Odisha news

ବାହାସ୍ଫୋଟିଆ

0

ଯଦୁମଣି ପାଣିଗ୍ରାହୀ : ଆଜିକାଲି ଗାଁ ଗଣ୍ଡା, ହାଟବଜାର, ରାସ୍ତାଘାଟ, ଚାହା ଓ ପାନ ଦୋକାନ ଠାରୁ ପୁଣି ଥାନା, କଚେରୀ, ଡାକ୍ତରଖାନା ଓ ବ୍ଲକ ଆଦି ବିଭିନ୍ନ ସରକାରୀ ଦପ୍ତର ଯେଉଁଠି ଦେଖିଲେ କଥା କୁହା କପିଳାମାନେ ଆସ୍ଥାନ ଜମେଇଛନ୍ତି । ଏମାନଙ୍କ ବାହାସ୍ଫୋଟିଆ କଥାବାର୍ତ୍ତାକୁ ଶୁଣିଲେ ଆପଣ ତାଜୁବ ହେବେ । କାମ ଅପେକ୍ଷା ଏମାନେ ମୁହଁ ଫୁଟାଣି ମାରିବାରେ ବେଶ ଧୂରନ୍ଧର । କେହି କେହି ଏମାନଙ୍କ ଅପୂର୍ବ ବାକ୍ଚାତୁରୀକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଏମାନେ କୁଆଡେ ବାକ୍ ସିଦ୍ଧି ଲାଭ କରିଥିବା କଥା କହିଥାନ୍ତି । ଏମାନେ କଥା ବେଶୀ ଓ କାମ କମ୍ କରନ୍ତି ଅଥବା କରୁଥିବା ଆଉ କରିଥିବା କାମକୁ ଦୁଇ ଚାରିଗୁଣ ଯାଏଁ ବଢେଇ ବଖାଣିଥାନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା କିମ୍ବା ଏମାନଙ୍କୁ ଚିହ୍ନିଥିବା, ଜାଣିଥିବା ଲୋକଙ୍କ ବ୍ୟତୀତ ବାଟଗଲା ଲୋକେ ଏମାନଙ୍କୁ କିମ୍ବା ଏମାନଙ୍କ କଥାକୁ ଆକଳନ କରିନପାରି ବେଳେବେଳେ ଦ୍ୱନ୍ଦରେ ପଡୁଥିବାର ଦେଖା ଯାଇଥାଏ ।

ଗାଁ ଗହଳିରେ ଏହି ବାହାସ୍ଫୋଟିଆ ମାନେ କାହାରି କାହାରି ପିଣ୍ଡାବାରଣ୍ଡା, ମନ୍ଦିର ଚଉପାଢି, ପୋଖରୀ ତୁଠ, କ୍ଲବ କିମ୍ବା ଯୁବକ ସଂଘ ଘରେ ବସି ବିଭିନ୍ନ କଥାକୁ ନେଇ ବାହାସ୍ଫୋଟ ମାରୁ ଥିବାର ଦେଖାଯାଏ । ଶସ୍ୟ ଅମଳ ଠାରୁ ଆରମ୍ଭ କରି ରାଜନୀତି ଯାଏଁ ନିଜର ଦକ୍ଷତା, ପ୍ରଭାବ ଆଉ ପତିଆରା ବିଷୟରେ ଏମାନେ ଓଗାଳି ପକାନ୍ତି । ଏଥର ନିର୍ବାଚନର ଫଳାଫଳ କ’ଣ ହେବ, କେଉଁ ଦଳ କେତେଟା ଆସନ ପାଇବ କିମ୍ବା କିଏ କ୍ଷମତାକୁ ଆସିବ ଇତ୍ୟାଦି ଠାରୁ ଆରମ୍ଭ କରି ଭାରତ ପାକିସ୍ତାନ ମଧ୍ୟରେ କି୍ରକେଟ ଖେଳ ଯାଏଁ ଜଣା ଅଜଣା ସବୁ ବିଷୟରେ ଏମାନଙ୍କ ଚର୍ଚ୍ଚା । ଏମାନେ କଥା କହୁଥିବା ବେଳେ କେହି ଆକଟ କଲେ ବେଳେବେଳେ ଏମାନେ ଯୁକ୍ତିତର୍କ କରିଥାନ୍ତି ଓ ଦର୍କାର ପଡିଲେ ହାତାହାତି କରିବାକୁ ପଛାଇ ନଥାନ୍ତି ।

