ନିରାକାରପୁର,୩/୯: ପ୍ରାୟେ ୧୫ ବର୍ଷ ହେବ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜକୁ ଆସି ଯାଇଥିବାବେଳେ ସେବେଠୁ ଆଉ ଏହି ଅଞ୍ଚଳ ଛାଡ଼ି ଯିବାକୁ ଚାହୁଁ ନାହାଁନ୍ତି। ଧାନ ଫସଲ ସମୟରେ ଏମାନେ ଦଳ ଦଳ ହୋଇ ଆସି ଫସଲ ନଷ୍ଟ କରୁଥିବାବେଳେ ବର୍ତ୍ତମାନ ଏହି ଅଞ୍ଚଳ କୁ ହାତୀ ଅଭୟାରଣ୍ୟ ଭାବି ଏଠାରେ ସମ୍ପୂର୍ଣ ଡେରା ପକାଇଛନ୍ତି। ଯଦି କେବେ ଯାଉଁଛନ୍ତି ପାଖ ରଣପୁର ରେଞ୍ଜ କୁ ଯାଇ ପୁଣି ଫେରୁଛନ୍ତି। ଏମାନଙ୍କ ଉପଦ୍ରବ ଯୋଗୁଁ ମଣିଷ ଧନ ଜୀବନ ଉପରେ ପ୍ରଭାବ ପଡୁଛି। ସେହି ପରି ମଣିଷ ଏମାନଙ୍କ ଉପଦ୍ରବ ରୁ ବଞ୍ଚିବା ପାଇଁ ହାତୀଙ୍କ କ୍ଷତି କରିବାକୁ ପଛାଉ ନାହାଁନ୍ତି। ଏସବୁ ଭିତରେ ବିଭିନ୍ନ ସଂଗଠନ ହାତୀ ସୁରକ୍ଷା ଓ କ୍ଷତି ପୂରଣ ପାଇବା ପାଇଁ ବିଭିନ୍ନ ଉପାୟ ସମ୍ବନ୍ଧରେ ଜନସାଧାରଣଙ୍କୁ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ସଚେତନ ସଭା ,ଆଲୋଚନା ଚକ୍ର କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଧିନସ୍ଥ ବଡ଼ପୋଖରୀଆ ପଞ୍ଚାୟତ ବୋଡଙ୍ଗରା ପାଟଣା ସ୍ଥିତ ଓଁମ ଶାନ୍ତି ଭବନ ପରିସରରେ ଲୋକାୟୁକ୍ତ ସଦସ୍ୟ ଡ ଦେବେନ୍ଦ୍ର ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ,ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡଃ ମିନକେତନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ବନ ସଂରକ୍ଷକ ସେଭ ଏଲିଫ୍ୟାଣ୍ଟ ଟ୍ରଷ୍ଟ ର ଟ୍ରଷ୍ଟି ଜିତାଶତ୍ରୁ ମହାନ୍ତି, ସମାଜସେବୀ ସଚିନ ବଳିଆରସିଂହ, ସହକାରୀ ବନ ସଂରକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ, ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ଓ ଜଂକିଆ ଓମ ଶାନ୍ତି କେନ୍ଦ୍ରର ବିକେ ଉମା , ବିଜେ ଭାବନା ପ୍ରମୁଖ ଯୋଗଦେଇ ଥିଲେ । ରେଞ୍ଜର ଶ୍ରୀ ଭୋଇ ଜନସାଧାରଣ କିପରି ଅନୁକମ୍ପା ଆପ ଡାଉନଲୋଡ୍ କରି କ୍ଷତିପୂରଣ ଆବେଦନ କରି ପାରିବେ ବିସ୍ତୃତ ରେ ବୁଝାଇଥିଲେ।ହାତୀ ଅନ୍ୟର ଶତ୍ରୁ ନୁହେଁ ସେ ଯାତାୟାତ କରୁଥିବା ରାସ୍ତାକୁ ଜନସାଧାରଣ ନ ଯିବାକୁ ପରାମର୍ଶ ଦେବା ସହିତ ମୋବାଇଲ ୱାଟସ ଆପ ଗ୍ରୁପ ଜରିଆରେ ଲୋକମାନଙ୍କୁ ହାତୀର ଗତି ବିଧି ସମ୍ପର୍କରେ ଅବଗତ କରାଯାଉଛି ବୋଲି ଅଧିକାରୀମାନେ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ଜି ଆନନ୍ଦ କୁମାର, ଯୁବ ନେତା ସାଗର ବଳିଆରସିଂହ, ଅବସରପ୍ରାପ୍ତ ବନ ସଂରକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ପୂର୍ବତନ ସରପଂଚ ଗିରିଶ ମହାରଣାଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ଥିଲେ।