Odisha news

ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାରତକୁ ଭୁବନେଶ୍ବର ନୂଆ ସଂସ୍ଥାନ ଦେଇଛି। ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ଡାଟା ସେଣ୍ଟର ଉଦ୍‌ଘାଟନ କରାଯାଇଛି। ସାଇବର ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍‌ଘାଟିତ ହୋଇଯାଇଛି। ଆଜିର ଦିନଟି ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଆଜିର କାର୍ଯ୍ୟକ୍ରମ ହେଉଛି ଏହାର ପ୍ରମାଣ। ଜଟଣୀରେ ଆରବିଆଇ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବ୍ୟବସ୍ଥା ଖୁବ୍‌ ଶୀଘ୍ର ଆଗକୁ ଅଗ୍ରସର ହେଉଛି। ସ୍ବାଧୀନତା‌ ପରେ ଦେଶରେ ବଡ଼ବଡ଼ ହସ୍‌ପିଟାଲ, ବିମାନବନ୍ଦର ନିର୍ମାଣ ହୋଇଛି। କିନ୍ତୁ ଛୋଟ ସହରେ ଭିତ୍ତିଭୂମି ବହୁ ଅସୁବିଧା ଥିଲା। ପାଣି, ରେଳବାଇ ଯୋଗାଯୋଗର ‌ଘୋର ଅଭାବ ଥିଲା। ବିକାଶକୁ ପ୍ରାଥମିକତା ଦିଆଯାଉଥିବା ବେଳେ ବିସ୍ତାର ମଧ୍ୟ ଗୁରୁତ୍ବ ଦିଆଯାଉଛି। ଛୋଟ ସହରକୁ ଭାରତୀୟ ରେଳବାଇ ଯୋଡୁଛି। ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଡାଟା ସେଣ୍ଟରର ଭୂମିକା ନେଇ ପ୍ରଧାନମନ୍ତ୍ରୀ ବିସ୍ତୃତ ଚର୍ଚ୍ଚା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଜିର ଉଦଘାଟନୀ କାର୍ଯ୍ୟକ୍ରମର ବ୍ୟାପକ ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ, ଏହି କାର୍ଯ୍ୟକ୍ରମ ଦେଶର ପ୍ରଶାସନିକ ଆଭିମୁଖ୍ୟରେ ଆସିଥିବା ମୌଳିକ ପରିବର୍ତ୍ତନକୁ ଦର୍ଶାଉଛି। ବର୍ତ୍ତମାନର ଶାସନ ବ୍ୟବସ୍ଥା ବିକାଶକୁ ପ୍ରାଥମିକତା ଦେବା ସହିତ ଏହାର ପରିମାଣକୁ ବିସ୍ତାର କରିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଲାଭ ପହଞ୍ଚାଇବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରୁଛି। ଆଜିର କାର୍ଯ୍ୟକ୍ରମ ଭାରତରେ ଶାସନର ଆଭିମୁଖ୍ୟ ପ୍ରତି ଆସିଥିବା ପରିବର୍ତ୍ତନର ପ୍ରମାଣ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଜନକଲ୍ୟାଣକାରୀ, ସକ୍ରିୟ ଏବଂ ସୁଶାସନର ମଡେଲ ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହା ଗରିବଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଦେବା ସହିତ ଜଣେ ହେଲେ ନାଗରିକ ଯେପରି ସେବାରୁ ବଞ୍ଚିତ ହେବେ ନାହିଁ ତାହା ସୁନିଶ୍ଚିତ କରୁଛି। ଛୋଟ ସହରଗୁଡ଼ିକୁ ଏବେ ଏକ୍ସପ୍ରେସ ୱେ ସଂଯୋଗ ହେଉଛି। ଏକାଧିକ ରାଜ୍ୟରେ ଏମ୍ସ ଭଳି ପ୍ରତିଷ୍ଠାନ ଖୋଲିଛି । ଛୋଟ ସହରରେ ମଧ୍ୟ ମେଡ଼ିକାଲ କଲେଜ ଖୋଲାଯାଉଛି। ଗାଁଗୁଡ଼ିକରେ ପ୍ରାୟ ୧.