ଡାକ୍ତର ଶୁଭଶ୍ରୀ ମିଶ୍ର (ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ, ପୁରୀଘାଟ ରୋଡ଼, କଟକ ): ବାନ୍ଧବୀ ଅପର୍ଣ୍ଣା ସେ ଦିନ ସୁଦୂର ନାଗାଲାଣ୍ଡରୁ କଥା ହେଲାବେଳେ ଦୁଇଚାରି ଥର ତା ଛିଙ୍କ ମୁଁ ଶୁଣିପାରିଲି । ତା ସ୍ୱାମୀ ନାଗାଲାଣ୍ଡର ସେନା ରେଜିମେଣ୍ଟରେ ଭାରତୀୟ ପଦାତିକ ବାହିନୀର ଜଣେ ଅଫିସର ଭାବେ କାର୍ଯ୍ୟରତ । ନାଗାଲାଣ୍ଡ ପରି ଥଣ୍ଡା ପରିବେଶ କିନ୍ତୁ ମୁଁ ତାକୁ ପାଠପଢ଼ା ବେଳୁ ଜାଣିଛି ଛାତ୍ରାବାସରେ ସେ ରହିଲା ବେଳେ ମଧ୍ୟ ସାମାନ୍ୟ ଧୂଳି ବା ଧୂଅାଁ ସଂସ୍ପର୍ଶରେ ଆସିଲେ ଅସ୍ୱସ୍ତି ଅନୁଭବ କରି ଛିଙ୍କି ଥାଏ । ମୁଁ ତାକୁ ସବିଶେଷ ବୁଝାଇ ଏହା ଆଲର୍ଜିକ ରାଇନାଇଟିସ୍ ବୋଲି କହିଲି । ଆମ ସମସ୍ତଙ୍କ ଶରୀରରେ ରୋଗ ସହିତ ଲଢ଼େଇ କରିବାର ଏକ ପ୍ରତିରୋଧ ବ୍ୟବସ୍ଥା କାମ କରେ । ବ୍ୟାକ୍ଟେରିଆ ବା ଭାଇରସ୍ ଭଳି କ୍ଷତିକାରକ ଉପାଦାନ ଆମ ଶରୀରରେ ପ୍ରବେଶ କଲାମାତ୍ରେ ଶରୀରର ଇମୁ୍ୟନ ସିଷ୍ଟମ ସେହି ଉପାଦାନଗୁଡ଼ିକୁ ଚିହ୍ନଟ କରିବା ସହିତ ପ୍ରତିରୋଧ କରନ୍ତି । କିନ୍ତୁ ଅନେକ ସମୟରେ ଆମ ଇମୁ୍ୟନ ସିଷ୍ଟମ୍ ବୁଝିପାରେ ନାହିଁ ଯେ କେଉଁ ଜିନିଷଟା ଶରୀର ପାଇଁ କ୍ଷତିକାରକ । ଧୂଳି, ମଇଳା, ପଶୁ-ପକ୍ଷୀଙ୍କ ଲୋମ, ପୋକ କିମ୍ବା ବିଶେଷ କିଛି ଖାଦ୍ୟରୁ ଯେ ଆମ ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ ତାହା ବୁଝିହୁଏନାହିଁ । ଫଳରେ ଆଲର୍ଜି ସୃଷ୍ଟି ହୁଏ । ଅର୍ଥାତ୍ ଶରୀର ସେହି ସବୁ ଜିନିଷକୁ ଗ୍ରହଣ କରିପାରେ ନାହିଁ । ଧୂଳି, ମଇଳା, ପଶୁପକ୍ଷୀଙ୍କ ଲୋମ ଆଦିରୁ ତ୍ୱଚା, ଆଖି ବା ନାକରେ ଆଲର୍ଜି ହୋଇପାରେ । ଏହି ପରିପ୍ରେକ୍ଷୀରେ ଜାଣିରଖନ୍ତୁ ଯେ ଆଲର୍ଜିକ୍ ରାଇନାଇଟିସ୍ ହେଉଛି ନାକର ଏକ ବିଶେଷ ପ୍ରକାର ଆଲର୍ଜି ।
