Odisha news

ଦେଶରେ ୨୪ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି : ୯୯୮୩ ଜଣ ସଂକ୍ରମିତ, ୨୦୬ ମୃତ

0

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତି ୨୪ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୯୯୮୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଟପିଯାଇଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ରେ ପହଞ୍ଚିଯାଇଛି। ଏଥିସହିତ ଏହି ମହାମାରୀ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ ଜଣଙ୍କ ଜୀବନ ଭାରତରେ ନେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଗତ ୫ ଦିନ ହେଲା ୯ ହଜାରରୁ ଅଧିକ ରହୁଛି। ଜୁନ୍ ୪ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୦୪ ରହିଥିବାବେଳେ ୫ ତାରିଖରେ ୯୮୫୧, ୬ ତାରିଖରେ ୯୮୮୭, ୭ ତାରିଖରେ ୯୯୭୧ ଏବଂ ୮ ତାରିଖରେ ୯୯୮୩ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଆଶ୍ବାସନର ବିଷୟ ହେଲା ଦେଶରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୩୮୧ ଥିବାବେଳେ ୧,୨୪,୦୯୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କଲେଣି। ତେଣୁ ଦେଶରେ ଏବେ ଆରୋଗ୍ୟ ହାର ୪୮.୩୬ ପ୍ରତିଶତ ରହିଛି। ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରେ ବିଦେଶୀମାନେ ମଧ୍ୟ ସାମିଲ ଅଛନ୍ତି ବୋଲି ସରକାର କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଥିବା ୨୦୬ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୯୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟରେ ୩୦ ଜଣ, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରେ ୧୮ ଜଣ ଲେଖାଏଁ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶରେ ୧୩ ଜଣ ଲେଖାଏଁ, ରାଜସ୍ଥାନରେ ୯ ଜଣ, ହରିଆଣାରେ ୪ ଜଣ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡରେ ୨ ଜଣ ଲେଖାଏଁ ଏବଂ ଓଡ଼ିଶା ଓ ପଂଜାବରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜିର ମୃତ୍ୟୁ ପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୭୧୩୫ରେ ପହଞ୍ଚିଛି। ମୋଟ ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୩୦୬୦ ଜଣ, ଗୁଜରାଟରେ ୧୨୪୯ ଜଣ, ଦିଲ୍ଲୀରେ ୭୬୧ ଜଣ, ମଧ୍ୟପ୍ରଦେଶରେ ୪୧୨ ଜଣ, ପଶ୍ଚିମବଙ୍ଗରେ ୩୯୬ ଜଣ, ଉତ୍ତର ପ୍ରଦେଶରେ ୨୭୫ ଜଣ, ତାମିଲନାଡ଼ୁରେ ୨୬୯ ଜଣ, ରାଜସ୍ଥାନରେ ୨୪୦ ଜଣ ଓ ତେଲେଙ୍ଗାନାରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply