ଭୁବନେଶ୍ୱର,(ନି.ପ୍ର): ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ଜଣେ ଟ୍ରାଫିକ୍ ହାବିଲଦାର ସମାଜ ପାଇଁ ଉଦାହରଣ ସାଜିଛନ୍ତି । କାର୍ଯ୍ୟରେ ଥିବା ଅବସ୍ଥାରେ ବି ସେ ନିଜ ମାନ ସମ୍ମାନକୁ ଖାତିରି ନକରି ଓ ଜନସାଧାରଣଙ୍କ ସୁରକ୍ଷା ସହ ଦୁର୍ଘଟଣାକୁ ଏଡାଇବା ପାଇଁ ସର୍ବସାଧାରଣରେ ରାସ୍ତାରେ ଝାଡୁମାରି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ନେଇ ତାଙ୍କୁ ପୋଲିସ ବିଭାଗ ଠାରୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ପ୍ରଶଂସା କରିଛନ୍ତି ।
ଏଭଳି ପ୍ରଶଂସା କାମକୁ ନେଇ ହାବିଲଦାର ଲଳିତ ମୋହନ ରାଉତଙ୍କର ସମାଜସେବା ଓ କର୍ତ୍ତବ୍ୟନିଷ୍ଠତା ଯୋଗୁଁ ପୋଲିସ କମିଶନର ଡ. ସୁଧାଂଶୁ ଷଢ଼ଙ୍ଗୀ ମଙ୍ଗଳବାର ପୋଲିସ ସେବା ଭବନଠାରେ ଏକ ହଜାର ଟଙ୍କା ଆର୍ଥôକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । ଏଭଳି କାମକରି ପୋଲିସ ବିଭାଗ ପାଇଁ ଏକ ଗୌରବ ଘଟଣାକୁ ନେଇ ସମସ୍ତ ପୋଲିସ ଅଧିକାରୀମାନଙ୍କୁ ଭବିଷ୍ୟତରେ ଏଭଳି କାର୍ଯ୍ୟ ବଜାୟ ରଖିଲେ ପୋଲିସ ବିଭାଗ ଗୌରବ ହେବ ବୋଲି କହିଛନ୍ତି ।
ସୂଚନା ଥାଉକି, କଟକ ଶିଖରପୁର ଟ୍ରାଫିକ ଛକରେ ରାସ୍ତା କଡ଼ରେ ବଜୁରୀ/ ଚିପ୍ସ ପଡ଼ି ରହି ରାସ୍ତାକୁ ଅବୋରଧ କରୁଥିଲା । ଗତ ୧୭ ତାରିଖ ଦିନ ଠିକ ଅପରାହ୍ନ ୪ଟା ସମୟରେ ଏହି ଟ୍ରାଫିକ ଛକରେ ଯାନବାହାନ ଯିବା ରାସ୍ତାରେ ପ୍ରବଳ ଭିଡ଼ ଜମିଯାଇଥିଲା । ଟ୍ରାଫିକ ନିୟନ୍ତ୍ରଣ କଣ୍ଟ୍ରୋଲ ବାହାରେ ଥିଲା । ସେତିକି ବେଳେ ହାବିଲଦାର ଲଳିତ ମୋହନ ରାଉତ କର୍ତ୍ତବ୍ୟରତ ଥିଲେ ।
ରାସ୍ତାରେ କିଛି ଅଂଶ ବଜୁରୀ ବା ଗୋଡି ଅବରୋଧ କରିଥିବା ଜାଣି ସେ କାଳେ ବିଳମ୍ବ ନ କରି ବା ଅନ୍ୟ କାହାରିକୁ ନ ଜଣାଇ ରାସ୍ତାରେ ଝାଡୁ ମାରିବା ଆରମ୍ଭ କରି ବଜୁରୀ ଓ ଚିପ୍ସକୁ ହଟାଇଥିଲେ । ତାଙ୍କର ଏହି ଦାୟିତ୍ୱବୋଧତା ଓ ସମାଜ ସେବାରେ ମନୋବୃତ୍ତି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କୁ ମଙ୍ଗଳବାର ଦିନ ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ କମିଶନରେଟ୍ ମୁଖ୍ୟାଳୟକୁ ଡ଼ାକି ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ ଓ ଟ୍ରାଫିକ ଡ଼ିସିପି ସୌମ୍ୟା ମିଶ୍ରଙ୍କ ଉପସ୍ଥିତିରେ ହାବିଲଦାର ଲଳିତଙ୍କୁ ଏକ ହଜାର ଟଙ୍କା ଅର୍ଥରାଶି ଦେଇ ସମ୍ମାନିତ କରିଛନ୍ତି ।