ହାଟଡିହି: ଆମ୍ବୋ ବାଲିଘାଟକୁ ନେଇ କରଗୋଳା ଗ୍ରାମବାସୀ ଓ ପୁଲସ ମୁହାଁ ମୁହିଁ ହେବା ସହ ଗାଡି ଭଙ୍ଗାରୁଜା ଓ କିଛି ଗ୍ରାମବାସୀ ଆହତ ହୋଇଥିବା ଜଣାଯାଇଛି । ଏନେଇ ପୁଲିସ କି ପ୍ରଶାସନ ମୁହଁ ଖୋଲୁ ନଥିବାବେଳେ ସଠିକ ତଥ୍ୟ ମିଳିପାରି ନାହିଁ । ଖବରରୁ ଜଣାଯାଇଛି ଯେ ଆମ୍ବୋ କରଗୋଳା ବାଲି ଘାଟକୁ ନେଇ ଗତ କିଛି ମାସ ହେଲା ବିବାଦ ଲାଗି ରହିଛି । ଆମ୍ବୋ ବାଲିଘାଟକୁ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇଥିବାବେଳେ କରଗୋଳା ଗ୍ରାମବାସୀମାନେ ସେମାନଙ୍କ ସୀମାରୁ ବାଲି ଉତ୍ତୋଳନ କରିବାକୁ ମନା କରିବା ସହିତ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ । ପ୍ରଶାସନ ସୀମା ଚିହ୍ନଟ କରି ବାଲି ଉଠାଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଥିଲେ । ଫଳରେ ଦୀର୍ଘ କିଛିମାସ ଧରି ଘାଟରୁ ବାଲି ଉଠାଣ ବନ୍ଦ ହୋଇଯାଇଥିଲା । ଆଜି ହାଟଡିହି ତହସିଲଦାର ପୁଲିସ ଫୋର୍ସ ସହିତ ବାଲିଘାଟରେ ପହଞ୍ଚି ମାପଚୁପ କରିବା ସମୟରେ ଗ୍ରାମବାସୀଙ୍କ ସହିତ ଉଚ୍ଚବାଚ ହୋଇଥିଲା । ପୁଲିସ କିଛି ଗ୍ରାମବାସୀଙ୍କୁ ଅଟକ ରଖିଥିବାବେଳେ ତହସିଲଦାର ରାତିସୁଧା ଗାଁ ଲୋକଙ୍କ ସହିତ ସମାଧାନ ପାଇଁ ଆଲୋଚନା କରିଥିଲେ । ରାତି ୭ଟାବେଳେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ହେବା ସହ ପୁଲିସ ଗାଡି ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି । ଏ ସମ୍ପର୍କରେ ତହସିଲଦାର, ନନ୍ଦିପଦା ଥାନା ଅଧିକାରୀ ପ୍ରମୁଖଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ ସୁଇଜ ଅଫ ଥିବାରୁ କୌଣସି ମତାମତ ମିଳିପାରି ନାହିଁ ।