Odisha news

ସବୁ ତାଲାବନ୍ଦି

0

Editorial: ତାଲାବନ୍ଦି ସମୟରେ ବିବେକ, ବୁଦ୍ଧି, ମାନବିକତା ଏବଂ ଭଦ୍ରତା ବହୁ ପରିମାଣରେ ହ୍ରାସ ପାଇଥିବା ଦେଖି ମନେହୁଏ ସବୁଥିରେ ବୋଧେ ତାଲା! ମୋର ପଡୋଶୀ ସୁଶାନ୍ତ ନାୟକ ଘରେ ବସିବସି ବୋର୍ ହେବାରୁ ନୂଆତାସ୍ ମୁଠାଏ କିଣି ଆଣିଲେ । ନିଜ ପରିବାରର ଚାରିଜଣ ସଦସ୍ୟ ବସିଛନ୍ତି ଯେତେବେଳେ ତାସ୍ ପାଲିପକେଇବାକୁ ବାହାରୁ କାହାକୁ ଲୋଡାନାହିଁ । ସୁଶାନ୍ତର ସ୍ତ୍ରୀ ମଞ୍ଜୁ ତାସ୍ପାଲିରେ ଏକ୍ସପର୍ଟ । ସୁଶାନ୍ତ କାମକୁଗଲା ପରେ କ’ଣ କରେକି ସିଏ? ପଡୋଶୀ ଘର ବାସନ୍ତି, କୁନି ଓ ଅର୍ପିତାକୁ ଧରି ଏଗାରଟାରୁ ବସନ୍ତି ଯେ ଦିନ ଦୁଇଟାରେ ଉଠନ୍ତି । ପୁଣିଥରେ ଆରମ୍ଭ ହୁଏ ଅପରାହ୍ନ ଚାରିଟାରୁ ଛୁଆମାନେ ସ୍କୁଲ୍ରୁ ଫେରିବାଯାଏ ।

ଶିବଲିଙ୍ଗରେ ଫୁଲବେଲପତ୍ର ଚଢା ବନ୍ଦ ହୋଇପାରେ, କିନ୍ତୁ ମଞ୍ଜୁଭାବିର ତାସ୍ପାଲି ନୁହେଁ । ତାସ୍ପାଲି ପଡିବା ଭିତରେ ଫେଂଟାଫେଟି ଫୁରୁସତ ବେଳେ ଟିକେ ଶାଶୂବୁଢୀର ନିନ୍ଦାକଥା ଆଲୋଚନା ନକଲେ ବୋହୂମାନଙ୍କର ଭାତ ହଜମ ହୁଏନି । ସୁଶାନ୍ତକୁ ଦୋକାନ ବନ୍ଦକରି ଘରକୁ ଫେରିବାକୁ ରାତି ନଅଟା କି ଦଶଟା ହୁଏ । ଏବେ ବଡଝିଅ ସୁମତିର ନବମ ଶ୍ରେଣୀ ଓ ସାନପୁଅ ସୁମନ୍ତର ସପ୍ତମ । ଦୁହେଁ ତିନିବର୍ଷ ସାନବଡ । ଝିଅକୁ ଭଲ ଭାବରେ ତାସ୍ ଖେଳିଆସେ, କିନ୍ତୁ ସାନପୁଅ ସୁମନ୍ତ କଟାକଟି କରି ରଙ୍ଗପତା ଖେଳିବାକୁ ତାଳ ପାଏନି । ତାଲାବନ୍ଦି ସମୟରେ ସମସ୍ତେ ଚଳେଇଲା ପରି ଜ୍ଞାନଥିବା ହେତୁ ତାସ୍ପାଲିରେ ବସିଗଲେ । ମାଆଝିଅ ଗୋଟେ ଦଳ, ବାପାପୁଅ ଅପର ପକ୍ଷ ।

