୫ ଘଣ୍ଟାରେ ୩ଥର କାନ୍ଦିଲେ ଦୀପିକା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଦୀପିକାଙ୍କ ଆଖି ଛଳଛଳ ହୋଇଯାଇଥିଲା। କିନ୍ତୁ ଏନ୍ସିବିର ଅଧିକାରୀମାନେ ଏଥିରେ ନରମ ନ ପଡ଼ି ତାଙ୍କୁ ତାଗିଦ୍ କରିଥିଲେ। କହିଥିଲେ, ଏପରି ଇମୋସନାଲ୍ କାର୍ଡ ନ ଖେଳି ଯାହା ପଚରାଉଯାଉଛି, ତା’ର ସିଧାସିଧା ଉତ୍ତର ଦିଅ। ‘ବଲିଉଡ୍ରେ ଡ୍ରଗ୍ସ’କୁ ନେଇ ଏନ୍ସିବି ଜୋରଦାର ତଦନ୍ତ କରୁଥିବା େବଳେ ଏବେ ଦୀପିକାଙ୍କ ସମେତ ୪ ଅଭିନେତ୍ରୀଙ୍କ ଭାଗ୍ୟ ଖରାପ ପଡ଼ି ଯାଇଛି।
ଅନ୍ୟ ୩ ଅଭିନେତ୍ରୀ ହେଲେ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର୍ ଓ ରକୁଲ ପ୍ରୀତ। ଡ୍ରଗ୍ସ କାରବାରରେ ଏମାନଙ୍କ ହାତ ଥିବା ଘଟଣା ପଦାକୁ ଆସିବା ପରେ ଏନ୍ସିବି ଏମାନଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି। ତେବେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କ ପାଇଁ ଶନିବାର ଯେମିତି ଶନିଦଶା ପଡ଼ି ଯାଇଥିଲା। ଏନ୍ସିବିର ପ୍ରଶ୍ନବାଣରେ ଦୀପିକା, ସାରା ଓ ଶ୍ରଦ୍ଧା ଅଣନିଶ୍ବାସୀ ହୋଇଯାଇଥିଲେ।
ମିଳିଥିବା ସୂଚନା ଅନୁସାରେ, ଏନ୍ସିବି ଦୀପିକାଙ୍କୁ ଯେତେବେଳେ ପଚରାଉଚରା କରୁଥିଲା, ସେ ଭାଙ୍ଗି ପଡ଼ିଥିଲେ। ଏହାପରେ ସେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ଏନ୍ସିବିର ଅଧିକାରୀ ତାଙ୍କୁ ଇମୋସନାଲ୍ କାର୍ଡ ନ ଖେଳିବାକୁ ତାଗିଦ୍ କରିଥିଲେ। ଏପରିକି ଏନ୍ସିବିର ଜଣେ ଅଧିକାରୀ ହାତ ଯୋଡ଼ି ଦୀପିକାଙ୍କୁ କାନ୍ଦିବା ବଦଳରେ ସତ କହିବାକୁ କହିଥିଲେ।