ନାକରେ ଆଲର୍ଜି ସୃଷ୍ଟି ହେଲାମାତ୍ରେ ଲଗାତର ଛିଙ୍କ ହୁଏ । ନାକ, ଆଖି ଓ ଗଳା ଭିତର କୁଣ୍ଡେଇ ହୁଏ । ନାକ ବନ୍ଦ ହୋଇଯାଏ । ଆଖିରୁ ପାଣି ବାହାରେ । ବର୍ଷର ବିଶେଷ କିଛି ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଗଲେ ତାହାକୁ କୁହାଯାଏ ସିଜନାଲ ଆଲର୍ଜିକ୍ ରାଇନାଇଟିସ୍ । ବର୍ଷ ସାରା ଏଭଳି ଲକ୍ଷଣ ଦେଖାଗଲେ ତାହାକୁ କୁହାଯାଏ ପେରେନିଆଲ୍ ଆଲର୍ଜିକ୍ ରାଇନାଇଟିସ୍ ।
ସାଧାରଣ ସର୍ଦ୍ଦି କାଶ ସହିତ : ପାର୍ଥକ୍ୟ – ଜୀବାଣୁ ବା ଭୂତାଣୁ ଆଦିରୁ ଯେମିତି ସର୍ଦ୍ଦି ଥଣ୍ଡା, ହୁଏ ସେମିତି ଧୂଳି, ଧୂଆଁ ଭଳି ବିଭିନ୍ନ ଆଲର୍ଜି ସୃଷ୍ଟି କରୁଥିବା ଉପାଦାନରୁ ମଧ୍ୟ ଆଲର୍ଜିକ୍ ରାଇନାଇଟିସ୍ ଦେଖାଯାଏ । ଦୁଇଟି ଯାକ ସମସ୍ୟାରେ ନାକରୁ ପାଣି ବାହାରେ, ଛିଙ୍କ ହୁଏ, ଆଖି କୁଣ୍ଡେଇ ହୁଏ, ନାକ ବନ୍ଦ ହୋଇଯାଏ । କିନ୍ତୁ ଆଲର୍ଜିକ ରାଇନାଇଟିସ୍ର କେତୋଟି ବଡ଼ ଲକ୍ଷଣ ଅଛି ଯେଉଁଗୁଡ଼ିକ ଏହାକୁ ସର୍ଦ୍ଦି କାଶରୁ ପୃଥକ କରିଥାଏ । ଆଲର୍ଜିକ୍ ରାଇନାଇଟିସ୍ରେ ଜ୍ୱର ବା ଶରୀରରେ ବ୍ୟଥା ହୋଇଥାଏ । ନାକରୁ ଯେଉଁ ସର୍ଦ୍ଦି ବାହାରେ ତାହା ପାଣି ଭଳି ପତଳା ହୋଇଥାଏ । ହଳଦିଆ କିମ୍ବା ସବୁଜ ରଙ୍ଗର ହୋଇନଥାଏ । ଛିଙ୍କରୁ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ବହୁତ ଥର ଛିଙ୍କ ହୋଇଥାଏ । ନାକ, କାନ ଓ ତଣ୍ଟି ଖୁବ୍ ଜୋରରେ କୁଣ୍ଡେଇ ହୁଏ । ଆଖିରୁ ପାଣି ବାହାରେ । ସାଧାରଣ ସର୍ଦ୍ଦି-କାଶ ତୁଳନାରେ ଏହି ସମସ୍ୟା ଅଧିକ ଦିନ ଧରି ଥାଏ ।
