Odisha news

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଏକ ଖୋଲାଚିଠି : ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ ତମ ଜୟନ୍ତୀ ଉପଲକ୍ଷେ..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ମହାଶୟ !
ଆଜି ପୁଣି ଥରେ ଆସିଛି ଅକ୍ଟୋବର ଦୁଇ ତାରିଖ । ଦେଶ ପାଳୁଛି ଆପଣଙ୍କର ୧୫୧ତମ ଜୟନ୍ତୀ । ଏହି ମହାର୍ଘ ଦିବସରେ ଆପଣ ଭାରି ମନେ ପଡୁଛନ୍ତି । ଆପଣ ଆମ ସମୟର ଲୋକ ନୁହଁନ୍ତି । କିନ୍ୁ ଆପଣ ଛାଡି ଯାଇଥିବା ଅଲିଭା ସ୍ୱାକ୍ଷର ଆଗରେ ଆମ ମୁଣ୍ଡ ଭକ୍ତି ଓ ଶ୍ରଦ୍ଧାରେ ଆପେ ଆପେ ନଇଁଯାଏ । ଆପଣ ଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ । ଏହାହିଁ ବାସ୍ତବ ସତ୍ୟ । ଆପଣ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ ।

ଭାରତୀୟ ରାଜନୀତିରେ ଆପଣଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ ଦେଇଥିଲା ।ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ଆପଣ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ଆପଣ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ । ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍ଙ୍କ ମତରେ – “ଆଗାମୀ ବଂଶଧର କ୍ୱଚିତ୍ ବିଶ୍ୱାସ କରତ୍ପାରନ୍ତିିଁ ଯେ ଏମିତିି ଜଣେ ରକ୍ତ-ମାଂସ ଧାରି ବ୍ୟକ୍ତି ଏ ପୃଥିବୀପୃଷ୍ଠରେ ପଦାର୍ପଣ କରିଥିଲେ ।”

ଆପଣଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ଆପଣଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଆପଣ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନେ୍ଦାଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ । ୧୯୧୫ ମସିହାରେ ଆପଣ ଭାରତକୁ ଫେରିଆସିଲେ । ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇ ତାର ମଙ୍ଗୁଆଳ ସାଜିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଶେଷରେ ୧୯୪୨ରେ ଭାରତଛାଡ ଆନେ୍ଦାଳନର ଫଳସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତହେଲା । ପରାକ୍ରମୀ ଇଂରେଜ ସରକାର ତାଙ୍କ ପାଖରେ ପରାଜୟ ସ୍ୱୀକାର କଲେ । ଏହାଥିଲା ଆପଣଙ୍କ ଐକାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନାର ଫଳ । ସେଥିପାଇଁ ଆପଣ ମାହାମାନବର ଆସନରେ ଆସୀନ ।

ପ୍ରତ୍ୟେକ କାର୍ଯ୍ୟରେ ଆପଣ ହିଁ ଥିଲେ ମଣିଷଜାତିର ବିସ୍ମୟ । ଆପଣଙ୍କ ମତରେ ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା । ଆପଣଙ୍କ ଆଦର୍ଶ ଓ ଦୃଷ୍ଟିକୋଣକୁ ନେଇ ଆମ ଦେଶ ସ୍ୱାଧୀନ ହେବାର ୨୦ ବର୍ଷ ପରେ ଏସିଆ ଓ ଆଫ୍ରିକାର ବହୁ ପରାଧୀନ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱାଧୀନତା ଲାଭ କରିବାରେ ସଫଳ ହେଲେ । ଅନ୍ୟ ଏକ ଦିଗରୁ ବିଚାରକଲେ ଆନ୍ନା ଅନଶନ ବେଶ୍ କିଛିଦିନ ପରେ ପ୍ରମାଣ କରିଛି ଯେ ‘ଗାନ୍ଧିବାଦ’ର ପ୍ରୟୋଗ ଯେକୌଣସି ସ୍ଥିତିରେ କରାଯାଇ ଆଖିଦୃଶିଆ ସଫଳତା ଆଶା କରାଯାଇପାରେ । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ଗଣ୍ଡି ଭିତରେ ବାନ୍ଧି ହୋଇନଥିଲେ ସେ । ସର୍ବଧର୍ମ ସମନ୍ୱୟ ଥିଲା ଆପଣଙ୍କ ଜୀବନର ମୂଳମନ୍ତ୍ର । ସେଥିପାଇଁ ଆପଣଙ୍କ ପ୍ରାର୍ଥନା ସଭାରେ ସବୁଧର୍ମର ସାରକଥା ଆଲୋଚିତ ହେଉଥିଲା । ଆପଣ କହୁଥିଲେ ଆମେ ସମସ୍ତେ ପରମପିତାଙ୍କ ସନ୍ତାନ – ମାତ୍ର ଭିନ୍ନଭିନ୍ନ ଭାବରେ ତାଙ୍କୁ ଉପାସନା କରୁଛୁ ।

