ରାଜନଗର : ବଉଳାକୁମ୍ଭୀରଙ୍କ ଭୂସ୍ୱର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା 1811କୁ ବୃଦ୍ଧି ପାଇଛି। ଅର୍ଥ।ତ୍ ଗତବର୍ଷ ଠାରୁ ଚଳିତ ବର୍ଷ 18 କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଚଳିତ ବର୍ଷ ଭିତରକନିକାରେ କନିକା ରେଞ୍ଜ ରେ ପାଟ୍ଟଶାଳାମାଉଥରୁ ଏଫଆରଏଚଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଦେଖିବାକୁ ପାଇଛି।
ଚଳିତ ମାସ ୧୦ ତାରିଖରୁ ୧୨ ତାରିଖ ଯାଏଁ ୩ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ. ସୁଧାକର କରଙ୍କ ନେତୃତ୍ବରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ। ଏହି ଗଣନା ସମୟରେ ୫୮୨ ଟି କୁମ୍ଭୀରଶାବକ (ଛୁଆ) ଅର୍ଥ।ତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର,୩୮୭ଟି ବର୍ଷିକିଆ ଛୁଆ ଅର୍ଥ।ତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୨୭ ଟି ଦୁଇ ବର୍ଷିଆ ଛୁଆ ଅର୍ଥ।ତ୍ ୩ ରୁ ୬ ଫୁଟିଆକୁମ୍ଭୀର, ୧୬୭ ଟି ୪ ରୁ ୫ ବର୍ଷର ଅର୍ଥ।ତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଥିସହ ବଡ କୁମ୍ଭୀର ଅର୍ଥ।ତ ୮ ଫୁଟରୁ ଅଧିକ ଲମ୍ବର ୩୪୮ଟି ଗଣନା ବେଳେ ଠାବ କରାଯାଇଛି ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି | ସକାଳେ ଓ ସଂଧ୍ୟାରେ ଏହି କୁମ୍ଭୀର ମାନଙ୍କ ଗଣନା କରାଯାଇଥିଲା। ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣାନା କରାଯାଇଥିଲା। ୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି। ହୁଲିଡଙ୍ଗା ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟ ଭାଗ୍ୟରେ କରାଯାଇଥିବା ଏକ ସର୍ଭେ ରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା। ଏହାପରେ କୁମ୍ଭୀର ମାନଙ୍କର ବଂଶବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍.ଆର୍. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତମାନ ଏହି ସଂଖ୍ୟା ୧୮୧୧ରେ ପହଁଚିଛି। କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି |