ମଦ୍ୟପାନରୁ ଉନ୍ମତ୍ତ କାଣ୍ଡ: ସାଙ୍ଗକୁ କୋଡ଼ି ବେଣ୍ଟରେ ହତ୍ୟା କଲା ସାଙ୍ଗ: ହତ୍ୟାକାରୀ ଅଟକ, ସାଇଣ୍ଟିଫିକ ଟିମର ତଦନ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରଚୁର ମଦ୍ୟପାନ ପରେ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ପରେ ଘଟଣା ଉଗ୍ରରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଶେଷରେ ହିତାହିତ ଜ୍ଞାନ ଭୁଲି ଯାଇ ଜଣେ ସାଙ୍ଗ ଅନ୍ୟ ଜଣଙ୍କୁ ଉତକ୍ଷିପ୍ତ ହୋଇ ଅତି ନିର୍ଦ୍ଦୟ ଭାବେ କୋଡି ବେଣ୍ଟରେ ପ୍ରଚଣ୍ଡ ଆକ୍ରମଣ କରି ନୃଶଂସ ହତ୍ୟା କରିଛି। ମୃତକ ଜଣକ ହେଲେ ବିଜୟ କୁମାର ପାଣିଗ୍ରାହୀ(୪୬)। ଆକ୍ରମଣକାରୀ ରାମକୃଷ୍ଣ ସାହୁ(୩୩)ଙ୍କୁ ପୋଲିସ କାବୁକରି ଥାନାକୁ ଆଣି ଅଟକ ରଖିଛି। ଘଟଣା ପରେ ସାଇନଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ କୋଡି ବେଣ୍ଟ ଓ ଏକ ରକ୍ତଭିଜା ଅଖା ଜବତ କରି ଘଟଣାର ଛାନଭିନ୍ ଚଳାଇଛି। ମୃତକଙ୍କ ବାପା ସାହେବ ପାଣଗ୍ରାହୀଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ୩୯/୨୪ରେ ଏକ ମାମଲା ରୁଜୁ କରି ଘଟଣାର ସର୍ଜମିନ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ରାମକୃଷ୍ଣ ଓ ବିଜୟ ଶୁକ୍ରବାର ରାତିରେ ପ୍ରଚୁର ମଦ୍ୟପାନ କରିବା ପରେ ରାମକୃଷ୍ଣ ଘରେ ଶୋଇ ପଡ଼ିଥିଲେ ପରେ ବିଦମ୍ବିତ ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଘଟଣା ଉଗ୍ରରୂପ ଧାରଣ କରି ଦୁହେଁ ହତାହାତୀ ହୋଇଥିଲେ ।ହଟାତ ଉତକ୍ଷିପ୍ତ ହୋଇ ରାମକୃଷ୍ଣ ଘର ଭିତରେ ଥିବା ଏକ କୋଢିବେଣ୍ଟ ରେ ବିଜୟଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା ଫଳରେ ବିଜୟ ରକ୍ତ ଜୁଡୁବୁଡୁ ହୋଇ ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଘର ବାହାରକୁ ଆସି ପଡିଶା ଘର ସାମ୍ନାରେ ପଡି ଯାଇଥିଲେ ।ଏଠାରେ ବିଜୟଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ଆକ୍ରମଣକାରୀ ରାମକୃଷ୍ଣ ଙ୍କୁ ଘର ଭିତରୁ ପୋଲିସ କାବୁ କରି ଥାନା ରେ ଅଟକ ରଖି ଘଟଣାର ପଚରା ଉଚୁରା କରୁଥିବା ଜଣାପଡ଼ିଛି।ଖବର ପାଇ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମା ଶଙ୍କର ସିଂ, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି, ଏଏସଆଇ ମନୋଜ ସେନାପତି ଓ ସାଇଣ୍ଟିଫିକ ଅଧିକାରୀ ପ୍ରଭାତୀ ପଟ୍ଟନାୟକ ଓ ଟିମ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଏକ ରକ୍ତ ଭିଜା ଜରିଅଖା ଓ କୋଢ଼ିବେଣ୍ଟକୁ ଜବତ କରିଛନ୍ତି।ଅନ୍ୟ ପକ୍ଷରେ ମୃତ ବିଜୟଙ୍କ ପାଖରେ ଥିବା ଟଙ୍କାକୁ କେନ୍ଦ୍ରକରି ରାମକୃଷ୍ଣ ଏଭଳି ନାରକୀୟ କାଣ୍ଡ କରିଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି କିନ୍ତୁ ଧାରଟଙ୍କାକୁ କେନ୍ଦ୍ରକରି ବିଜୟଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।ଅଭିଯୁକ୍ତ ରାମକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠି ସୂଚନା ଦେଇଛନ୍ତି।