Odisha news

ଦଶ ବର୍ଷ ପରେ ଶିକ୍ଷା ଅଧିକାର ଆଇନର ସ୍ଥିତି କେଉଁଠି ?

0

ହିମାଂଶୁ ଶେଖର ଆଚାର୍ଯ୍ୟ : କଥାରେ ଅଛି- ପେଟକୁ ଦାନା, ପିଠିକୁ କନା,ମୁଣ୍ଡ ଗୁଞିବାକୁ ବାସ,ରୋଗକୁ ଓଷ ଓ ପଢିବାକୁ ଦି’ଅକ୍ଷର ପାଠ ଜଣେ ନାଗରିକର ସର୍ବନିମ୍ନ ମୌଳିକ ଅଧିକାର । କିନ୍ତୁ କ୍ଷୋଭର ବିଷୟ ସ୍ୱାଧୀନତାର ୭୪ ବର୍ଷ ପରେ ବି ଆମ ଦେଶର ଭବିଷ୍ୟତ ନାଗରିକମାନଙ୍କୁ ଏସବୁ ମୌଳିକ ଅଧିକାର ଅଦ୍ୟାବଧି ମିଳିପାରି ନାହିଁ ।ଏସବୁ ମଧ୍ୟରୁ ଶିକ୍ଷାର ଅଧିକାର ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ମାତ୍ର ଶିକ୍ଷା କ୍ଷେତ୍ରରେ ଏବେବି ଆମେ ବହୁତ ପଛରେ । ଏପରିକି ସାମ୍ବିଧାନିକ ବିଧିବ୍ୟବସ୍ଥା,ଜାତୀୟ ଶିକ୍ଷାନୀତି, ନିରନ୍ତର ଶିକ୍ଷା, କଳାପଟା ଅଭିଯାନ, ଜିଲ୍ଲା ପ୍ରାଥମିକ ଶିକ୍ଷା ଓ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନା ସତ୍ତ୍ୱେ ଭାରତ ନିରକ୍ଷର ଲୋକଙ୍କ ଭୂସ୍ୱର୍ଗ ପାଲଟିଛି କହିଲେ ଭୁଲ ହେବନାହିଁ । ସବୁଠୁ କ୍ଷୋଭର କଥା ଅଦ୍ୟାବଧି ଆମ ଦେଶରେ ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭରୁ ବଞ୍ଚିତ । ଏମାନଙ୍କୁ ସ୍କୁଲକୁ ଆଣିବା ପାଇଁ ଏକ ଆଇନର ଅବଶ୍ୟକତା ଥିଲା । ଭାରତୀୟ ସମ୍ବିଧାନର ୮୬ତମ ସଂଶୋଧନରେ ଏକ ଧାରା ଯୋଗ କରାଯାଇ ୨୦୦୯ ମସିହାରୁ ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି ଓ ଆମ ଦେଶ ତଥା ରାଜ୍ୟରେ ୨୦୧୦ ମସିହା ଏପ୍ରିଲ ପହିଲାରୁ ବହୁ ଚର୍ଚ୍ଚିତ ଏହି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି ।