ଟୋଂଟିନାଇନ୍ ଡକାଡକି ହିସାବ । ସେ’ବାଜି ସୁଶାନ୍ତ ଅଠେଇଶ ଡାକିକି ରଙ୍ଗ କରିଥାନ୍ତି । ଛାତି ଧଡଧଡ ହେଉଥାଏ । ପୁଅକୁ ବାରମ୍ବାର ଗମ୍ଭୀରତାର ସହ ଖେଳରେ ଧ୍ୟାନଦେବାକୁ ତାଗିଦ୍ କରୁକରୁ ମଞ୍ଜୁ ଦାନ୍ତ ନେଫେଡି ହସିଦେଲା । ମଞ୍ଜୁର ଦାନ୍ତ ବଡବଡ, ଛାମୁ ଦାନ୍ତେଇ । ଗାଁ ଗହଳିରେ ସବୁ ତାସ୍ଖେଳ ପାଇଁ ଚୋରାଠାର ଅଛି । ଗୋଟିଏ ପକ୍ଷର ଦୁଇଖେଳାଳିଙ୍କ ମଧ୍ୟରେ ବେଳେବେଳେ ସ୍ୱତନ୍ତ୍ର ଅଙ୍ଗଭଙ୍ଗି ଇଂଙ୍ଗିତରେ ଠରାଠରି ହୁଅନ୍ତି । ଦାନ୍ତ ଦେଖେଇଲେ ଠିକିରି ପକେଇବ, ଜିଭ ଦେଖେଇଲେ ନାଲିପାନ, କାନକୁଣ୍ଡେଇଲେ କଳାପାନ ଏବଂ ଚୁଟିରେ ହାତମାଇଲେ ଚୁଡିଆ । ଏମିତି ଠାରମାନ ଅଛି ।

ମଞ୍ଜୁ ଯେମିତି ହସିଛି ସୁଶାନ୍ତ ତା’କୁ ଆଖି ତରାଟିକି ଚାହିଁଲା । ଡବଲ୍ ଉପରେ ରି’ମାରି ଦେଇଛି । ସୁଶାନ୍ତ ଓ ପୁଅ ମିଶିକି ଯେଉଁ ଦଳରେ ଖେଳୁଛନ୍ତି, ତାଙ୍କର ଆଗରୁ ଦୁଇଟି କଳା ଉଠିକି ଅଛି । ଜିତିଲା ମାନେ ଦୁଇଟି ନାଲି, ପଶା ପଲଟିଯିବ । କିନ୍ତୁ ହାରିଗଲେ ସୁଶାନ୍ତ କଳାଛକା ଖାଇବ, ବଡ ଲଜ୍ଜାକଥା । ସ୍ୱାମୀ ସ୍ତ୍ରୀଠାରୁ ହାରିବାରେ ବେଶି ଇଜ୍ଜତ ମହତ ହାନୀ ବୋଲି ସୁଶାନ୍ତ ନାୟକ ଚିନ୍ତା କରି ବହୁତ ଜଗିରଖି ବେଶିସମୟ ନେଇ ଖେଳୁଛି ।

ସୁଶାନ୍ତ ମାର୍କକଲା ଯେମିତି ମଞ୍ଜୁ ସୁମତିକୁ ଦାନ୍ତ ଦେଖେଇଛି, ସୁମତି ଠିକିରି ଟିକା ପକେଇଲା । ସୁଶାନ୍ତ ପାଖରେ ଗୋଟିକିଆ ପତା, ଠିକିରି ନହିଲା । ନ ଦେବାକୁ ଚାରାନାହିଁ । କୁନ୍ଥେଇକୁନ୍ଥେଇ ତା ଉପରେ ପକେଇଲା । ସଙ୍ଗେସଙ୍ଗେ ମଞ୍ଜୁ ତାଡକା ଅସୁରୁଣୀ ପରି ଠୋଠୋ ହସି ତା’ଉପରେ ଠିକିରି ଗୋଲାମ ଦାଗିଦେଲା । ଏଇ ଗୋଲାମ ନହିଲା ଟିକା, ତିନିପତାରେ ହେଲାଣି ତିନି ଦୁଇ ପାଂଚ ଏକ ଛଅ ପଏଂଟ୍ । ଆଉ ସବୁତକ ସୁଶାନ୍ତ ନେଲେ ଖାଲି ତେଇଶି ହେବ । ପ୍ୟାରା ଯୋଡି ଦେଖେଇଲେ ବି ହାରୁଛି । କଳାଛକା ଉଠିବା ସୁନିଶ୍ଚିତ । ସୁଶାନ୍ତର ରାଗ ମୁଣ୍ଡକୁ ଉଠିଗଲା । ହାରିବାର ଲଜ୍ଜାରେ ଗୋଖର ସାପପରି ଫଁଫଁ ହୋଇ ମଞ୍ଜୁମୁହଁରେ ଗୋଟାଏ ବ୍ରହ୍ମମୁଥ ଲଗେଇଲା ଯେ ସାମ୍ନା ଦାନ୍ତଦୁଇଟା ସେଇଠି ଗଳିପଡିବାରୁ ତାସ୍ପତା ଗୁଡାକ ମଞ୍ଜୁର ମାଢିରକ୍ତରେ ଭିଜିଗଲା । ଜୋରଜୋରରେ ସୁଶାନ୍ତ ଚିଲ୍ଲେଇଚିଲ୍ଲେଇ କହୁଥାଏ ଅଠେଇଶ ଡାକ, ତା’ପରେ ଦାନ୍ତ ଦେଖେଇଲୁ କାହିଁକି? ମାଆ ଝିଅ ଠରାଠରି ହେଉଛନ୍ତି ।

ତୋ’ଦାନ୍ତ ଦେଖିବାପରେ ଯାଇ ଝିଅ ଠିକିରିଟିକା ପକେଇଲା । ସୁମତି ଦୌଡିଯାଇ ବରଫଆଣି ସେଇଠି ଲଗେଇ ରଖିବାକୁ କହିଲା ବେଳକୁ ସୁମନ୍ତକୁ ମାଆଉପରେ ବାପାର ମାଡମାରିବା ଦେଖି ଜର ଆସିଗଲା । ଆଜିକାଲି ଜରଆସିଲେ ସାଙ୍ଗେସାଙ୍ଗେ କ୍ୱୋରାଂନ୍ଟାଂଇନ୍ରେ ରଖିବାକୁ ପୋଲିସ୍ ଗାଡିଟେକି ନେଇ ପଳଉଛି । ସିଏ ଏ’କଥା ଭାବି ଥରିବାକୁ ଲାଗିଲା । ଏପଟେ ଦେଖିଲା ବେଳକୁ ମଞ୍ଜୁମୁହଁରେ ଆବୁଭଳି ଫୁଲିଗଲାଣି । ସୁଶାନ୍ତର ଦୋକାନ ପନ୍ଦରଦିନ ହେବ ବନ୍ଦ, ବେପାର ବଣିଜ ନାହିଁ କି ହାତରେ ଟଙ୍କାପଇସା କିଛି ନାହିଁ । ଏଣେ ଦୁଇଜଣ ଘରେ ବିମାର ପଡିବା ଦେଖି ସୁଶାନ୍ତ ପଶ୍ଚାତାପ କରି କାନ୍ଦିବାକୁ ଲାଗିଲା । କେତେ କାହାକୁ ଫୋନ୍ କଲାପରେ କୈଳାଶଠାରୁ ହଜାରେଟଙ୍କା ଉଧାର ଆଣି ମଞ୍ଜୁ ଓ ସୁମନ୍ତକୁ ନେଇ ଡାକ୍ତରଖାନା ଗଲା ।

ଡାକ୍ତର ପଚାରିଲେ କେମିତି ହେଲା? ସୁଶାନ୍ତ ମୁହଁ ତଳକୁ କରି ଚୁପ୍ ବସିବା ଦେଖି ମଞ୍ଜୁ କହିଲା, ‘ମୁଁ ଝୁଂଟିକି ପଡିଗଲି, ଯେ ମୁହଁ ପାହାଚ ପଥରରେ ମାଡ ହୋଇଗଲା ।’ ତାଙ୍କଆଡୁ ଡାକ୍ତରବାବୁ ଆଉଥରେ ପଚାରିଲେ, ‘ଇଏ ଡୋମେଷ୍ଟିକ୍ ଭାଓଲେନ୍ସ କେସ୍ ନୁହେଁ ତ? ମୋତେକୁହ ଯଦି ତୁମସ୍ୱାମୀ ମାରଧର କରିଛନ୍ତି! ଚିକିସôା ପୂର୍ବରୁ ମୁଁ ପୋଲିସକୁ ଖବରଦେବାକୁ ପଡିବ ।’ ଉଭୟେ ପୋଲିସ୍ ନାଁ ଶୁଣି ନାଇଁନାଇଁ ସେମିତି କିଛି ନୁହେଁ । “ପଡିଯିବାରୁ ମୁହଁ ଫାଟିଛି ।” – ବୋଲି ମିଛକହି ଚିକିସôାକରାଇ ଚାରିଶହଟଙ୍କା ଡାକ୍ତରଙ୍କୁ ଦେଇ ଦୁଇଶହ ଟଙ୍କାର ଔଷଧ କିଣି, ଏମିତି ସୁଶାନ୍ତ ଛଅଶହ ଟଙ୍କାର ତଣ୍ଡଗଣି ଘରକୁ ଫେରିଲା ପରେ ନିଜ କାନମୋଡି ଦୁଇଗାଲରେ ଦୁଇଚାପୁଡା ମାରିହେଲା ଯେ ଆଉ ଏ ଜୀବନରେ ଘରେ ତାସ୍ ଖେଳ ହେବନି । ସେତେବେଳକୁ ମଞ୍ଜୁ ତାସ୍ମୁଠା ପ୍ୟାକେଟ୍ ସହ ନେଇ ଚୁଲୀରେ ପୂରେଇ ଜାଳି ସାରିଲାଣି ।
ଠିକ୍ ଏଇପରି ଦ୍ୱିଜଭାଇ ଘରକଥା । ସେଦିନ ସ୍ୱାମୀସ୍ତ୍ରୀ ଖାଇସାରି ଲୁଡୁଖେଳିବାକୁ ବସିଲେ ।

ସ୍ୱାମୀ ହାରିଗଲା ପରେ ଦ୍ୱିଜଭାଇ ସ୍ତ୍ରୀ କ’ଣ ଏମିତି ଟିକେ ଥଟ୍ଟାରେ କହିଲେ ଯେ ଦ୍ୱିଜଭାଇ ରାଗିଯାଇ ପିଠିକୁ ଗୋଟାଏ କହୁଣୀଡିହରେ ତା’ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଦେଲା । ଭାଉଜ ସେଇଠି ଘୁରିଘୁରି ମରିଗଲିମରିଗଲି ବୋଲି ଚିକôାର କରି ଛଟପଟ ହେବା ଦେଖି ଅଧଘଂଟାରେ ରାଗ ଶାନ୍ତି ହେବାରୁ ମେଡିକାଲ୍ ନିଜେ ନେଇକି ଗଲା । ପାଖରେ କେହି ବୋଲେ କେହି ନାହାନ୍ତି । ଶଲ୍ୟଚିକିସôକ ଏମିତି ବ୍ୟାଣ୍ଡେଜ୍ କରିଛନ୍ତି ଯେ ଏବେ ସିଏ ଏମିତି ବେଡ୍ରେ ପନ୍ଦରଦିନ ଶୋଇକି ରହିବ । ଗୁହମୁତ ଠାରୁ ଆରମ୍ଭ କରି ତାକୁ ପୋଛିପାଛି ଲୁଗାବଦଳେଇବା କାମ ବି ଦ୍ୱିଜଭାଇ କରୁଛି । ତାଲାବନ୍ଦି ଯୋଗୁଁ ହୋଟେଲ୍ ବନ୍ଦ । ଏତେସବୁ କାମ ଡାକ୍ତରଖାନାରେ କରି ଘରକୁ ଆସି ରୋଷେଇସାରି ନିଜେ ଖାଇ ସ୍ତ୍ରୀପାଇଁ ଖାଇବାକୁ ନେଇଗଲା ବେଳେ ମନଘର ଧରିଲା । ଆଉ ପଛକଥା ଭାବି ଲାଭ କ’ଣ!

ଏବେ ତ ପନ୍ଦର ଦିନ ବେଠି ଖଟିବାକୁ ହେବ । ଦ୍ୱିଜଭାଇର ଗୋଟାଏ କହୁଣୀମାଡ ବଦଳରେ ପନ୍ଦରଦିନର ଡାକ୍ତଖାନା ଡୁ୍ୟଟିସହ ଘରପାଇଟି ସବୁ ସମ୍ଭାଳିବାକୁ ପଡିଲା । ଭାଗ୍ୟଭଲ ଏ ଶଲ୍ୟଚିକିସôକ ସବୁ ଜାଣିଶୁଣି ପୋଲିସ୍କୁ ଘରୋଇ ହିଂସାମାମଲା ଖବର ଦେଲେନି, ନହେଲେ ପୁଅର ମଜା ଛାଡି ଯାଇଥାନ୍ତା ।
ଏସବୁ ତ ଗଲା ମଧ୍ୟବିତ୍ତ ପରିବାରର ଦରପାଠୁଆ ଲୋକଙ୍କ ତାଲାବନ୍ଦି ସମୟରେ ଘରୋଇ ହିଂସା । ଏମିତି ସମୟରେ ଆମ ଲିପୁନ୍ ବାବୁ ବି ଏଥିରୁ ବାଦ୍ ପଡିନାହାନ୍ତି । ଲିପୁନ୍ର ବାହାଘରକୁ ତିନିମାସେ ହୋଇଛି, ସ୍ତ୍ରୀ ଲିଜା ରୋଷେଇବାସରେ ବେଶି ଦକ୍ଷ ନୁହେଁ । ଲିପୁନ୍ ଓ ଲିଜା ଦୁହେଁ ଇନ୍ଫୋସିସ୍ରେ ସପ୍ଟେଓୟାର୍ ଇଂଜିନିୟର୍ ।

ଅଫିସ୍ ଥିଲାବେଳେ ଦୁହେଁ ଅଧିକସମୟ ଖାଇବାପିଇବା ପାଇଁ ହୋଟେଲ୍ଉପରେ ନିର୍ଭର କରନ୍ତି । ହୋଟେଲ୍ରେ ଖାଇଖାଇ ତେଲମସଲା ସ୍ୱାଦ ଅଭ୍ୟାସରେ ପଡିଗଲାଣି ଯେତେବେଳେ ଘରୋଇ ହାତ ତିଆରି ଖାଦ୍ୟ ପାଟିକୁ ରୁଚୁନି । ଦୁହିଁଙ୍କର ବୟସ ପଚିଶ । ଏକା କ୍ଲାସ୍ ମେଟ୍ । ପ୍ରଥମଥର ପାଇଁ ଘରେ ଦୁହେଁ ଦେଢମାସହେଲା ଚବିଶଘଂଟା ସାଙ୍ଗହୋଇ ଗୋଟିଏ ଘରେ ରହୁଛନ୍ତି । ଲିଜା ଏତେ ବ୍ୟବସ୍ଥିତ ନୁହେଁ । ଲୁଗାପଟା, ରୋଷେଇଘରେ ସୁଜି ବେସନ ଡବା, ମସଲାମସଲି ଆଦି ସୁନ୍ଦର ଭାବରେ ସଜେଇ ନିର୍ଦ୍ଧାରିତ ଜାଗାରେ ଥାକରେ ରଖି ପାରେନା । ସେସବୁ ଚାକରାଣି ଥିବା ବେଳେ ସିଏ ବୁଝୁଥିଲା । ଏବେ ସିଏ ତ ମାର୍ଚ୍ଚ ଚବିଶତାରିଖରୁ ଆସୁନି ।

ଅପରପକ୍ଷରେ ଲିପୁନ୍ର ମେଲାନ୍କୋଲି ଚରିତ୍ର । ସବୁଥିରେ ପୂରା ପର୍ଫେକ୍ସନ୍ ଦରକାର । ଆଲେଣାରେ ଶାଢୀ ସବୁବେଳେ ଭଙ୍ଗାହୋଇ ସଜାହେବା ଦରକାର, ଚଟାଣ ପୂରା ଚିକ୍ଚିକ୍ ସଫାରହିବା ଦରକାର, ରୋଷେଇଘର ଓ ଗାଧୁଆ ଘର ପରିଷ୍କାର ପରିଚ୍ଛନ୍ନ ଆଦି ବିଷୟରେ ଲିପୁନ୍ ଲିଜାକୁ ଦେଢମାସ ଭିତରେ ଦଶ ବାରଥର ମାରି ସାରିଲାଣି । ଏ’ଦୁହେଁ ଏବେ ଭୁବନେଶ୍ୱର ନୟାପଲ୍ଲୀରେ ଭଡାଘରଟିଏ ନେଇ ରହୁଛନ୍ତି । ଦୁହିଁଙ୍କର ଝଗଡା ଏତେଦୂରରେ ପହଁଚିଲାଣି ଯେ ଲିଜା ମନେମନେ ସ୍ଥିର କଲାଣି ତାଲାବନ୍ଦି ଖୋଲିଗଲେ ସେ ତା’ର ବାପାମାଆକୁ ଡାକି ତା’ଙ୍କ ଘରକୁ ଚାଲିଯିବ । ଲିପୁନ୍ ସାଥିରେ କିଛି ସମ୍ପର୍କ ରଖିବନି । ସେତେଦିନ ଯାଏ ସହିସହି ଯଥାକଥା ଏଠି ଚଳେଇନେବ ।

ଦିନୁ ଦିନ ଲିଜା ଉପରେ ଲିପୁନ୍ର ଅତ୍ୟାଚାର ବଢିବଢି ଚାଲିଛି । ଲିପୁନ୍ ଅଫିସ୍ ନଗଲାଦିନରୁ ଗୋଟାଏ ଭିନ୍ନପ୍ରକାର ମାନସିକଚାପରେ ରହିବା ଭଳି ଦିଶୁଛି । ତା’ର ନୈରାଶ୍ୟ ଓ ତନାବପୂର୍ଣ୍ଣ ମନକୁ ଶାନ୍ତ କରିବାକୁ ସିଏ ଲିଜାସହ ହିଂସ୍ର ଆଚରଣ କରୁଛି । ସପ୍ତାହପୂର୍ବରୁ ସିଏ ରୋଷେଇବାସ ବିଷୟରେ ଟିକିନିଖି କରି ଲିଜାକୁ ଗୋଟିଏ ଖାତାରେ ବହୁତ ନିୟମାବଳି ଲେଖିକି ଦେଇଛି । ସେଥିରୁ ଭିନ୍ନ ହେଲାମାନେ ମାଡ । ରୁଟିର ବ୍ୟାସ ଠିକ୍ ଆଠଇଂଚ । ଆଳୁଭଜା ପାଇଁ ଆଳୁର ଆକୃତି ସ୍ତମ୍ବାକାର ହେବ ଏବଂ ସାଇଜ୍ ୧ସିଏମ୍ରେ ୧ଚିଏମ୍ ତଳସହ ଉଚ୍ଚତା ଚାରିସିଏମ୍ । ମାଂସକଷାରେ ଲଟପଟିଆ ଝୋଳ ରହିବ । ସାଲାଡ୍ କେମିତି, ଡାଲିର ସାନ୍ଧ୍ରତା କେତେ ସବୁ ଫାଇନାଲ୍ ସରିଛି । ମାପିବାକୁ ଯନ୍ତ୍ରମଧ୍ୟ ଘରେ କିଣି ଆଣି ରଖିଛି ।
ସେଦିନ ରାତ୍ରିଭୋଜନ ଖାଇଲା ପୂର୍ବରୁ ଷ୍ଟିଲ୍ ସ୍କେଲ୍ଟିଏ ଆଣି ରୁଟିର ବ୍ୟାସ ମାପି ବସିଲା । ଆଠଇଂଚରୁ ସମାନ୍ୟ ଟିକେ ଅଧିକ ଥିବାରୁ ଲିଜାର ଆଙ୍ଗୁଠିକୁ ସେଇ ମାପକରୁଥିବା ଷ୍ଟିଲ୍ସ୍କେଲ୍ରେ ମାରିମାରି ଗୋଟିଏ ଗଣ୍ଠିହାଡ ଭାଙ୍ଗିଦେଲା । ତା’ପୂର୍ବରୁ କନାବିଣ୍ଡି ଲିଜାପାଟିରେ ପୂରେଇ ବାନ୍ଧି ଦେଇଥାଏ, ଯେମିତି ଚିକôାର କରିପାରିବନି । ଏଁ ଏଁ ହୋଇ ସେମିତି ଓପାସରେ ସାରାରାତି ସେଇହାତ ଆଙ୍ଗୁଠିକୁ ଜାବୁଡିଧରି ବିତେଇଲା । ପରଦିନ ସକାଳ ଦଶଟାରେ ମନଦୃଢ କରି ଲିପୁନ୍କୁ ଶେଷକଥା ଜଣେଇଲା । ମୋର ତୁମସାଥିରେ ଆଜିଠାରୁ କୌଣସି ସମ୍ପର୍କ ନାହିଁ । ଗଙ୍ଗାଗଲି ଯେତିକି ଫଳପାଇଲି ସେତିକି ।

ଖାଲି ତାଲାବନ୍ଦି କୋହଳ ହେବାଯାଏ ଚାହିଁବ ଯଦି ମୁଁ ଏଠି ରହିବି, ନଚେତ୍ ପୋଲିସ୍ରେ ଡୋମେଷ୍ଟିକ୍ ଭାଓଲେନ୍ସ କେସ୍ଟିଏ କରି ଆମଘରକୁ ଯିବାର ପାସ୍ ବାହାରକରିବି । ଏସବୁ କହିଲାବେଳେ ଲିଜାର ଦୁଇଟିଯାକ ମୋବାଇଲ୍ ଭଏସ୍ ଫ୍ରି ମୋଡ୍ରେ ଅନ୍ ଥାଏ । ଗୋଟିଏ ପାଖ ପୋଲିସ୍ ଷ୍ଟେସନ୍କୁ ଲାଗିଥାଏ ଏବଂ ଅନ୍ୟଟି ତା’ର ଡାଡିକୁ । ସେମାନେ ସବୁ ଶୁଣୁଥାନ୍ତି । ଲିପୁନ୍ ନିଜର ପୌରୁଷତ୍ୱ ଦେଖାଇବାକୁ ଯାଇ ନଡିଆଖଡିକା ପହଁରାଟିଏ ଆଣି ଲିଜାକୁ ପିଟିବାକୁ ଲାଗିଲା । ପାଂଚମିନିଟ୍ରେ ପୋଲିସ୍ଦଳ ପହଁଚି ଲିପୁନ୍କୁ ଡୋମେସ୍ଟିକ୍ ଭାଓଲେନ୍ସ ଆକ୍ଟରେ ଆରେଷ୍ଟକରି ସେଠାରୁ ଥାନାକୁ ଆଣି ହାଜତରେ ରଖିଲେ । ପୋଲିସ୍ ଦଳ ଲିପୁନ୍କୁ ନେଇ ଚାଲିଗଲା ପରେ ଲିଜା ତାଙ୍କ ବାପାଙ୍କୁ ସବୁକଥା ଆମୂଳଚୂଳ କହିବାରୁ ସେ ଏବେ ତା’ ସାଙ୍ଗରେ ଭୁବନେଶ୍ୱର ଘରେ ରହୁଛନ୍ତି ।

ଲିପୁନ୍ ଥାନାରୁ ବେଲ୍ରେ ଆସି ଲିଜାକୁ ଦୁଇଥର ଭୂଲ୍ ମାଗି ସାରିଲାଣି । କିନ୍ତୁ ଲିଜାର ଲିପୁନସହ ଜୀବନ କାଟିବାକୁ ଆଉ ଆଦୌ ଇଚ୍ଛା ନାହିଁ ବୋଲି ସିଏ ସମସ୍ତଙ୍କୁ ଜଣେଇଦେଇ ଏବେ ଡାଇଭର୍ସ ପେପର୍ ରେଡିକରିବାକୁ ଓକିଲ ପରାମର୍ଶ କରୁଛି । ତା’ଙ୍କ ଘରେ ବୁଝେଇଦେଇଛି ଯେ ଦୁଇତିନିବର୍ଷ ମନକୁ ବିଶ୍ରାମ ଦେଇ ଗୋଟିଏ ପୁଅସହ ନିଜେ ଭଲରେ ବର୍ଷେ କି ଦୁଇବର୍ଷ ମିଳାମିଶା କରି ତା’ର ହୃଦୟକୁ ଭଲଭାବରେ ଚିହ୍ନିଲା ପରେ ଦ୍ୱିତୀୟ ପ୍ରେମବିବାହ କରିପାରେ । ସେ’ପର୍ଯ୍ୟନ୍ତ ସେ କାହାରି ଅଧୀନରେ ନରହି ପୁଣିଥରେ ମୁକ୍ତଆକାଶର ବିହଙ୍ଗ ପରି ଉଡି ବୁଲିବାକୁ ଚାହେଁ । ତାଲାବନ୍ଦି ପାଇଁ ସରକାରଙ୍କୁ ଅନେକଅନେକ ସାଧୁବାଦ । କାରଣ ବିବାହର ପ୍ରଥମ ସୋପାନରେ ମାଆହେବା ପୂର୍ବରୁ ଲିଜା ଲିପୁନ୍କୁ ଚିହ୍ନି ପାରିଲା ବୋଲି ତ ବଂଚିଗଲା । ନହେଲେ ଜୀବନସାରା ପସ୍ତେଇପସ୍ତେଇ ଭବିଷ୍ୟତରେ ଏପରି ଅମଣିଷ ସହ ଖୁସିର ଭଣ୍ଡାର ଘରେ ବି ସବୁ ତାଲାବନ୍ଦି ହୋଇଯାଇଥାନ୍ତା ।

Leave A Reply