ଯେଉଁସବୁ ଜିନିଷରୁ ଆଲର୍ଜି ହେଉଛି ସେଗୁଡ଼ିକ ଏଡ଼ାଇ ଚାଲିବା ସବୁଠାରୁ ଭଲ । ଲୋମଶ କୁକୁର ବା ଅନ୍ୟ କୌଣସି ପୋଷା ଜୀବଜନ୍ତୁଙ୍କୁ ଏଡ଼ାଇ ଚାଲନ୍ତୁ । ଘରେ ଜୀବଜନ୍ତୁ ଥିଲେ ବେଡ଼ରୁମ୍ରୁ ଦୂରେଇ ରଖନ୍ତୁ । ଘରେ ଧୂମପାନ ନକରିବା ଭଲ । ଘରର କାନ୍ଥରେ ଡ୍ୟାମ୍ପ ଧରିଯାଇଥିଲେ ବା ପ୍ୟାଚ୍ ଥିଲେ ହାଲକା ବ୍ଲିଚ୍ର ମିଶ୍ରଣରେ ପରିଷ୍କାର କରନ୍ତୁ । ଏହାର ଚିକିତ୍ସା ହେଉଛି ଆଲର୍ଜିକ୍ ରାଇନାଇଟିସ୍ର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଔଷଧ ଅଛି । ବୟସ ଓ ଲକ୍ଷଣ ଅନୁସାରେ ଡାକ୍ତର ଔଷଧ ପ୍ରେସ୍କ୍ରାଇବ କରନ୍ତି । ତେବେ ସାଧାରଣ ଭାବେ ଆଲର୍ଜିକ୍ ରାଇନାଇଟିସ୍ ଚିକିତ୍ସା ପାଇଁ କେତେଗୋଟି ପଦ୍ଧତି ବ୍ୟବହାର କରାଯାଏ । ଆଣ୍ଟିହିଷ୍ଟାମିନ୍ : ଟ୍ୟାବ୍ଲେଟ, ସିରପ୍ ଓ ନାଜାଲ ସ୍ପ୍ରେ ଫର୍ମରେ ଆଣ୍ଟିହିଷ୍ଟାମିନ୍ ଉପଲବ୍ଧ । ଆଲର୍ଜିକ୍ ରାଇନାଇଟିସ୍ର ବିଭିନ୍ନ ଲକ୍ଷଣ ନିୟନ୍ତ୍ରଣ କରିବା ପାଇଁ ଆଣ୍ଟିହିଷ୍ଟାମିନ୍ ଭଲ କାମ ଦେଇଥାଏ । ଯେମିତିକି – କର୍ଟିକୋଷ୍ଟେରୟେଡ଼ : ରାଇନାଇଟିସ୍ ପାଇଁ ନାଜାଲ କର୍ଟିକୋଷ୍ଟେରୟେଡ଼୍ ସ୍ପ୍ରେ ସବୁଠାରୁ ଭଲ । ଡିକନ୍ଜେଷ୍ଟାଣ୍ଟସ୍ : ନାକ ବନ୍ଦ ହୋଇଯିବା ଭଳି ସମସ୍ୟା କମାଇଥାଏ ।
ତେବେ ନାଜାଲ ସ୍ପ୍ରେ ଡିକନ୍ଜେଷ୍ଟାଣ୍ଟସ ତିନିଦିନରୁ ଅଧିକ ବ୍ୟବହାର କରିବା ଉଚିତ ନୁହେଁ । ଛିଙ୍କୁ ଥିବାବେଳେ ପରିଷ୍କାର ଓ ବିଷୋଧିତ କଟନର ରୁମାଲ ବ୍ୟବହାର କରନ୍ତୁ । ଏହା ଯେପରି ଖରାରେ ଭଲ ଭାବରେ ଶୁଖିଥାଏ ସେ ଦିଗକୁ ଦେଖନ୍ତୁ । ପାଖରେ ଦୁଇ ତିନୋଟି ଏକ୍ସର୍ଟା ରୁମାଲ ରଖିବା ଭଲ । ଧୂଳି, ଧୂଅାଁ, ଥଣ୍ଡାଖାଦ୍ୟ, ଆବଦ୍ଧ କୋଠରୀ, ଶୀତତାପ ନିୟନ୍ତ୍ରିତ ଘର ଏସବୁ ଠାରୁ କିଛି ସମୟ ଦୂରେଇବା ଭଲ । ମୁକ୍ତ ପବନ ଓ ଖୋଲା ବାୟୁ ଆତଯାତ ହେଉଥିବା ଜାଗାରେ କିଛି ସମୟ ବସନ୍ତୁ ।