Odisha news

ଡାକ୍ତରଙ୍କୁ ଭାରତ ରତ୍ନ

ହିମାଂଶୁ ଶେଖର ଆ·ର୍ଯ୍ୟ : ମହାମାରୀ କରୋନା ଗତ ଦେଢ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ବୋଧହୁଏ ଦୁଇଦୁଇଟି ବିଶ୍ୱଯୁଦ୍ଧ ପରେ ଏହି ରୋଗରେ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଆଗରେ । ଗୋଟିଏ ପଟେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମେ ଉଲ୍ଲେଯୋଗ୍ୟ ସଫଳତା ହାସଲ କରିଥିଲା ବେଳେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋଗ ଆମପାଇଁ ମୃତୁ୍ୟର କାରଣ ହୋଇଛି । ଭୟଙ୍କର କ୍ୟାନ୍ସର ଠାରୁ ଆରମ୍ଭ କରି ଏଡ୍ସ ପଯ୍ୟନ୍ତ, ପ୍ଲେଗ୍ ଠାରୁ ଆରମ୍ଭକରି ସାଇନ୍ଫ୍ଲୁ ଏପରିକି ଯକ୍ଷ୍ମା,ହଇଜା ଇତ୍ୟାଦି ମହାମାରୀ ମଣିଷ ସମାଜର ଅସ୍ତିତ୍ୱପ୍ରତି ବିପଦ ସୃଷ୍ଟି କରିଆସୁଛି । ସବୁକୁ ବଳିପଡିଛି କରୋନାର ପ୍ରକୋପ । ଅଦ୍ୟାବଧି ପ୍ରାୟ ୨୨୦ରୁ ଉଦ୍ଧ୍ୱର୍ ଦେଶ ଏହି ରୋଗର ଭୂତାଣୁରେ ଆକ୍ରାନ୍ତ । ବିଶ୍ୱରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୪୦, ୭୮,୪୧୯ ଟପିସାରିଲାଣି ।ସେହିପରି ଆମ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସମୁଦାୟ ୪,୨୪,୩୫୧ ଜଣଙ୍କ ଜୀବନ ନେଲାଣି । ସେହିପରି ଆମ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ରବିବାର ସୁଧା ୬ହଜାର ନିକଟତର ହୋଇଛି । ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ହେଲେ ସଂକ୍ରମଣ ସଂଖ୍ୟା କମୁଥିଲେ ମଧ୍ୟ ମୃତୁ୍ୟ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ସେହିପରି କରୋନାର ତୃତୀୟ ଲହରୀ ରୁଷ୍ , ଫ୍ରାନ୍ସ ଓ ବ୍ରିଟେନରେ ଡେଲ୍ଟା ପ୍ରଜାତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି । ଅନ୍ୟପଟେ କରୋନାର ଚତୁର୍ଥ ଲହରୀ ଖୁବ୍ ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଉଛି ।