ଦେଶକୁ ପ୍ରଗତିପଥରେ ନେବାକୁ ଆପଣ ଚାହୁଁଥିଲେ । ଆପଣଥିଲେ ଦରିଦ୍ର, ନିଷ୍ପେଷିତ, ଅବହେଳିତ ଜନତାର ଆଶା ଓ ଆକାଂକ୍ଷାର ପ୍ରତୀକ । ଆପଣ ଆଧୁନିକ ମଣିଷର ଉପଭୋଗ ପାଗଳାମୀରେ ବିବ୍ରତ ହୋଇପଡିଥିଲେ । ସେଥିପାଇଁ ଆପଣ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଚାଲିଥିଲେ – ଏଥିରେ ସବୁ ରଚନାତ୍ମକ କାର୍ଯ୍ୟକ୍ରମକୁ ବ୍ୟବହାରିକ ରୂପ ଦେବାର ଚାବିକାଠି ରହିଛି । ନିଶା ନିବାରଣ ଉପରେ ମଧ୍ୟ ଆପଣ ସର୍ବଦା ଗୁରୁତ୍ୱ ଦେଉଥିଲେ । ଆପଣଙ୍କମତରେ ନିଶା ସେବନ ମଣିଷକୁ ବିପଥଗାମୀ କରିବା ସଙ୍ଗେ ସଙ୍ଗେ ତାର ଆର୍ଥିକ ଉନ୍ନତିରେ ଅନ୍ତରାୟ ହୋଇଥାଏ । ସ୍ୱାଧୀନତାର ୭୪ ବର୍ଷପରେ ବି କୌଣସି ରାଜ୍ୟ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଲା ନାହିଁ । ନାରୀଶିକ୍ଷ ଓ ନାରୀ ଜାଗରଣ ଉପରେ ଆପଣ ସର୍ବଦା ଗୁରୁତ୍ ଦେଉଥିଲେ ।

ଆପଣଙ୍କର ସ୍ୱପ୍ନର ଭାରତରେ ମହିଳାମାନଙ୍କୁ ପୁୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବାପାଇଁ ଆପଣ ମଧ୍ୟ କହିଥିଲେ । ଆଜି ଭାରତରେ ନାରୀମାନେ ସବୁଠାରୁ ଅସୁରକ୍ଷିତ ବୋଲି କୁହାଯାଉଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ କଥା – ସବୁଠି ନାରୀ ନିର୍ଯ୍ୟାତନା, ଅତ୍ୟାଚାର ଓ ଗଣଦୁଷ୍କର୍ମର କରୁଣସ୍ୱର । ଦିଲ୍ଲୀର ନିର୍ଭୟା ଘଟଣା ପରଠାରୁ ଆନେକ ନିର୍ଭୟା ଘଟଣା ଇତି ମଧ୍ୟରେ ଘଟିସାରିଲାଣି । ନିକଟରେ ଘଟିଯାଇଛି ଉତ୍ତରପ୍ରଦେଶର ହାଥରସ୍ରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଏକ ରିପୋର୍ଟ ଜଣାଯାଇଛି ଦେଶରେ ଦୈନିକ ୮୭ଜଣ ମହିଳା ବଳାକôାରର ଶିକାର ହେଉଛନ୍ତି ।

ଆପଣ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଭାରତ ବର୍ଷ କଥା ଚିନ୍ତା କରୁଥିଲେ । ଖାଲି ସେତିକି ନୁହେଁ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ ।

ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ କମନେଓଲ୍ଥ ଗେମ୍ ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ ଟେଲିକମ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ ।

ଭାରତରେ ରାମରାଜ୍ୟ ଗଢିବାର ଯେଉଁ ସ୍ୱପ୍ନ ଆପଣ ଦେଖିଥିଲେ, ତାହା ଅଧୁରା ରହିଗଲା । ଅପଣଙ୍କର ଘଟଣାବହୁଳ ଜୀବନର ଅନ୍ତହେଲା ଆତତାୟୀର ଗୁଳିଚୋଟରେ । ଆଜି ଆପଣଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ ଅନେକ କଥା ମନେ ପଡୁଅଛି । ଆରପାରିରେ ଥିଲେ ବି ଆପଣଙ୍କ ତ୍ୟାଗ, ବଳିଦାନ ଓ ଜୀବନାଦର୍ଶରୁ ଆମକୁ ପ୍ରେରଣା ନେବାକୁ ହେବ ।ଆପଣଙ୍କ ଆଶିଷ ବାରି ଆମ ମଥା ଉପରେ ଝରିପଡୁ । ଆପଣଙ୍କ ଚିନ୍ତା-ଚେତନା ଆମ ଭିତରେ ଜୀବନ୍ୟାସ ପାଉ । ଏତିକି ଆମର କାମନା ।

Leave A Reply