ଜମନକିରା,୨୩/୬ : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୂର ବାନଞ୍ଚଳ ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଗତ ୧୯ ତାରିଖ ଦିନ ରାସ୍ତା ପାରି କରୁଥିବା ୨୩ ଟିକିଆ ହାତୀପଲରୁ ଗୋଟିଏ ମାଈ ହାତୀକୁ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ହାତୀ ଗୋଡ଼ରେ ଗୁରୁତର ଆହାତ ହୋଇଥିଲା। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଜମନକିରା ଠାରେ କ୍ୟାମ୍ପ କରି ରହିଥିବା ରାସ୍ତା ନିର୍ମାଣକାରି ସଂସ୍ଥା ପୁଞ୍ଚଲୟେଡ଼ (ଡିଭି) କନଷ୍ତ୍ରାକସନର ଏକ ପିକ ଅପ ଭ୍ୟାନ (ସିଜି ୧୨ ଏ ଆର ୪୦୫୮) କୁ ବନବିଭାଗ ଜବତ କରିବା ସହ ଚାଳକକୁ ଅଟକ ରଖିଥିଲା l
ସେ ମଧ୍ୟ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଥିଲା। ଆଜି ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଚାଳକ ଛତିଶଗଡ଼ କୋର୍ବା ଜିଲ୍ଲାର ନିର୍ମଳ କୁରେ (୨୫)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଫରେଷ୍ଟର ସୁନୀତା ନାୟକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ଏବଂ ବାମଣ୍ଡା ସୀମାରେ ଚଲାବୁଲା କରୁଛି। ତାକୁ ଉଭୟ ଜିଲ୍ଲାର ବନ ଅଧିକାରୀ ଓ କର୍ମଚାରୀ ମାନେ ଦେଖଭାଲ କରୁଛନ୍ତି। ୫ ଦିନ ହେବ ବନ ବିଭାଗ ରାତି ଦିନ ହାତୀ ସୁସ୍ଥ ହେବା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଦେଖା ଯାଇଛି। ପୂର୍ବ ଅପେକ୍ଷା ଏବେ ହାତୀର ଅବସ୍ଥା ବହୁତ୍ ଭଲ ଥିବା ନେଇ ଡାକ୍ତରୀ ଦଳ କହିଛନ୍ତି।