ହାଟବଜାରରେ ସକାଳେ ସଞ୍ଜେ କିଛି ଲୋକ ପାନ ଦୋକାନ କିମ୍ବା ଚାହା ଦୋକାନରେ ବସି ବାହାସ୍ଫୋଟ ମାରିଥାନ୍ତି । ଏମାନେ ବ୍ୟବହାର କରୁଥିବା ଜୋତା, ଛତା, ପୋଷାକ ଅନ୍ୟ ମାନଙ୍କ ଠାରୁ କୁଆଡେ ନିଆରା, ଏମାନଙ୍କ ଚଳଣି ଓ ଖାଦ୍ୟପେୟର ରହିଥିବା ସ୍ୱତନ୍ତ୍ରତା ଆଦି କେତେ କେତେ ବିଷୟରେ ବାହାସ୍ଫୋଟ ମାରିଥାନ୍ତି । ଏମାନଙ୍କ ପିଲାମାନେ କେମିତି ଉଚ୍ଚ ପଦପଦବୀରେ ଆସୀନ ହୋଇ ମୋଟା ଅଙ୍କରେ ଦରମା ପାଉଛନ୍ତି । ଦିଲ୍ଲୀ କିମ୍ବା ବାଙ୍ଗାଲୋରରେ ଫ୍ଲାଟ କିଣିଛନ୍ତି ଆଉ ଫ୍ଲାଇଟରେ ଯିବା ଆସିବା ବି କରୁଛନ୍ତି, ଏ ସମସ୍ତ ବିଷୟରେ ବେଶ୍ ଜବରଦସ୍ତିଆ ଆଲୋଚନା ଓ ଆତ୍ମବଡିମା ଦେଖାଇଥାନ୍ତି ବାହାସ୍ଫୋଟିଆ ମାନେ ।

ସରକାରୀ ଦପ୍ତର ଗୁଡିକରେ କାମ କରୁଥିବା କିଛି ଅଧିକାରୀ ଓ କର୍ମଚାରୀ କେବଳ ଚୌକି ଦଖଲ ପୂର୍ବକ ସର୍ବଦା ନିଜ ଦକ୍ଷତା ଓ ପାରିବାପଣିଆ କାହାଣୀ ହିଁ ବଖାଣିଥାନ୍ତି । ଲୋକଙ୍କ କାମ ହେଉ କି ନହେଉ । ଲୋକେ ପଛେ ସେମାନଙ୍କ କାମ ଲାଗି ଦଶ ପାଞ୍ଚଥର ଦୌଡି ଦୌଡି ସେମାନଙ୍କ ଜୋତା ତଳି ସମତଳ ହୋଇଯାଉ ସେଥିନେଇ ଏମାନଙ୍କର ଯାଏ କେତେ ନା ଆସେ କେତେ । ସରକାରୀ ଚିଠିି ପଢି ବୁଝି ପାରୁନଥିବା ଅଧିକାରୀ, ଅଫିସ ମୁଖିଆ କୁଆଡେ ସବୁକଥାରେ ତାଙ୍କ ପରାମର୍ଶ ନିଅନ୍ତି ବୋଲି କହିବା, ଚୋର ତସ୍କର ଆଉ ଗୁଣ୍ଡାବଦମାସ୍ଙ୍କୁ ଦେଖି କୁକୁର ଲାଙ୍ଗୁଳ ପେଟ ତଳେ ଜାକିବା ଭଳି ଲୁଚି ପଳାଉଥିବା ଥାନାବାବୁ ମାଓ ଦମନ ଅଭିଯାନରେ ନେତୃତ୍ୱ ନେଉଥିବା କଥା କହିବା ବାହାସ୍ଫୋଟ ନୁହେଁ ତ ଆଉ କ’ଣ । ବ୍ଲକ, ତହସିଲ ଠାରୁ ଜିଲାପାଳଙ୍କ ଦପ୍ତର ଯାଏଁ ପିଅନ କିରାଣୀ ଠାରୁ ପୁଣି ଅଧିକାରୀ ମାନଙ୍କ ଯାଏଁ ବାହାସ୍ଫୋଟ ମାରିବାରେ ଆଜିକାଲି କିଏ କାହାକୁ କମ୍ ଯେ । ରାଜନୀତିରେ ବି ସେହି ଏକା କଥା ।