୭୫ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି ଏବଂ ଉପାନ୍ତ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗ ପହଞ୍ଚି ପାରିଛି। ନାଗରିକମାନଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ନୂତନ ସୁଯୋଗ ଯୋଗାଇ ଦେବା ବର୍ତ୍ତମାନ ପ୍ରଶାସନର ପ୍ରକୃତ ଉଦ୍ଦେଶ୍ୟ ପାଲଟିଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଅତୀତର ଏକ ମୌଳିକ ସମସ୍ୟା ପ୍ରତି ଆଲୋକପାତ କରି କହିଥିଲେ, ୬୦ ଏବଂ ୭୦ ଦଶକରେ ଗରିବଙ୍କ ନାଁ ନେଇ ବ୍ୟାଙ୍କଗୁଡ଼ିକର ରାଷ୍ଟ୍ରୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ। ମଧ୍ୟବିତଙ୍କ ପାଇଁ ବ୍ୟାଙ୍କ ଋଣ ଦୂରସ୍ୱପ୍ନ ପାଲଟିଥିଲା। ଚାଷୀ, ଭୂମିହୀନ ଏବଂ ମହିଳାଙ୍କ ପାଇଁ ତ’ ପରିକଳ୍ପନା ବାହାରେ ଥିଲା। ହେଲେ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ନୂତନ ଯୁଗ ସାରା ଦେଶରେ ଏହି ପରିଦୃଶ୍ୟକୁ ବଦଳାଇ ଦେଲା ବୋଲି ସେ ଉଲ୍ଲେଖ କରିଥିଲେ । ଆଜି ଭାରତରେ ଡିଜିଟାଲ ବ୍ୟାଙ୍କିଂ ସମସ୍ତଙ୍କୁ ୨୪ ଘଣ୍ଟିଆ ବ୍ୟାଙ୍କ ସେବା ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ।

ଆଜି ଡିଜିଟାଲ୍ ବ୍ୟାଙ୍କିଂ ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାର ଗୋଟିଏ ଗୋଟିଏ ହିତାଧିକାରୀ ପାଲଟିଛନ୍ତି ବୋଲି ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ। ସେ ଆହୁରି କହିଥିଲେ, ବ୍ୟବସ୍ଥାରେ ଥିବା ସମସ୍ତ ପ୍ରକାରର ବାଟମାରଣାକୁ ଏବେ ବନ୍ଦ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରତ୍ୟେକ ଟଙ୍କା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଦେଶରେ ଖୋଲାଯାଇଥିବା ପ୍ରାୟ ୬୦ କୋଟି ‘ଜନ ଧନ’ ଖାତା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ, ଆଜି କୌଣସି ବନ୍ଧକ ରଖିପାରୁନଥିବା ବ୍ୟକ୍ତି ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବା ଲାଗି ସୁଲଭ ଆନୁଷ୍ଠାନିକ ଋଣ ପାଇପାରୁଛନ୍ତି । ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ବଳରେ କ୍ଷୁଦ୍ର ଉଦ୍ୟୋଗୀ, ପାରମ୍ପରିକ କାରିଗର, ରାସ୍ତାକଡ଼ ବିକ୍ରେତା ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସମୃଦ୍ଧ ହେଉଛନ୍ତି। ମୁଦ୍ରା ଯୋଜନା ଅଧୀନରେ ୧୩ କୋଟି ଲୋକ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଛନ୍ତି। ଲକ୍ଷ ଲକ୍ଷ ରାସ୍ତାକଡ଼ ବିକ୍ରେତା ଏବଂ କୁଶଳୀ କାରିଗର ପିଏମ୍‌ ସ୍ୱନିଧି ଏବଂ ପିଏମ୍‌ ବିଶ୍ୱକର୍ମା ମାଧ୍ୟମରେ ଆନୁଷ୍ଠାନିକ ଋଣ ପାଇଛନ୍ତି । ୧୦ କୋଟି ଗ୍ରାମୀଣ ମହିଳାଙ୍କ ପ୍ରତିନିଧିତ୍ୱ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ସହାୟତା ପାଇଛନ୍ତି। ପ୍ରଥମ ଥର ପାଇଁ ଏମାନେ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗର ଲାଭ ପାଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡଗୁଡ଼ିକ ଏକଦା ଧନୀମାନଙ୍କ ପାଇଁ ସ୍ୱତନ୍ତ୍ର ରୂପେ ସଂରକ୍ଷିତ ଥିଲା । ଏବେ ରୂପେ କାର୍ଡ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହା ସେମାନଙ୍କ ଲାଗି ଆତ୍ମସମ୍ମାନ ଏବଂ ସ୍ୱାବଲମ୍ବନର ପ୍ରତୀକ ପାଲଟିଛି। ଏହି