Odisha news

ଲାଞ୍ଚ ନଦେବାରୁ ମିଳିଲାନି ପ୍ରଧାନମନ୍ତ୍ରୀ ଆବାସ 

0
ଦଶରଥପୁର  :  ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଥିଲେ I ତାଲିକାରେ ନାଁ ଥିଲା ଓ ତାଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବି ମିଳିଥିଲା I ପଲିଥିନ୍ ଘେରା ଘରେ ବର୍ଷ ବର୍ଷ ଧରି ରହି ଆସୁଥିବା ଲୋକଟି ମନରେ ଏଥର ପକ୍କା ଛାତ ଘର ଟିଏ ମୁଣ୍ଡ ଗୁଞ୍ଜିବାକୁ ମିଳିବ ଓ ଶୀତ ବରଷାରେ ତାକୁ ହନ୍ତସନ୍ତ ହେବାକୁ ପଡିବ ନାହିଁ ବୋଲି ଭରସା ମିଳିଥିଲା I ମାତ୍ର ସେ ପକ୍କା ଛାତ ଘରେ ମୁଣ୍ଡ ଗୁଞ୍ଜିବାକୁ ହେଲେ ସରକାରୀ ଦଳର କାର୍ପଟଦାର ଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେବାକୁ ଯେ ପଡ଼ିବ I ଦିନକୁ ଦୁଇ ବେଳା ପେଟ ପୁରା ଖାଉ ନଥିବା ଲୋକଟି ଆବାସ ପାଇଁ କୋଡ଼ିଏ ହଜାର ଟଙ୍କା ଦେଇପାରିବ I ଆବାସ ପାଇଁ କାର୍ଯ୍ୟାଦେଶ ପାଇଥିବା ଲୋକଟି ଲାଞ୍ଚ ଦେଇ ନପାରିବାରୁ ଆବାସ ମିଳିବା ତା ପାଇଁ ଅପହଁଚ ହୋଇପଡିଛି I ଆମେ କହୁଛୁ ଦଶରଥପୁରବ୍ଲକ୍ ଅନ୍ତର୍ଗତ ଦଶରଥପୁର ପଞ୍ଚାୟତ 6 ନମ୍ବର ୱାର୍ଡ ର ରତ୍ନାକର ଜେନା ଓ ତାଙ୍କ ପତ୍ନୀ ଅନ୍ନପୂର୍ଣା ଜେନାଙ୍କ କଥା I ରତ୍ନାକର 1971 ବାତ୍ୟାରେ ନିଜ ଗାଁ ହସନପୁର ଛାଡି ଦଶରଥପୁର ଆସିଥିଲେ I ବର୍ଷାଧିକାଳ ପର ଘର ବାରଣ୍ଡାରେ ରହିବାପରେ 7 ଶହ ଟଙ୍କା ଦେଇ ଦେଢ ଡେସିମିଲ ଜାଗା କିଣି ଚାଳ ଛପର ଘର ଖଣ୍ଡିଏ କଲେ I ଘର ବାଡ଼ି ଛାଡି ଜମି ଗୁଣ୍ଠେ ବି ନାହିଁ I ପର ଘରେ ମୂଳ ଲାଗି ଯେନତେନ ପ୍ରକାରେ ଚଳି ଯାଉଥିଲେ ପରବର୍ତ୍ତି ସମୟରେ ସେମାନଙ୍କୁ  ମାସିକ 5 ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ଅନ୍ନପୂର୍ଣା ଅନ୍ତୋଦୟ ଅନ୍ନ ଯୋଜନାରେ ମାସକୁ 35 କିଗ୍ରା ଚାଉଳ ମିଳିଲା I ମାତ୍ର ବାରମ୍ବାର ବ୍ଲକ ପ୍ରଶାସନ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ, ନେହୁରା ସତ୍ତ୍ୱେ ସେମାନଙ୍କୁ ଘର ଟିଏ ମିଳିନଥିଲା I 2022/2023 ଆର୍ଥିକ ବର୍ଷରେ ରତ୍ନାକର ଜେନା ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସରକାରୀ ତାଲିକାରେ ପ୍ରକାଶ ପାଇଲା I ପରବର୍ତ୍ତୀ ସମୟରେ ତାଙ୍କୁ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଧ୍ୟ ମିଳିଲା I କାର୍ଯ୍ୟାଦେଶ ସଂଖ୍ୟା ଓଡି/20/006/6492/21122 ଓ ତାଙ୍କ ଆଧାର କାର୍ଡ ନମ୍ବର 709459677708 I ଆବାସ କାର୍ଯ୍ଯାଦେଶ ପାଇବା ପରେ ଉଭୟ ରତ୍ନାକର ଓ ଅନ୍ନପୂର୍ଣାଙ୍କ ମନରେ ଖୁସି ପ୍ରକାଶ ପାଇଥିଲା I ହେଲେ ସେମାନଙ୍କ ଦୁର୍ଭାଗ୍ୟ ଯେ ଲାଞ୍ଚ ଦେଇ ନ ପାରିବାରୁ ଆଜି ପର୍ଯ୍ୟନ୍ତ ପାଲ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
Leave A Reply