Odisha news

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା , କ’ଣ ଚାଲିଛି ଭିତିରିଆ

0

ଭୁବନେଶ୍ୱର,(ନି.ପ୍ର): ଦିନ ପରେ ଦିନ ଗଡି ଚାଲିଛି । ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରୁ କିଭଳି ଭାବେ ପରଦା ହଟୁଛି ତାହା ଜାଣିବାପାଇଁ ଚାହିଁ ରହିଛନ୍ତି ତାଙ୍କ ଅନୁଗାମୀ । କ୍ରାଇମବ୍ରାଞ୍ଚ ତଦନ୍ତ କରିବାର ୨୩ ଦିନ ବିତିଲାଣି କୌଣସି ନିର୍ଜାସ ନିର୍ଗତ ହୋଇନାହିଁ । ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିବାପରେ ଚଳିତମାସ ଦୁଇ ତାରିଖରୁ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ବହୁ ସନ୍ଦିଗ୍ଧଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଆଦିତ୍ୟଙ୍କ ଓକିଲ ଓ ତାଙ୍କ ଅନୁଗାମୀ ମୋବାଇଲ୍ କଲ୍ ଏବଂ ଡିଲିଟ୍ ମେସେଜ୍କୁ ଯାଞ୍ଚ କରିବାପାଇଁ ଦାବି କରିଥିଲେ । ପୋଲିସ ଫେସବୁକ୍କୁ ରିପୋର୍ଟ ତଲବ କରିଥିଲା । ଲୋକପାଇଲଟ୍ ମଧ୍ୟ ତାଙ୍କ ମତ ରଖିଥିଲେ । ଆଦିତ୍ୟ ମୃତ୍ୟୁ ମାମଲାକୁ ଅଧିକ ରହସ୍ୟଭୁକ୍ତ କରିଥିଲା ଲୋକ ପାଇଲଟ୍ଙ୍କ ବୟାନ ।

ରେଳ ଧାରଣାରୁ ଶବ ଜବତ ହେଲା ସତ । ହେଲେ ଦୁର୍ଘଟଣା କି ନୁହେଁ ତାହା ସ୍ପଷ୍ଟ ଜଣା ପଡୁନାହିଁ । ଜିଆର ପୋଲିସ ତଦନ୍ତ କରୁଥିବାବେଳେ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଓଡିଶା ପୋଲିସକୁ ଚାରି ସପ୍ତାହରେ ରିପୋର୍ଟ ତଲବ କରିଥିଲେ । ଆସନ୍ତା ଏକ ତାରିଖ ସୁଧା ମାନବାଧିକାର କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ଓଡିଶା ପୋଲିସ । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚôନଥିବାରୁ କିଭଳି ରିପୋର୍ଟ ଦାଖଲ ହେବ ସେଥି ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ଆଦିତ୍ୟଙ୍କ ଭିସେରା ପରୀକ୍ଷା ରିପୋର୍ଟକୁ ମଧ୍ୟ କ୍ରାମବ୍ରାଞ୍ଚ ପ୍ରତିକ୍ଷା କରିଥିବାବେଳେ ଗତ କେଇ ଦିନ ହେବ ସବୁ ଶିଥଳ ପଡିଯାଇଛି । କ’ଣ ଭିତିରିଆ ଚାଲିଛି ବୋଲି ଆଦିତ୍ୟଙ୍କ ଅନୁଗାମୀଙ୍କ ମନରେ ପ୍ରଶ୍ନ । ମୃତ୍ୟୁ ରହସ୍ୟକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତାହା ସେଭଳି ଭାବେ ଲୋକଙ୍କ ମନରେ ରହିଛି । ତଥାପି କ୍ରାଇମବ୍ରାଞ୍ଚ ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହେବ ବୋଲି ସମସ୍ତଙ୍କ ଆଶା ଓ ବିଶ୍ୱାସ ।

ଅନ୍ୟପକ୍ଷରେ ପିପୁଲ୍ସ ଫର ସେବାର ଅନ୍ତେବାସୀମାନେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ମାନବପ୍ରେମୀ ତ ନାହାନ୍ତି ଆମକୁ ପ୍ରେମ କରିବବା କିଏ ? ଆଦିତ୍ୟ ଯେଉଁଭଳି ଭାବେ ବୟସ୍କ ଲୋକଙ୍କୁ ସ୍ନେହ ଶ୍ରଦ୍ଧା ଓ ପ୍ରେମ ବାଣ୍ଟୁଥିଲେ ତାହା ସେମାନଙ୍କ ପାଇଁ ଏବେ ବି ଅଭୁଲା । ଆଦିତ୍ୟଙ୍କ ବାପା ମା’ ମଧ୍ୟ ପୁଅର ମୃତ୍ୟୁକୁ ନେଇ ବାଟବଣା । ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ନେଇ ଯେଉଁ ଘର ସଂସାର କରିବେ ବୋଲି ଆଶା କରିଥିଲେ ତାହା ଧୂଳିସାତ୍ ହୋଇଯାଇଛି । ସେ ମଧ୍ୟ କୂଳ କିନାରା ପାଉ ନାହାନ୍ତି । ଏହିଭଳି ପରିସ୍ଥିତିରେ ସମସ୍ତେ କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ପ୍ରକଟ କରୁଥିବାବେଳେ ବିଳମ୍ବତାକୁ ନେଇ ଅନୁଗାମୀଙ୍କ ମନରେ ବିଭିନ୍ନ ସନେ୍ଦହ ଉପୁଜିଛି । ବାସ୍ତବରେ କୌଣସି ପ୍ରଭାବଶାଳୀ ଲୋକ ତଦନ୍ତକୁ ପ୍ରଭାବିତ କରୁଛନ୍ତି ନା କ୍ରାଇମବ୍ରାଞ୍ଚ ପକ୍ଷରେ ଆଗକୁ ବଢିବା ଜଟିଳ ହେଉଛି ତାହା ମଧ୍ୟ ଅସ୍ପଷ୍ଟ । ଆଉ କେଇ ଦିନର ଅପେକ୍ଷା ମାନବାଧିକାର କମିଶନରେ ଓଡିଶା ପୋଲିସ ଯେଉଁ ରିପୋର୍ଟ ଦାଖଲ କରିବ ତାହା ବୋଧେ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟର ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply