Odisha news

ମହାମାରୀ କରୋନା ଓ ଶାରଦୀୟ ପାର୍ବଣ ଋତୁ

0

ହିମାଂଶୁ ଶେଖର ଆଚାର୍ଯ୍ୟ : କରୋନା କରୁଛି କଲବଲ । ଅସ୍ତବ୍ୟସ୍ତ ହେଉଛି ଜୀବନ । ଜୀବନ ପାଇଁ ଚାଲିଛି ବିଶ୍ୱବ୍ୟାପି ସଂଘର୍ଷ ଏହି ମହାମାରୀ ପାଇଁ କୈାଣସି ଟୀକା ବା ପ୍ରତିଷେଧକ ବାହାରିପାରିନଥିବାରୁ ଲକ୍ଡାଉନ ଓ ସଟ୍ଡାଉନ୍ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ସୁରକ୍ଷା କବଚ ରୂପେ ସବୁ ଦେଶ ଗ୍ରହଣ କରିଛନ୍ତି ।ଆମ ଦେଶରେ ମଧ୍ୟ ଅନୁରୂପ ଅବସ୍ଥା । ଦିନକୁ ଦିନ କରୋନା ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ନିକଟରେ ଏଥିରୁ ତ୍ରାହି ମିଳିବାର କୈ÷ାଣସି ବାଟ ଦେଖାଯାଉନି ।ଏହି ମହାମାରୀର ପ୍ରତିକୂଳ ପ୍ରଭାବ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର, ଶିଳ୍ପ, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ସ୍ପଷ୍ଟ ବାରି ହୋଇପଡିଛି ।ଖାଲି ସେତିକି ନୁହେଁ, କରୋନାର ପ୍ରଭାବ ଯୋଗୁଁ ପର୍ବପର୍ବାଣିର ଚମକ ହଜିଯାଉଛି । ବିଶେଷକରି ବାର ମାସରେ ତେର ପର୍ବ ପାଳନ ହେଉଥିବା ଆମ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣି କରୋନା କଟକଣା ଭିତରେ ଲୋକମାନଙ୍କ ଠାରୁ ଖୁସି ଛଡାଇନେଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଏବର୍ଷ କିନ୍ତୁ ଗଣେଶ ପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନାହିଁ । ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଛନ୍ତି ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଛି । ଆମ ଦେଶରେ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ,କୋଲକତା, ଗୁକୁରାଟ, ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଗଣେଶ ପୂଜା ମଧ୍ୟ ଆଡମ୍ବର ସହକାରେ ପାଳନ କରାଯାଏ । ସେହିପରି ଆମରାଜ୍ୟରେ ଭୁବନେଶ୍ୱର, ପୁରୀ,କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ରାଉଲକେଲା, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ତଥା ଅନ୍ୟ ଜିଲ୍ଲାମାନଙ୍କରେ ଗଣେଶ ପୂଜା ଜାକ ଜମକରେ ପାଳିତ ହୋଇଥାଏ । କରାନା କଟକଣା ଯୋଗୁଁ ଏବର୍ଷ ସର୍ବସାଧାରଣରେ କୈାଣସି ଅନୁଷ୍ଠାନ ପୂଜା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହଲା । ତେଣୁ ଗଣେଶ ପୂଜାକୁ ଆଉ ପୂର୍ବ ଭଳି ଏବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହୋଇ ପାରିଲାନାହିଁ ।

ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ଆଗକୁ ଆସୁଛି ସାର୍ବଜନୀନ ଦୁର୍ଗା ପୂଜା ।ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଛି । ବର୍ତ୍ତମାନ ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଗଠନ କାର୍ଯ୍ୟ ଜାରି ରହିଛି । ମଣ୍ଡପ ଆୟୋଜନ ଓ ପ୍ରଦର୍ଶନ ପଦ୍ଧତି ସମ୍ପର୍କରେ ସ୍ଥାନୀୟ ତଥା ରାଜ୍ୟର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ପ୍ରଶାସନ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।

କେତେକ ଗାଣିତିକ ମଡେଲ ଅନୁଯାୟୀ ଦେଶ ତଥା ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ଶୀର୍ଷରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ସୁଧାର ଆସିବା ଆକଳନ କରାଯାଉଥିବା ବେଳେ ଅକ୍ଟୋବର ତୃତୀୟ ସପ୍ତାହ(୨୫ତାରିଖ) ଦୁର୍ଗା ପୂଜା ଆୟୋଜନର ଭବିଷ୍ୟତ ଅସ୍ପଷ୍ଟ । କଟକ, ବ୍ରହ୍ମପୁର ସମେତ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା , ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଦୁର୍ଗା ପୂଜା, କାଳୀପୂଜା ଓ ଦୀପାବଳୀ ଧୁମ୍ ଧାମରେ ପାଳନ କରାଯାଏ । ପରବର୍ତ୍ତୀ ପର୍ଯ୍ୟାୟରେ କୁମାର ପୂର୍ଣ୍ଣିମା ୩୧ ଅକ୍ଟୋବର , ଦୀପାବଳୀ ୧୪ ନଭେମ୍ବର ଉସôବ ମହାମାରୀ ଜନିତ ଦୃଢକଟକଣା ଥାଉ ବା ନଥାଉ ପୂର୍ବ ବର୍ଷ ମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ସମ୍ଭବପର ନହେବା ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି ।