ଶିକ୍ଷା ଅଧିକାର ଆଇନ ଲାଗୁହେବାର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ଏହାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ଓ ପାଣ୍ଠିର ଅଭାବ ଏହାର ପ୍ରଧାନ କାରଣ । ଏତତ୍ ବ୍ୟତୀତ ଏହି ଯୋଜନା କାର୍ଯ୍ୟକାରୀ ନ ହୋଇ ପାରିବା ପଛରେ ଅନେକ ପ୍ରତିବନ୍ଧକ ରହିଛି । ସେଗୁଡ଼ିକ ହେଲା : (୧) ଏହି ଯୋଜନା ପାଇଁ ୧.୭୧ ଲକ୍ଷ କୋଟି ଟଙ୍କା ଆବଶ୍ୟକ । (୨) ଦେଶରେ ବର୍ତ୍ତମାନ ୧୨ ଲକ୍ଷ ଶିକ୍ଷକ ଥିଲାବେଳେ ଆଉ ୫ ଲକ୍ଷ ଅଧିକ ଶିକ୍ଷକ ଆବଶ୍ୟକ । (୩) ଅଧିକାଂଶ ରାଜ୍ୟ ଏହି ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଅରାଜି । (୪) ଏହା ବାବଦରେ କେନ୍ଦ୍ର ଓ ରାଜ୍ୟ ଅନୁପାତ କେତେ ହେବ ତାହା ଚୂଡାନ୍ତ ହୋଇପାରିନି । (୫) ସରକାର ୬ ରୁ ୧୪ ବର୍ଷ ମଧ୍ୟରେ ଥିବା ୯୨ ଲକ୍ଷ ଶିଶୁଙ୍କୁ କିପରି ଶିକ୍ଷା ଦେବେ କୌଣସି ନିର୍ଦ୍ଦିଷ୍ଟ ଉପାୟ ଖୋଜି ନାହାନ୍ତି । (୬) ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ନେଇ ସେପରି ଅନୁକୂଳ ମନୋଭାବ ପ୍ରକାଶ କରିନାହାନ୍ତି ।

ଶିକ୍ଷା ଅଧିକାର ଆଇନ ଆମ ରାଜ୍ୟରେ କାର୍ଯ୍ୟକାରୀ ହେବା ପରେ ଯେଉଁ ସବୁ ସମସ୍ୟା ଦେଖାଦେଇଛି ତାହା ଏଠାରେ ଆଲୋଚନା କରିବା ଯଥାର୍ଥ ମନେ ହୁଏ । ଏହି ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ଅତି କମ୍ରେ ୨ଲକ୍ଷ ୨୪ହଜାର ୩୩୦ ଜଣ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ । ବଳକା ୧ଲକ୍ଷ ୮ ହଜାର ୪୯୭ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ରାଜ୍ୟ ସରକାର ୭୩ ହଜାର ୭୩୬ ଜଣ ଶିକ୍ଷା ସହାୟକ ଓ ଗଣ ଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଳାଇଛନ୍ତି । ଏବେବି ୩୪ହଜାର ୭୭୯ ଶିକ୍ଷକ ପଦବୀ ଖାଲି ପଡିଅଛି । ସବୁଠୁ ଆଶ୍ଚର୍ଯ୍ୟର କଥା ନିୟମିତ ଶିକ୍ଷକଙ୍କଠାରୁ ୩ ରୁ ୪ ଭାଗ କମ୍ ଦରମାରେ ଏହି ବର୍ଗର ଶିକ୍ଷକମାନେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ ଶିକ୍ଷକମାନେ ସମାନ କାମ କରି ସମାନ ଦରମା ପାଇବାରୁ ବଞ୍ଚôତ ହେଉଛନ୍ତି । ଏହା ଶିକ୍ଷକମାନଙ୍କ ଭିତରେ ଜାତିଭେଦ ସୃଷ୍ଟି କରିବା ସହ ଗୁଣାତ୍ମକ ଶିକ୍ଷାରେ ବାଧକ ସାଜିଛି । ଗୋଟିଏ ପଟେ ସରକାର ଖାଲିଥିବା ହଜାର ହଜାର ଶିକ୍ଷକ ପଦବୀ ପୂରଣ କରିପାରୁନଥିବା ବେଳେ ଶିକ୍ଷା ଅଧିକାର ଆଇନ ଅନୁସାରେ ଅଧିକ ଶିକ୍ଷକ ନିଯୁକ୍ତି କଲେ ସେ ବାବଦ ଅଧିକ ଅର୍ଥ କିପରି ଭରଣା କରିବେ ତାହା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହୋଇ ରହିଛି ।