କରୋନା ସମୟରେ ଏହାର ମୁକାବିଲା କରୁଥିବା ବ୍ୟକ୍ତି ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି । ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଅଗ୍ନିଶମ କର୍ମଚାରୀ,ନିର୍ବାଚିତ ଜନପ୍ରତିନିଧି, ଏଏନ୍ଏମ୍ଞ୍ଚ,ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ହେଉଛନ୍ତି ଜଣେ ଜଣେ କରୋନା ଯୋଦ୍ଧା । ତେବେ ରାଜ୍ୟରେ ବହୁ ସଂଖ୍ୟା ଧରି କୋଭିଡ୍ ଯୋଦ୍ଧା ସଂକ୍ରମିତ ହେବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ବିଶେଷ କରି ଦିନରାତି ଏକ କରି କରୋନା ଆକ୍ରାନ୍ତଙ୍କ ସେବାରେ କାର୍ଯ୍ୟରତ ଥିବା ଆଗଧାଡିର ଯୋଦ୍ଧା ଡାକ୍ତରମାନେ ସଂକ୍ରମିତ ହେବା ସବୁଠାରୁ ବେଶି ଚିନ୍ତା ଜନକ ହୋଇପଡିଛି ।ଆମ ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ପ୍ରାୟ ୭୭୬ ଜଣ ଡାକ୍ତର ପ୍ରାଣ ହରାଇଥିବା ବେଳେ ଆମ ରାଜ୍ୟରେ ପ୍ରାୟ ୩୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏହି ରୋଗ ପ୍ରାଣଘାତି ହୋଇଥିବା ଜାଣି ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗେଇଦେଇଛନ୍ତି ।ସେମାନେ ହିଁ ଏହି ଲଢେଇର ପ୍ରକୃତ ଯୋଦ୍ଧା । । କରୋନା ମୁକାବିଲାର ଦାୟିତ୍ୱରେ ରହିଥିବା ଏହି ଦ୍ୱିତୀୟ ଈଶ୍ୱର ମାନେ ଯଦି ସଂକ୍ରମଣର ଶିକାର ହେବେ ତେବେ ସାଧାରଣ ଲୋକଙ୍କୁ କିଏ ଏଥିରୁ ରକ୍ଷା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରମୁଖ ଯୋଦ୍ଧାଙ୍କ ସଂକ୍ରମଣ ନେଇ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।ସାଧାରଣତଃ ସମସ୍ତେ ନିଜ ଜୀବନକୁ ସୁରକ୍ଷା ଦେବାକୁ ଚିନ୍ତା କରିଥାନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କ ଜୀବନ ଆମ ପାଇଁ ସବୁଠାରୁ ମୂଲ୍ୟବାନ । ତେଣୁ ସେମାନଙ୍କୁ ସୁରକ୍ଷାଦେବା ସାହାଯ୍ୟ ଓ ସହଯୋଗ କରିବା ଆମର ପ୍ରଧାନ କର୍ତ୍ତବ୍ୟ । ଏସବୁ ସତ୍ତ୍ୱେ କେତେକ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କୁ ର୍ଦୁବ୍ୟବହାର କରିବା, ତାଙ୍କୁ ସହଯୋଗ ନକରିବା ଏବଂ ତାଙ୍କ ପରାମର୍ଶ ନମାନିବା ଘଟଣା ମାନ ଦୃଷ୍ଟିଗାଚର ହେଉଛି ।ଆମକୁ ମନେ ରଖିବାକୁ ହେବ ଯେ, ଡାକ୍ତରଙ୍କ ପରାମର୍ଶ ନମାନିବା ଅର୍ଥ ଆମେ ନିଜ ଜୀବନ ତଥା ନିଜ ପରିବାର ପ୍ରତି ବିପଦକୁ ଡାକି ଆଣିବା ।ଆମ ଦେଶର ଜନସଂଖ୍ୟା ତୁଳନାରେ ଡାକ୍ତର, ସ୍ୱସ୍ଥ୍ୟକ୍ରର୍ମୀ ଓ ସମ୍ବଳ ଆବଶ୍ୟକତା ତୁଳନାରେ ପର୍ଯ୍ୟାପ୍ତ ନଥିବାରୁ ସୀମିତ ସୁବିଧା ସୁଯୋଗକୁ ନେଇ ଆମେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ୱସ୍ଥ୍ୟସେବା ପାଇଁ ସହଯୋଗର ହାତ ବଢାଇବାକୁ ପଡିବ ।