କରୋନା ଆଣିଛି ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ । ଏସବୁ ପୂଜାରେ ପୂଜା ମଣ୍ଡପ ଗୁଡିକରେ ମୃଣ୍ମୟ ମୂର୍ତ୍ତି ପୂଜା ପାଇଥାଏ । ଏହି ମୂର୍ତ୍ତି ତିଆରି କରି ବହୁ ସଂଖ୍ୟକ କାରିଗର ନିଜର ଜୀବନ ଜୀବିକା ପାଇଁ ରୋଜଗାର କରିଥାନ୍ତି । ପ୍ରଶାସନିକ କଟକଣା ଆଣିଦେଇଛି ସେମାନଙ୍କ କୈାଳିକ ବୃତ୍ତି ଉପରେ ଶକ୍ତ ଆଘାତ । ବିଭିନ୍ନ ସୁତ୍ରରୁ କରଜ କରି ମୂର୍ତ୍ତି ନିର୍ମାଣରେ ଅର୍ଥ ବିନିଯୋଗ କରିଥିବା ଅଧିକାଂଶ ମୂର୍ତ୍ତି କାରିଗର କେବଳ ଅନାଇ ବସିଛନ୍ତି ଗ୍ରାହକଙ୍କୁ । ପ୍ରସ୍ତୁତ କରିଥିବା ମୂର୍ତ୍ତି ବିକ୍ରୀ ହେବକି ନାହିଁ ସେମାନେ ସନେ୍ଦହ ମଧ୍ୟରେ ରହିଛନ୍ତି ।କାରଣ ଗଣେଶ ପୂଜାରେ ସେମାନେ ତିଆରି କରିଥିବା ଅଧିକାଂଶ ମୂର୍ତ୍ତି ବିକ୍ରି ନହୋଇ ପଡିରହିଛି । ତେଣୁ ଆଗକୁ ଆସୁଥିବା ବିଶ୍ୱକର୍ମା, ଭାଲୁକୁଣୀ ପୂଜା, ଦୁର୍ଗା ପୂଜା, କାଳୀପୂଜା ସମୟରେ ମଧ୍ୟ ଅନୁରୂପ କଟକଣାର ସମ୍ମୁଖୀନ ହେବାକୁ ପଡିପାରେ । ଯାହାଫଳରେ ସେମାନେ ଆର୍ଥିକ ଦୂରବସ୍ଥାର ସମ୍ମୁଖୀନ ହେବା ସମ୍ଭାବନା ରହିଛି

ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି । ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଓଡିଶାର ପର୍ବପର୍ବାଣୀ ବିଭିନ୍ନ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ ।କେତେକ ପର୍ବ କୃଷି ଭିତିକ ହୋଇଥିବା ବେଳେ ଆଉ କେତେକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ପାଳନ କରାଯାଇଥାଏ । ଏହି ସବୁ ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତ୍ତାବରଣ ସୃଷ୍ଟି କରିଥାଏ । ସେହିପରି ସାହି-ସାହି ଓ ବସ୍ତି-ବସ୍ତି ମଧ୍ୟରେ ଏହା ସୁସମ୍ପର୍କ ସୃଷ୍ଟି କରିଥାଏ ।ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶରେ ଆଖିଝଲସିବା ମେଢ, ଶୋଭାଯାତ୍ରା ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜାକୁ ଆହୁରି ସରସ ସୁନ୍ଦର କରିଥାଏ ।

ଏହି ସବୁ ପୂଜାରେ ଜନସାଧାରଣ ଅପେକ୍ଷା କରିଥାନ୍ତି ଭସାଣି ସମୟକୁ । ଭସାଣି ବେଳର ଦୃଶ୍ୟ ଦୁରଦର୍ଶନ ମାଧ୍ୟମରେ ମଧ୍ୟ ପ୍ରଚାର-ପ୍ରସାର ହୋଇଥାଏ ।ଏହାର ଦୃଶ୍ୟ ଅବର୍ଣ୍ଣନୀୟ । ଏଥିସହିତ ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଜନ ସମାଗମ ହୁଏ । ଯାହା ସନ୍ଧ୍ୟା ସମୟରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ । ଆବାଳ-ବୃଦ୍ଧ-ବନିତା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି ।

ଏବର୍ଷ କରୋନା ପାଇଁ ସବୁ ବର୍ଗର ଲୋକ ଯନ୍ତ୍ରଣା ପାଇ ଛଟପଟ ହେଉଛନ୍ତି । ଏଥର ଶାରଦୀୟ ପାର୍ବଣ ଋତୁ କରୋନା ଯୋଗୁଁ ଫିକା ପଡିଛି ।ଆନ୍ତର୍ଜାତିକ ସ୍ତରରେ ଏହି କରୋନା ପ୍ରାୟ ୬ମାସରୁ ଉଦ୍ଧ୍ୱର୍ ସମୟଧରି ଆତଙ୍କିତ କରିରଖିଛି ।ଏହାର ପ୍ରଭାବ ଅନ୍ୟାନ୍ୟ କ୍ଷେତ୍ର ସହିତ ଚଳିତ ବର୍ଷର ପାର୍ବଣ ଋତୁରେ ପଡୁଥିବା ପର୍ବମାନଙ୍କ ଉପରେ ଯଥେଷ୍ଟ ପରିଲକ୍ଷିତ ହୋଇଛି । ଏଇଠି ମନେପଡୁଛି ୧୦୦ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ୍ ଫ୍ଲୁ’ର କଥା । ସେହି ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା ଚଳିତ ବର୍ଷ ସେହି ଇତିହାସର ପୂନରାବୃତ୍ତି ଘଟିଛି । ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ମଉଜ ମଜଲିସ ନୁହେଁ । ଆଜି ନହଲେ କାଲି ଆମେ ଏସବୁ ପର୍ବ ପାଳନ କରିପାରିବା । ଏକଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ ।

Leave A Reply