ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ ନେଇ ଗାଡ଼ି ପୋଡ଼ା , ଅଟକ ବ୍ୟକ୍ତିଙ୍କୁ ଛାଡ଼ିବା ଓ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ : ପୁଲିସକୁ ଢେଲା ମାଡ଼, ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସର ଲାଠିଚାର୍ଜ
ହିଞ୍ଜିଳିକାଟୁ, ୨୩ା୮ (ନି.ପ୍ର.): ଶୁକ୍ରବାର ବିଳମ୍ବିତ ରତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଭାବେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି କିଛି ଦୁବୃର୍ତ ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର ଓ ୨ଟି ବାଇକୁ ପୋଡ଼ିଦେବା ସହ ଏକ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଉକ୍ତ ଘଟଣାରେ ଶନିବାର ସକାଳେ ଆସିକା ଏସଡ଼ିପିଓ, ହିଞ୍ଜିଳି ଥାନା ଆଇଆଇସି, ହିଞ୍ଜିଳି ଅତିରିକ୍ତ ତହସିଲସଦାର ଓ ପୁରୁଷୋତମପୁର ରାଜସ୍ୱ କର୍ମଚାରୀ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଥିଲେ । ରାମକୃଷ୍ଣ ବରଡ଼ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୮୯/୨୦ ରେ ଏକ ମାମଲା ରୁଜୁ କରାଯାଇଥିଲା ।
ରବିବାର ଭୋରରୁ ହିଞ୍ଜିଳି ପୁଲିସ ପ୍ରଶାସନ ସଂପୃକ୍ତ ଗ୍ରାମର ୫/୭ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ସଂପୃକ୍ତ ଘଟଣାରେ ଲିପ୍ତ ନଥିବା ଗ୍ରାମର ନିରୀହ ଲୋକଙ୍କୁ ହିଞ୍ଜିଳି ପୁଲିସ ଉଠାଇ ନେଇଥିବା ବେଳେ ସେମାନଙ୍କ ମୁକ୍ତ କରିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବି ଅଭିଯୋଗ କରି ଗ୍ରାମର ଶତାଧିକ ଲୋକ ରବିବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଗ୍ରାମବାସୀ ନିଜ ଜିଦରେ ଅଟଳ ରହିବା ସହ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ପରିସ୍ଥିତି ଅଣାୟତ ଦିଗକୁ ଗତି କରୁଥିବା ବେଳେ ଖବର ପାଇ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଶେରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ଦାଶ, ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ପମୁଖ ହିଞ୍ଜିଳି ଥାନାରେ ପଂହଚିଥିଲେ ।
ପ୍ରଶାସନ ପକ୍ଷରୁ ସଂପୃକ୍ତ ଧାରଣାକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହ ଉପସ୍ଥିତ ବିକ୍ଷୋଭକାରୀଙ୍କ ଯୁକ୍ତିତର୍କ ଦେଖା ଦେଇଥିଲା । ପରିସ୍ଥିତି ବିଗିଡ଼ିବାରୁ ପୁଲିସ ମୃଦୁ ଲାଠି ଚାଳନା କରିଥିଲା । ଜବାବରେ ବିକ୍ଷୋଭକାରୀ ମାନେ ପୁଲିସ ପ୍ରଶାସନ ଉପରକୁ ଢେଲା ମାଡ଼ କରିଥିଲେ । ପରିସ୍ଥିତି ଉତେଜନାପୁର୍ଣ୍ଣ ହେବାରୁ ଉପସ୍ଥିତ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ସକାଶେ ଲାଠି ଚାଳନା କରିଥିଲା । ଲାଠି ଚାଳନା ପରେ ଘଟଣା ସ୍ଥଳରୁ ବିକ୍ଷୋଭକାରୀ ମାନେ ଛତ୍ରଭଙ୍ଗ ଦେଇଥିଲେ ।
ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହ ପୁଲିସ ପ୍ରଶାସନ ଓ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଥାନା ପରିସରରେ ସମାଧାନର ପନ୍ଥା ବାହାର କରିବା ସକାଶେ ବିଚାର ବିମର୍ଶ ଚଲାଇଥିଲେ । ଖବର ଲେଖା ହେବା ସୁଦ୍ଧା କୌଣସି ସମାଧାନାର ପନ୍ଥା ନିର୍ଣ୍ଣୟ ହୋଇ ପାରିନାହିଁ । ସଂପୃକ୍ତ ଗ୍ରାମରେ ଉତେଜନା ଲାଗି ରହିଛି । ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ପୁଣି ଏକ ବଡ଼ ଧରଣର ଆନ୍ଦାଳନ ମୁଣ୍ଡ ଟେକିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।
ଏ ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହ ଘଟଣା ନେଇ ଆଲୋଚନା କରାଯାଇଛି । ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କ ମାଧ୍ୟମରେ ଅଟକ ବ୍ୟକ୍ତିଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।