Odisha news

ଯୁବକ ଗିରଫ : ଦୁଇ ବନ୍ଧୁକ,୧୦ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର,(ନି.ପ୍ର): ରାଜଧାନୀର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍ପାଟ୍ କରି ଅପରାଧୀମାନେ ଆତଙ୍କ ଖେଳାଉଛନ୍ତି । ବିଶେଷକରି ଚୋରା ବନ୍ଧୁକ ପାଖରେ ରଖି ଲୋକଙ୍କୁ ଡରାଉଛନ୍ତି । ଏମିତିକି ଆବଶ୍ୟକସ୍ଥଳେ ଗୁଳି ଫୁଟାଇବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଭରତପୁର ଥାନା ପୋଲିସ ଚଢ଼ାଉ କରି ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବାବୁଜାନ୍ ଖାଁ(୨୩) । ବାବୁ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରହିଆସୁଛି । ତା’ ଠାରୁ ୨ଟିବନ୍ଧୁକ, ୧୦ଟି ଅଫୁଟାଗୁଳି ଜବତ ହୋଇଛି । ଏ ନେଇ ପୋଲିସ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ୧୧ଟା ସମୟରେ ଭରତପୁର ଥାନା ପୋଲିସ ଏସ୍ଆଇ ମାନସ ରଞ୍ଜନ ମଲ୍ଲିକ ତାଙ୍କ ଟିମ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେ ଖବର ପାଇଥିଲେ, ବାବୁଜାନ ଖାଁ ନାମକ ଜଣେ ଅପରାଧୀ ଭରତପୁର କୋଳଥିଆ ପଡ଼ିଆ ଆଡ଼େ ବନ୍ଧୁକ ନେଇଯାଉଛି । ଏତିକିବେଳେ ଏସ୍ଆଇ ମାନସ ପୋଲିସ ଟିମ୍ ନେଇ କୋଳଥିଆ ପଡ଼ିଆ ଅଭିମୁଖେ ଯାଇଥିଲେ । ସେଠାକୁ ଯିବା ପରେ ବାବୁଜାନ୍ ଛିଡ଼ା ହୋଇଥିଲା ପରେ ଯୋଜନା କରି ପୋଲିସ ଟିମ୍ ପଡ଼ିଆର ଚାରିପଟୁ ଘେରିଯାଇଥିଲେ । ପୁଲିସକୁ ଦେଖି ବାବୁଜାନ୍ ଖସିଯିବାକୁ ଉଦ୍ୟମ କରୁଥିଲା । ହେଲେ ହାବିଲଦାର ବଙ୍କିମ ପରିଡ଼ା, କନ୍ଷ୍ଟେବଳ ଜି. ମାର୍ଥା, ଜେ. ଖାରା ତାକୁ ମାଡ଼ିବସିଥିଲେ ।

ପରେ ତାକୁ ଯାଞ୍ଚ କରିବାରୁ ବନ୍ଧୁକ ସମେତ ଗୁଳି ମିଲିଥିଲା । ସେହି ବନ୍ଧୁକରେ ୟୁଏସ୍ ମେଡ୍ ଲେଖାଯାଇଥିଲା । ଏହାପରେ ପୋଲିସ ବନ୍ଧୁକ ନେଇ ବାବୁକୁ କାଗଜପତ୍ର ମାଗିଥିଲେ ବି ସେ କିଛି ଦେଖାଇପାରିନଥିଲା । ଥାନାକୁ ନେଇ ଜେରା କରିବାରୁ ଏହି ବନ୍ଧୁକ ଜରିଆରେ ଲୁଟ୍ପାଟ୍, ଡକାୟତି କରୁଥିବା ସେ ସ୍ୱୀକାର କରିଛି । ଏହାପରେ ପୋଲିସ ତାକୁ ଗିରଫ କରିଛି । ତେବେ ବାବୁଜାନ୍ ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି । ଏ ନେଇ ଅଧିକ ତଦନ୍ତ ଚାଲୁଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଏହାସହ ସେ ବନ୍ଧୁକ କାରବାର କରେ ବୋଲି ପୋଲିସ ସୂଚନା ପାଇଛି ।

Comments are closed.