ଅନେକ ବାହାସ୍ଫୋଟିଆ ନେତା ଓ କର୍ମୀ ଅଛନ୍ତି ଯେଉଁମାନେ କଥା କହିବାରେ ବେଶ ସିଦ୍ଧହସ୍ତ । ରାଜନୈତିକ ସଭାସମିତିରେ ଭାଷଣ ଦେବା ବେଳେ ଏମାନେ ପ୍ରସଙ୍ଗ ଅପ୍ରସଙ୍ଗ କିଛି ବୁଝନ୍ତି ନାହିଁ । ଅତି ପ୍ରଗଳ୍ଭ ହୋଇ ଉଠି ଏମାନେ କ’ଣ ନାହିଁ କ’ଣ କହିବସନ୍ତି । ଏମାନଙ୍କ ଭାବପ୍ରବଣତା ସୀମା ଉଲ୍ଲଘଂନ କଲେ ଏମାନେ ସ୍ଥାନ, କାଳ ଓ ପାତ୍ର ଭୁଲି ଯାଇ ଗୁଡାଏ ଅବାସ୍ତବ ଓ ଅସମ୍ଭବ କଥା କହି ପକାନ୍ତି । ୱାର୍ଡମେମ୍ବର ଟିଏ ଜିତାଇ ପାରୁନଥିବା ନେତା ନିଜକୁ ଜନପ୍ରିୟ ନେତା ଓ ସୁସଙ୍ଗଠକ ବୋଲି ବାହାସ୍ଫୋଟ ମାରିଥାଏ । ଲୋକଙ୍କୁ ଶୋଷଣ କରିଥିବା ଶାସକ ଦଳ ଲୋକଙ୍କୁ ସୁଶାସନ ଦେଇଥିବାର ଦ୍ୱାହି ଦେଇ ପୁଣି ଥରେ କ୍ଷମତାକୁ ଫେରିବା ଓ କ୍ଷମତାରେ ବସିବାକୁ ଆଦୌ ସାମର୍ଥ୍ୟ ନଥିବା ଦଳ ନିର୍ବାଚନରେ ନିରଙ୍କୁଶ କ୍ଷମତା ଅକ୍ତିଆର କରିବାର ବାହାସ୍ଫୋଟ ମାରିଥାଏ ।

ସେହିପରି ଭୋଟ ଆସିଲେ ଲୋକଙ୍କୁ ଭୁଲାଇବା ଲାଗି ନେତାଏଁ ଏମତି କରିବୁ ସେମିତି କରିବୁ କହି ମିଛ ବାହାସ୍ଫୋଟ ମାରିଥାନ୍ତି । ସାହିତ୍ୟ, ସମାଜସେବା କ୍ଷେତ୍ରରେ ବି ସେହି ଏକା ଅବସ୍ଥା । ସାହିତି୍ୟକଟିଏ କି ସମାଜସେବୀଟିଏ ସଭା ସମିତିରେ ନିଜର ସିଦ୍ଧି.ସାଧନା, ତ୍ୟାଗ ଓ ମୂଲ୍ୟବୋଧର କଥା ଏମତି ଢଙ୍ଗରେ ବଖାଣିଥାନ୍ତି ଯେ, ଗୀତକୁ ବାଜା ଟପିଗଲା ସଦୃଶ ପ୍ରତୀୟମାନ ହୋଇଥାଏ । ସୁଧୀ ପାଠକବନ୍ଧୁ, କାମରେ ବିଶ୍ୱାସ ରଖୁଥିବା ଲୋକେ କେବେ ମୁହଁ ଫୁଟାଣି ବା ବାହାସ୍ଫୋଟ ମାରନ୍ତିନି ଅଧିକନ୍ତୁ ନିଜକୁ ସଂକ୍ଷେପରେ ପ୍ରକାଶ କରିଥାନ୍ତି ।

Leave A Reply