ଭୁବନେଶ୍ୱର,(ନି.ପ୍ର): ସ୍ତ୍ରୀକୁ ଯୌତୁକ ଜନିତ ହତ୍ୟା ଉଦ୍ୟମ ଏବଂ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ରବିବାର ଦିନ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗାନଗର ପ୍ଳଟ ନମ୍ବର-୧୦୧୩ରେ ରହୁଥିବା ଅଜୟ କୁମାର ଜେନା(୪୦) ।
ଅଜୟ ଜେନା ୨୦୧୩ ମସିହାରେ କେଶୁରାର ରିଙ୍କୁ ଜେନାଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ଉଭୟଙ୍କ ମଧ୍ୟରେ ସୁ ସମ୍ପର୍କ ରହି ଆସୁଥିଲା । ମାତ୍ର ଏହି ଗୋଟେ ବର୍ଷ ହେବ କୌଣସି କାରଣକୁ କେନ୍ଦ୍ର କରି ଅଜୟ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଆସି ରିଙ୍କୁଙ୍କୁ ମାଡ ମାରୁଥିଲେ । ମାଡ ମାରିବା ସହ ଯୌତୁକ ଦାବି ମଧ୍ୟ କରି ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।
ଏଥିରେ ଅତିଷ୍ଠ ହେବାପରେ ରିଙ୍କୁ ରବିବାର ଦିନ ଅଜୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁକରି ଅଜୟଙ୍କୁ ସଙ୍ଗେ ସଙ୍ଗେ ଗିରଫ କରି ଯୌତୁକ ଜନିତ ହତ୍ୟା ଉଦ୍ୟମ ଆଦି ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।