ଶିକ୍ଷା ଅଧିକାର ଆଇନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ସ୍କୁଲମାନଙ୍କରେ ତାଲିମପ୍ରାପ୍ତ ଶିକ୍ଷକ ରହିବେ । ତା’ନହେଲେ ସେମାନେ ଚାକିରି ହରାଇବେ । ଘରୋଇ ସି.ଟି ଓ ବି.ଏଡ୍ ଉଠିଯିବା ପରେ ସରକାରୀ ସ୍ତରରେ ଏସବୁ ଟ୍ରେନିଂ ପାଇଁ ଜିଲ୍ଲା ଭିତ୍ତିରେ ଯେତିକି ସ୍ଥାନ ରହିଛି ତାହା ପର୍ଯ୍ୟାପ୍ତ ନୁହେଁ । ଫଳରେ ଏତେ ସଂଖ୍ୟକ ତାଲିପ୍ରାପ୍ତ ଶିକ୍ଷକ ଆସିବେ କେଉଁଠୁ? ସବୁଠାରୁ ବଡକଥା ହେଲା ଏହି ଆଇନରେ କେନ୍ଦ୍ର ସରକାର ଶିଶୁ ଶ୍ରମିକମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିନାହାନ୍ତି । ଆମ ଦେଶରେ ଏବେବି ୯୦ ଲକ୍ଷ ଶିଶୁ ଶ୍ରମିକ ପେଟପାଟଣା ପାଇଁ ବିପଜ୍ଜନକ କ୍ଷେତ୍ରରେ ଖଟୁଛନ୍ତି । ସେମାନଙ୍କ ଉପାର୍ଜନରେ ଦରିଦ୍ର ପରିବାର ମଧ୍ୟ ଚଳୁଛିି । ଆମ ରାଜ୍ୟରେ ଏମାନଙ୍କ ସଂଖ୍ୟା ୪ ଲକ୍ଷ ୩୯୯ । ତେଣୁ ଏହି ଶିଶୁମାନଙ୍କୁ ଥଇଥାନ କରି ସ୍ୱତନ୍ତ୍ର ବ୍ୟବସ୍ଥା ଜରିଆରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି । ଏତଦ୍ବ୍ୟତୀତ ଏହି ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବେ । କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସରକାରୀ ନିୟମକୁ ମାନୁନାହାଁନ୍ତି ।

ଫି ଆଦାୟ ଠାରୁ ଆରମ୍ଭ କରି ନାମଲେଖା ପ୍ରର୍ଯ୍ୟନ୍ତ ସବୁଠି ଅଭିଭାବକମାନେ ଶୋଷଣର ଶିକାର ହୋଇଛନ୍ତି । ରାଜ୍ୟର ସହରାଞ୍ଚଳରେ ଥିବା ଘରୋଇ ବିଦ୍ୟାଳୟ ସରକାରଙ୍କ ଏହି ନିୟମକୁ ଆଖିମିଟିକା ମାରୁଥିବା ଲକ୍ଷ୍ୟ କରାଯାଉଛି । ଅବସ୍ଥା ଏଭଳି ହୋଇଛି ଖୋଦ୍ ରାଜଧାନୀରେ ପ୍ରଥମ ଶ୍ରେଣୀରେ ନାମ ଲେଖିବା ପାଇଁ ଅଭିଭାବକ ମାନଙ୍କଠାରୁ ୫୦ ରୁ ୭୦ ହଜାର ଟଙ୍କା ଆଦୟ କରାଯାଉଛି । ଏପରିକି ଓଡ଼ିଆ ମାଧ୍ୟମ ଘରୋଇ ଶିକ୍ଷାନୁଷ୍ଠାନ ବି ପ୍ରଥମ ଶ୍ରେଣୀର ନାମ ଲେଖିବା ପାଇଁ ୧୫ ରୁ ୨୫ ହଜାର ଟଙ୍କା ନେଉଛନ୍ତି ।

