୁଖ୍ୟ ଭାବେ ସେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ପର୍କରେ ତେରଟି ଚର୍ଚ୍ଚା ଗ୍ରନ୍ଥ ସଂକଳନ କରିଥିଲେ । ଚାରି ବର୍ଷରେ ସେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀକୁ ପୁସ୍ତକ ଭାବେ “ହେ ସାଥୀ, ହେ ସାରଥି’ ୧୯୬୯ ମସିହାରେ ପ୍ରକାଶ କରିଥିଲେ । ୧୯୮୫ରୁ ଉକ୍ରଳ ବିଶ୍ୱବିଦ୍ୟାଳୟର ସତ୍ୟବାଦୀ ଚେୟାରରେ ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ୍ତ ହୋଇଥିଲେ । ଇସ୍ତାହାର ସାହିତ୍ୟ ପତ୍ରିକାର ସେ ଥିଲେ ସ୍ୱୟଂ ପ୍ରତିଷ୍ଠାତା ସମ୍ପାଦକ । ନିଜ ପତ୍ରିକା ମାଧ୍ୟମରେ ସାହିତ୍ୟର ଦୁଇଟି ଦିଗ ଆଧୁନିକ ସାହିତ୍ୟ ସମାଲୋଚନା ଓ ସୃଜନ ସର୍ଜନାତ୍ମକ ସାହିତ୍ୟ ସ୍ରଷ୍ଟା କ୍ଷେତ୍ରରେ ସେ ଆଲୋଡ଼ନ ସୃଷ୍ଟି କରିପାରିଥିବା ବିପ୍ଳବର ନାୟକ ଥିଲେ । ୧୯୭୯ରେ ତାଙ୍କର ଉଦ୍ୟମରେ ଇମ୍ପାଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶାରଳା ପୁରସ୍କାର ପ୍ରତିଷ୍ଠା ହୋଇଥିଲା । ୧୯୮୫ରେ ସାହିତ୍ୟ ଅନୁଷ୍ଠାନ ସାମ୍ପ୍ରତିକ ପ୍ରତିଷ୍ଠା କରିବା ସହ ବାଙ୍ଗାଲୋର ଦିଲ୍ଲୀ ଠାରେ ଦୁଇଟି ଦୁଇଭାଷିକ ପାଠଚକ୍ର ଆୟୋଜନ କରିଥିଲେ ।
୨୦୦୨ ମସିହାରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ସେ ଗ୍ରହଣ କରିନଥିଲେ । ଶାରଳା ପୁରସ୍କାରର ତାଙ୍କୁ କୁହାଯାଏ ଅନ୍ୟତମ ସୂତ୍ରଧର ଓ ସ୍ରଷ୍ଟା ସମ୍ପାଦକ । ୧୯୮୫ରେ ତାଙ୍କ ଗଠିତ ସାମ୍ପ୍ରତିକ ଅନୁଷ୍ଠାନ ରାଜ୍ୟ ରାଜ୍ୟ ମଧ୍ୟରେ ଦ୍ୱିଭାଷିକ ଆଲୋଚନା କରିଆସୁଥିଲା । ପ୍ରଫେସର ଶତପଥିଙ୍କ ନେତୃତ୍ୱରେ ବାଙ୍ଗାଲୋର ଓ ଦିଲ୍ଲୀର ଯଥାକ୍ରମେ କନ୍ନଡ଼ ଓ ହିନ୍ଦୀ ସାହିତ୍ୟ ସହିତ ୨୩ଜଣ ଓଡ଼ିଆ ସାହିତି୍ୟଙ୍କ ଦ୍ୱିଭାଷିକ ସମ୍ପନ୍ନ ଅନୁଷ୍ଠିତ ହୋଇଥିଲା । ଜୀବନ ତମାମ ସାହିତ୍ୟ ସାଧନାରେ ନିଜକୁ ଉତ୍ସର୍ଗ କରିଥିବା ଏହି ସାରସ୍ୱତ ସ୍ରଷ୍ଟା ୧୯୬୨ରୁ ୧୯୬୯ଯାଏ ରେଭେନ୍ସା ମହାବିଦ୍ୟାଳୟ ଓ ୧୯୬୯ରୁ ୧୯୮୫ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଜର ସୁନାମ ଅର୍ଜନ କରିବା ସହ ଆଜିର ସମୟର ଅନେକ ସାରସ୍ୱତ ଲେଖକଙ୍କୁ ସେ ସୃଷ୍ଟି କରିଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ ।
ତାଙ୍କ ଜୀବନକାଳ ଭିତରେ ବହୁ ସାହିତି୍ୟକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ସେ ଭିତରୁ ଶାରଳା ପୁରସ୍କାର, ପୂଜ୍ୟପୂଜା ସଂସଦ, ସାମ୍ପ୍ରତିକ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆଦି ଅନ୍ୟତମ । ଏହି ଲେଖିକା ପୂଜ୍ୟଶ୍ରୀ କୁମାର ଭାଇଙ୍କ ହାତଗଢ଼ା ଅନୁଷ୍ଠାନ ଅନ୍ତର୍ଜାତିକ ଅଶୋଭନୀୟତା ନୀରୋଧ ଆନେ୍ଦାଳନର ଅନେକ କାର୍ଯ୍ୟକ୍ରମରେ ଶତପଥି ମହୋଦୟଙ୍କ ସାନ୍ନିଧ୍ୟ ଓ ସୁପରାମର୍ଶ ପାଇଛନ୍ତି । ଆନେ୍ଦାଳନର ଅନେକ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିଥିଲେ । ତାଙ୍କର ପ୍ରେରଣା ପାଇଁ ଆନେ୍ଦାଳନ ତାଙ୍କ ପାଖରେ ଚିରସ୍ମରଣୀୟ ହୋଇରହିବ । ତାଙ୍କ ପରଲୋକ ସମୟରେ ସହଧର୍ମିର୍ଣୀ କବି ପ୍ରତିଭା ଶତପଥି ପୁଅ ଅବନିକାନ୍ତ ମହାପାତ୍ର ଓ ଝିଅ ମଧୁବ୍ରତା ଉପସ୍ଥିତ ଥିଲେ । ତାଙ୍କପରି ଜଣେ କୃତବିଦ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ଅମ୍ଳାନ ଆତ୍ମା ପାଇଁ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