ଅନେକ ସମୟରେ ଲୋକମାନେ ଡାକ୍ତରଙ୍କୁ ଅଙ୍ଗୁଳି ଉଠାଉଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ପ୍ରତିଦିନ କୋଭିଡ୍ ଚିକିସôାଳୟରେ କରୋନା ଆକ୍ରାନ୍ତଙ୍କ ସହ ରହି ସେମାନଙ୍କୁ ଭଲ କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି । । ବର୍ତ୍ତମାନ କରୋନା ମହାମାରୀ ସମୟରେ ସେମାନଙ୍କର ଅବଦାନ ବେଶ୍ ବାରି ହୋଇପଡିଛି । ସାଧାରଣ ଲୋକ ନିଜକୁ ସମସ୍ତଙ୍କ ଠାରୁ ଦୁରରେ ରଖୁଥିବା ବେଳେ ଡାକ୍ତର କରୋନା ରୋଗୀଙ୍କ ସହ ମିଶି ସେମାନଙ୍କୁ ସୁସ୍ଥ କରିବାର ଉଦ୍ୟମ କରୁଛନ୍ତି । ତେଣୁ ଖାଲି ବର୍ତ୍ତମାନ ସମୟରେ ନୁହେଁ ସବୁ ସମୟରେ ଡାକ୍ତରମାନେ ପ୍ରକୃତ ହିରୋ ବୋଲି ବିଭିନ୍ନ ପତ୍ରିକାରେ ଉଲ୍ଲେଖ କରାଯାଉଛି । ଆମ ଦେଶର ମାନ୍ୟବର ପ୍ରାଧାମନ୍ତ୍ରୀ ତଥା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିସାରିଛନ୍ତି । ଏହା ସେମାନଙ୍କ ସେବା କରିବାର ଆଗ୍ରହ ଓ ମନୋବଳକୁ ଦୃଢ କରିଥିବ ନିଶ୍ଚୟ । କୋଭିଡ୍-୧୯ ର ମୁକାବିଲାପାଇଁ ଶିକ୍ଷକ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତଥା ଗଣମାଧ୍ୟମର ପ୍ରତିନିଧି ବିଭିନ୍ନ ସ୍ତରରେ ନିଜକୁ ସାମିଲ କରିଛନ୍ତି । ସେଥିପାଇଁ ସେମାନେ ପ୍ରଶଂସା ପାଇବାର ହକ୍ଦାର ।

ଅତୀତରେ ଅନେକ ଭୂତାଣୁ ଆସିଛି ଓ ଯାଇଛି । ମାନବ ସମାଜକୁ ମହାସଙ୍କଟରୁ ରକ୍ଷାକରିବା ପାଇଁ ଡାକ୍ତର ଓ ବିଶେଷଜ୍ଞମାନେ ଏଥିପାଇଁ ଟୀକା, ଔଷଧ ଏବଂ ଅନ୍ୟାନ୍ୟ ଚିକିସôା ପଦ୍ଧତି ବାହାର କରିଛନ୍ତି । ଏପରିକି କ୍ୟାନସର, ଏଡସ୍, ଯକ୍ଷ୍ମା, ପ୍ଲେଗ୍, ଓ ସାଇନ୍ଫ୍ଲୁ ଭଳି ଦୁରାରୋଗ୍ୟର ପ୍ରତିଷେଧକ ବାହାର କରିବାରେ ଆମର ଡାକ୍ତର ଓ ବିଶେଷଜ୍ଞମାନେ ସମର୍ଥ ହୋଇପାରିଛନ୍ତି । କୋଭିଡ୍-୧୯ର ପ୍ରତିଷେଧକ ବାହାର କରିବାପାଇଁ ବିଶ୍ୱସ୍ତରରେ ଯେଉଁ ଗବେଷଣା ଆରମ୍ଭ ହୋଇଥିଲା ତାହା ସଫଳ ହୋଇଛି । ଆମ ଦେଶ ମଧ୍ୟ କୋଭିସିଲ୍ଡ ଓ କୋଭାକ୍ସିନ ଭଳି ଦୁଇଟି ଟିକା ପ୍ରସ୍ତୁତ କରିଛି । ଏବେ ସାରା ଦେଶରେ ଓ ଆମ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ଶହ ଶହ ରୋଗୀଙ୍କୁ ବଞ୍ଚାଉଥିବା ଡାକ୍ତର ନିଜେ ବଞ୍ଚିପାରୁ ନାହାନ୍ତି । ଏହା ସବୁଠାରୁ ଉଦ୍ବେଗର ବିଷୟ । କାରଣ ଡାକ୍ତରମାନଙ୍କ ସ୍ଥାନ ପୁରଣ କରାଯିବା ଏତେ ସହଜ ନୁହେଁ ଏବଂ ଏଥିପାଇଁ ଦୀର୍ଘ ବର୍ଷର ସମୟ ଆବଶ୍ୟକ । ତେଣୁ ସମସ୍ତେ ପରସ୍ପର ଠାରୁ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ସହିତ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍ । ଏପରିକି ଟିକା ନେବା ପରେ ବି ସେମାନେ କୋଭିଡ ନିୟମାବଳୀ ମାନିବା ଆବଶ୍ୟକ ।