ପରିବର୍ତ୍ତନ ପାଇଁ ବ୍ୟାଙ୍କ ସେବା କ୍ଷେତ୍ରର ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କେନ୍ଦ୍ରୀୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଏବଂ ଦେଶବ୍ୟାପୀ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ସାମୂହିକ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ଦଶନ୍ଧି, ବ୍ୟାଙ୍କ ସେବାକୁ ସେହି ଲୋକମାନଙ୍କ ପାଖରେ ପହଞ୍ଚାଇଥିଲା ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ। ଆଗାମୀ ଦଶନ୍ଧି ବ୍ୟାଙ୍କ ସେବାକୁ ଅଧିକ ଦକ୍ଷ ଓ ଅଧିକ ଭରସାଯୋଗ୍ୟ କରିବା ଲାଗି ଉଦ୍ଦିଷ୍ଟ। ଓଡ଼ିଶାର ନୂଆ ଡାଟା ସେଣ୍ଟର ଏବଂ ଦୃଢ଼ କମ୍ପ୍ୟୁଟିଂ ସିଷ୍ଟମ ଏଥିରେ ସହାୟକ ହେବ। ଆଧୁନିକ ଯୁଦ୍ଧରେ ନୂଆ ନୂଆ ସାଇବର ବିପଦ ମାଧ୍ୟମରେ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ସେ କହିଥିଲେ, ପ୍ରଗତିଶୀଳ ଆର୍ଥିକ ଶକ୍ତିଗୁଡ଼ିକ ନିଜର ଅର୍ଥବ୍ୟବସ୍ଥାକୁ ସାଇବର ଲୁଟେରା ଏବଂ ସାଇବର ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ଉଚିତ । ପୁରୁଣା ତାଲିମ ଉପକରଣଗୁଡ଼ିକ ପରିବର୍ତ୍ତେ ଆଧୁନିକ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ସହିତ ଏହାର ମୁକାବିଲା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଠାରେ, ଏହି ନୂତନ ସାଇବର ସୁରକ୍ଷା ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତକୁ ଏକ ଶକ୍ତିଶାଳୀ ବିକାଶ ଇଞ୍ଜିନ୍‌ ରୂପେ ଅଭିହିତ କରିଥିଲେ। ସେ କହିଥିଲେ, ବର୍ତ୍ତମାନର ରାଜ୍ୟ ସରକାରଙ୍କ ସମୟରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହୋଇଛି। ରାଜ୍ୟରେ ପାରମ୍ପରିକ ଖଣି ଆଧାରିତ ଶିଳ୍ପ ସହିତ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର ଏବଂ ଆଡଭାନ୍ସ କମ୍ପ୍ୟୁଟିଂର ଏକ ନୂତନ ଶିଳ୍ପ ପରିବେଶ ସୃଷ୍ଟି ହେଉଛି। ଏହା ଖଣିରୁ ମାଇକ୍ରୋଚିପ୍‌ ପର୍ଯ୍ୟନ୍ତ ଶିଳ୍ପ ବିକାଶର ଏକ ନୂତନ ଭବିଷ୍ୟତ ନିର୍ମାଣ କରିବ। ଏସବୁ ନୂଆ ଦିଗ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ଉନ୍ମୁକ୍ତ କରିବ ଏବଂ ସେମାନଙ୍କ ବଡ଼ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଶେଷରେ ସେ ସମସ୍ତଙ୍କୁ ଜୟ ଜଗନ୍ନାଥ ଧ୍ୱନି ସହ ପାର୍ବଣର ଶୁଭକାମନା ଜଣାଇଥିଲେ। ‘‘ଆପଣମାନେ ଦେଖିବେ, ଓଡ଼ିଶା ମାଇନ୍ସ (ଖଣି) ଠାରୁ ନେଇ ମାଇକ୍ରୋଚିପ୍‌ ପର୍ଯ୍ୟନ୍ତ, ଭବିଷ୍ୟତରେ ଏକ ନୂତନ ଗାଥା ଲେଖିବାକୁ ଯାଉଛି,’’ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ପାଇଁ ବିକାଶ ଗୁରୁତ୍ବପୂର୍ଣ୍ଣ। ସହର ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। ଗରିବ ପରିବାର ମଧ୍ୟ ସମ୍ମାନର ବଞ୍ଚିବା ଆମର ଅନ୍ୟ ଲକ୍ଷ୍ୟ। ସମାରୋହରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

Ad2
Leave A Reply