ଏପରିସ୍ଥଳେ ସରକାର ଘରୋଇ ଶିକ୍ଷାନୁଷ୍ଠାନ ଉପରେ କେତେଦୂର ଅଙ୍କୁଶ ଲଗାଇ ପାରିବେ ତାହା ଉପରେ ଶିକ୍ଷା ଅଧିକାର ଆଇନର ସଫଳତା ଅନେକାଂଶରେ ନିର୍ଭର କରୁଛି ।

ଶିକ୍ଷା ଅଧିକାର ଆଇନର ପ୍ରମୁଖ ଅଙ୍ଗ ହେଲା ସର୍ବଶିକ୍ଷା ଅଭିଯାନ । ୨୦୦୧-୨୦୦୨ ମସିହାରୁ ଆମ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲାଣି । ଏ ଦିଗରେ ୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ଶିକ୍ଷା କ୍ଷେତ୍ରରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇପାରିନି । ଫଳରେ “ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ” ସ୍ଳୋଗାନ ବସ୍ତୁତଃ ସ୍ଳୋଗାନରେ ରହିଯାଇଛି । ଏକ ହିସାବରୁ ଜଣାଯାଏ ଓଡିଶାରେ ୬ ରୁ ୧୪ ବର୍ଷ ମଧ୍ୟରେ ମୋଟ ୬୫ ଲକ୍ଷ ୨୮ ହଜାର ୩୫୬ ଜଣ ଶିଶୁଙ୍କ ମଧ୍ୟରୁ ପ୍ରାୟ ୩ ଲକ୍ଷ ୫୧ ହଜାର ୧୪୭ ଜଣ ଶିଶୁ ସ୍କୁଲ ଘର ଦେଖିନାହାଁନ୍ତି । ଏସବୁ ପିଲା କିପରି ସ୍କୁଲ ଆସିବେ ତାହା ଗୁରୁତର ସହ ଚିନ୍ତା କରାଯିବା ଜରୁରୀ । ଅନ୍ୟ ଏକ ସମସ୍ୟା ହେଲା ସରକାର ଯଥା ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ଯୋଗାଇବାରେ ବିଫଳ ହୋଇଛନ୍ତି ।

ଏବେ ସାରା ବିଶ୍ୱରେ କରୋନାର ଭୟ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ମନା । ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନ୍ଲାଇନରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ସୁବିଧା ସବୁ ପିଲାଙ୍କ ପାଖରେ ପହଁଚି ପାରୁନାହିଁ । ନିକଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଘୋଷଣା କରାଯାଇଛି । ତେବେ ଏହା ଆମ ଅସଜଡା ଶିକ୍ଷା ବ୍ୟବସ୍ଥା ସଜାଡିବାରେ କେତେ ସଫଳ ହେବ ତାହା ସମୟ କହିବ !
ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାପାଇଁ ପାଞ୍ଚବର୍ଷିଆ ଅବଧି ଗତ ୨୦୧୫ ମସିହା ଏପ୍ରିଲ ପହିଲାରେ ଶେଷ ହୋଇଯାଇଛି । ତେବେ ଏ ଦିଗରେ ଆଖିଦୃଶିଆ ସଫଳତା ହାସଲ ହୋଇପାରିନାହିଁ । ତେବେ ଭବିଷ୍ୟତରେ ଏହି ଆଇନ ତାର ଲକ୍ଷ୍ୟ ପୂରଣ ଦିଗରେ କେତେ ଦୂର ସଫଳ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ ରୁପେ ଉଭା ହୋଇଛି । ସେ ଦୃଷ୍ଟିରୁ ଏହି ଆଇନର ସଫଳ ରୂପାୟନ ପାଇଁ ଦୃଢ ଇଚ୍ଛାଶକ୍ତି ଓ ଆନ୍ତରିକତା ସରକାରୀସ୍ତରରେ ରହିବା ଦରକାର ।

Leave A Reply