Odisha news

ସ୍ୱାଗତଯୋଗ୍ୟ ଓ ସମୟୋଚିତ : କରୋନାକୁ ହରାଇବା ପାଇଁ ସଂକଳ୍ପ ନିଅ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟର ସର୍ବାଧିକ ସଂକ୍ରମିତ ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଅଂଚଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪ଦିନ ପାଇଁ ଲକଡାଉନ(ତାଲାବନ୍ଦ) ଲାଗୁ କରିବା ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ଓ ସମୟୋଚିତ ପଦକ୍ଷେପ ବୋଲି କୁହାଯାଇପାରିବ । କହିବା ବାହୁଲ୍ୟ ଯେ, ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜଲ୍ଲା ଓ ଇସ୍ପାତ ନଗରୀ ରାଉରକେଲା ମହାନିଗମ ଅଂଚଳରେ କରୋନା ଭୂତାଣୁ ସଂକ୍ରମଣ ଯେପରି ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି, ତାହା କେବଳ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇନାହିଁ, ଜନସାଧାରଣ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ନିକଟତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮୦ ରେ ପହଁଚିଛି । କେବଳ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାଖାପାଖି ହୋଇଥିବାବେଳେ ଲକଡାଉନ ଘୋଷିତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ମୋଟ ସଂକ୍ରମିତଙ୍କ ଅଧାରୁ ଅଧିକ । ସେହିପରି କେବଳ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟାର ଅଧାରୁ ଅଧିକ ହୋଇଥିବା ବେଳେ ଉପରୋକ୍ତ ୪ ଜିଲ୍ଲାର ମୃତକଙ୍କ ସଂଖ୍ୟା ଦୁଇ ତୃତୀୟାରୁ ଅଧିକ ରହିଛି । କେବଳ ଏତିକି ନୁହେଁ, ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୫୦ ପାଖାପାଖି ହୋଇଥିବା ବେଳେ ଅନ୍ୟ ତିନୋଟି ଜିଲ୍ଲା ତଥା କଟକ, ଖୋର୍ଦ୍ଧା ଓ ଯାଜପୁରରେ ସଂକ୍ରମିତଙ୍କ ହାର ମଧ୍ୟ ପଛରେ ପଡ଼ିନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ମାସରେ ପରିସ୍ଥିତି ଭୟଙ୍କର ହେବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟରେ ପରିଣତ ହୋଇଛି । କେବଳ ଜୁଲାଇ ମାସ ଆରମ୍ଭରୁ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହିଥିବା ବେଳେ ପ୍ରତିଦିନ ମଧ୍ୟ ମୃତକଙ୍କ ସଂଖ୍ୟା ବଢିଚାଲିଛି । ସେହିପରି ଜୁଲାଇ ମାସରେ ବର୍ତମାନ ସୁଦ୍ଧା କେବଳ ମୃତକଙ୍କ ସଂଖ୍ୟା ୬୦ ଉପରେ ପହଁଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଗଲାଣି । ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଟପି ଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୧ରେ ପହଁଚିଛି । ରାଜଧାନୀର ବସ୍ତି ଅଂଚଳରୁ ଆରମ୍ଭ କରି ଭିଆଇପି ଅଂଚଳ ପର୍ଯ୍ୟନ୍ତ ସବୁଠି ଏବେ କରୋନା ଭୂତାଣୁ ଉପସ୍ଥିତି ଜାହିରି କରିସାରିଲାଣି । ଯେଉଁଭଳି ଭାବେ ରାଜଧାନୀ ଭୁବନେଶ୍ୱର ଏବଂ ଉପକୂଳବର୍ତୀ ୪ଟି ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଂଚଳରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି । ତାହା ଗୋଷ୍ଠୀ ସଂକ୍ରମଣ ଠାରୁ କୌଣସି ଗୁଣରେ କମ୍ ନୁହେଁ, ବୋଲି କହିଲେ ଭୁଲ୍ ହେବ ନାହିଁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ବିଶେଷ କରି ଏହି ୪ଟି ଜିଲ୍ଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିଚାଲିଛି, ଯାହା ଗୋଷ୍ଠୀ ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ବୋଲି କୁହାଯାଇପାରେ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ମାସରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବର୍ତମାନ ସୁଦ୍ଧା ୩୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁମାନେ କି ସଂକ୍ରମଣର ବାହାକ ବା ସ୍ପ୍ରେଡର ବୋଲି କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ, କରୋନା ଭୂତାଣୁ ମୁକାବିଲାରେ ଓଡିଶା ଦେଶରେ ଏକ ମଡେଲ ରାଜ୍ୟ ଭାବେ ପରିଗଣିତ ହୋଇଥିଲା । ଦେଶରେ ସଂକ୍ରମଣ ତାଲିକା ଓଡିଶା ସର୍ବ ନିମ୍ନ ସ୍ତରରେ ରହିଥିବାବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଆଗମନ ଓ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିଲା । ସଂକ୍ରମିତଙ୍କ ମଧ୍ୟରୁ କେବଳ ୯୦ ପ୍ରତିଶତ ଫେରନ୍ତା ପ୍ରବାସୀ ଶ୍ରମିକ ଥିବାବେଳେ ଏବେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଗଞ୍ଜାମ ଓ ରାଜଧାନୀ ଭୁବନେଶ୍ୱରରେ ଯେପରି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି, ମୁମ୍ବାଇ, କୋଲକତା, ଦିଲ୍ଲୀ, ଚେନ୍ନାଇ ପରି ପରିସ୍ଥିତି ଏଠାରେ ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ ।