ଯଦିଓ କତିପୟ ଡାକ୍ତର ନିଜ ପେଶାକୁ ବ୍ୟବସାୟିକ କରିଥାନ୍ତି ବା ସେମାନେ ରୋଗୀଙ୍କୁ ଭଲ ବ୍ୟବହାର ଦେଖାଇ ନଥାନ୍ତି, ତଥାପି ଅନେକ ଡାକ୍ତର ଅଛନ୍ତି ଯେଉଁମାନଙ୍କ ସାଧୁତା ଓ କର୍ତ୍ତବ୍ୟନିଷ୍ଠାକୁ ଅସ୍ୱୀକାର କରିହେବନି । ଅନ୍ୟ ମାନଙ୍କ ପାଇଁ ସେମାନେ ଉଦାହରଣୀୟ । ତେଣୁ କେତେକ ଡାକ୍ତରଙ୍କ ପାଇଁ ସମସ୍ତଙ୍କୁ ସେହି ଦୃଷ୍ଟରେ ଦେଖିବା ସମିଚୀନ ନୁହେଁ । ସାମଗ୍ରିକ ଭାବେ ଆମ ସ୍ୱାସ୍ଥ୍ୟ ରକ୍ଷାରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ଏବେ ସମୟ ଆସଛି ଡାକ୍ତରଙ୍କୁ ଯଥେଷ୍ଟ ସମ୍ମାନ ଦେବାର । ଯାହାକି ତାଙ୍କର ମନୋବଳକୁ ବୃଦ୍ଧି କରିବାରେ ସକ୍ଷମ ହେବ ।ଆମକୁ ମନେ ରଖିବାକୁ ହେବ ଯେ, କେବଳ କରୋନା ପରି ମହାମାରୀ ନୁହେଁ , ସବୁ ସମୟରେ ସେମାନଙ୍କର ଆବଶ୍ୟକତା ରହିଛି । କାରଣ ଈଶ୍ୱର ସିନା ଜନ୍ମ ଦିଅନ୍ତି, କିନ୍ତୁ ଡାକ୍ତର ଜୀବନ ରକ୍ଷା କରନ୍ତି । ସେଥିପାଇଁ ସେମାନେ ଦ୍ୱିତୀୟ ଈଶ୍ୱର । ସେମାନଙ୍କ ଉଦେ୍ଦଶ୍ୟରେ ପ୍ରତିବର୍ଷ ଜୁଲାଇ ୦୧ ତାରିଖରେ ଭାରତରେ ‘ଜାତୀୟ ଡାକ୍ତର ଦିବସ’ ପାଳିତ ହୋଇଥାଏ । ଭାରତର କିମ୍ବଦନ୍ତୀ ଚିକିସôକ ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୯୧ ଜୁଲାଇ ୦୧ ତାରିଖଠାରୁ ଭାରତରେ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ଦେଶରେ ଭିନ୍ନଭିନ୍ନ ସମୟରେ ମଧ୍ୟ ଡାକ୍ତର ଦିବସ ପାଳନ କରାଯାଏ ।

ଏହି ପରିପ୍ରେକ୍ଷୀରେ କିଛିଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବାପାଇଁ ପତ୍ର ଲେଖିଛନ୍ତି । ବାସ୍ତବତା ଦୃଷ୍ଟିରୁ ବିଚାର କଲେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣାରତ ବିଶେଷଜ୍ଞମାନଙ୍କ ଯୋଗୁଁ କରୋନାକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇ ପାରିଛି । ଖାଲି ସେତିକି ନୁହେଁ, କରୋନା ଟୀକା ପ୍ରସ୍ତୁତ ହେବା ଏକ ଉଲ୍ଲେଖନୀୟ ସଫଳତା । ଫଳରେ ଲକ୍ଷ ଲକ୍ଷ ଜୀବନ ରକ୍ଷା କରିବା କ୍ଷେତ୍ରରେ ଆଜି ଏହି ଟିକା ସୁରକ୍ଷା କବଚ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଏହି ସର୍ବୋଚ ସମ୍ମାନ ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇନାହିଁ । ଡାକ୍ତର ମାନଙ୍କୁ ଆହୁରି ଅଧିକ ଉସôାହିତ କରିବା ପାଇଁ କେଜ୍ରିୱାଲଙ୍କ ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ଏବଂ ଏହା ଉପରେ ବିଚାର ବିମର୍ଶ ହେବାର ଆବଶ୍ୟକତା ରହିଛି ।

Comments are closed.