ଏହା ସତ୍ୟ ଯେ, ଦୀର୍ଘ ୬୮ ଦିନିଆ ଲକଡାଉନ ଏବଂ ଅନଲକ -୧ ଓ ଅନଲକ-୨ର ସୁଫଳ ଆମକୁ ମିଳିଛି । ଯଦି ପୂର୍ବରୁ ଲକଡାଉନ ହୋଇ ନଥାନ୍ତା, ହୁଏତ ଭାରତ ବିଶ୍ୱର ସଂକ୍ରମଣ ତାଲିକାର ଶୀର୍ଷ ସ୍ଥାନରେ ରହିଥାନ୍ତା । ଲକଡାଉନ କଟକଣା କୋହଳ ଆଦି ଆମେରିକା, ବ୍ରାଜିଲ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆମେରିକାର ଜନସଂଖ୍ୟାର ୫ଗୁଣରୁ ଅଧିକ ଜନ ବହୁଳ ରାଷ୍ଟ ଭାରତରେ ହୁଏତ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଦେଶରେ ତଥା ରାଜ୍ୟରେ ଏବେ ସଂକ୍ରମଣ ହୁ ହୁ ହୋଇ ବଢିଛି ସତ, ମାତ୍ର ଲକଡାଉନ ଓ କଟକଣା ଯୋଗୁଁ ସଂକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରିନାହିଁ । ଏହା ନିଶ୍ଚିତ ଯେ, ଳକଡାଉନ ଜୀବିକାକୁ ବିପର୍ଯ୍ୟାୟ କରିଛି । ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଦେଶ ଗୁରୁତର ଆର୍ଥୀକ ସଂକଟ ମୁହାଁ ହୋଇଛି । ଜିଡିପି ଆଶାତୀତ ଭାବେ ହ୍ରାସ ପାଇଛି । ଶିକ୍ଷା, ଶିଳ୍ପ, ପର୍ଯ୍ୟଟନ, ପରିବହନ ଆଦି କ୍ଷେତ୍ର ପ୍ରଭାବିତ ହୋଇଛି । ଏହା ସତ୍ୱେ ଦେଶରେ ୬୮ ଦିନିଆ ଲକଡାଉନ ଆମକୁ ମହାଶିକ୍ଷା ଦେଇଛି । ଜୀବନ ବଂଚାଇବା ସହ ସଂକ୍ରମଣକୁ ମନ୍ଥର କରିପାରିଛି । କିନ୍ତୁ ଏହା ସତ୍ୟ ଯେ, ସଂପୂର୍ଣ୍ଣ ସଂକ୍ରମଣ ନିୟନ୍ତ୍ରଣ କରିପାରିନାହିଁ । ଏବେ ପୁଣି ରାଜ୍ୟ ସରକାର ଦ୍ୱିତୀୟ ଥର ପାଇଁ ଲକଡାଉନ ଜାରି କରିଛନ୍ତି । ଲକଡାଉନ ହିଁ ଆମକୁ ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିପାରିବ ।

ଜୀବନ ବଂଚିଲେ ସିନା ଜୀବିକା କରିପାରିବା । ଆସନ୍ତୁ ଲକଡାଉନକୁ କଡାକଡି ଭାବେ ପାଳନ କରିବା । ଏଥିପାଇଁ ଆମେ ପୂର୍ବରୁ ଯେଉଁଭଳି ସଂଜମତା, ସତର୍କତା, ସଚେତନତ ପ୍ରଦର୍ଶନ କରିଥିଲେ, ତାହା ବଜାୟ ରଖିବା । ଆସନ୍ତୁ ଘରେ ରହିବା-ନିଜକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବା । କରୋନା ରାକ୍ଷାସକୁ ହରାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେବା । ହେ ଅମାନିଆ ସୁଧୁରି ଯାଅ – ଏଦେଶ, ଜାତିକୁ ସୁରକ୍ଷିତ ରଖ । ଆସନ୍ତୁ ନିଜେ ଘରେ ରହିବା ସହ ଅନ୍ୟକୁ ସଚେତନ କରାଇବା । ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବାରୁ ଆମେ ପୁଣି ଥରେ ସ୍ୱାଗତ କରୁଛୁ ।

Leave A Reply