ଦଶପଲ୍ଲା ୧୨/୪ : ମଙ୍ଗଳବାର ଦିନ ଦଶପଲ୍ଲା ଲଙ୍କାପୋଡି ପାଇଁ ସାରା ଦଶପଲ୍ଲା ଲୋକାରଣ୍ୟ ଥିବା ବେଳେ ଏହାର ସୁଯୋଗ ନେଇ ବାହାର ଜିଲ୍ଲା ର ଏକ ଚେନ ଲୁଟେରା ଗ୍ୟାଙ୍ଗ ଦଶପଲ୍ଲା ରେ ମହିଳା ମାନଙ୍କ ବେକରୁ ଚେନ ଲୁଟ କରୁଥିବା ବେଳେ ଧାରା ପଡିଛନ୍ତି । ଏହି ଲୁଟେରା ମାନଙ୍କ ମଧ୍ୟ ରେ ଭଦ୍ରକ ଜିଲ୍ଲା ଚମ୍ପା ମୋଚିଷାହି ଗୀତା ରାଓ (୫୮) ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜାବଜାର ମୋଚିସାହି ଗ୍ରାମର ମହିଳା ଏମ ପୂଜା (୩୫), ଏମ କାଜଲ (୪୦),ଜ୍ୟୋତି ରାଓ (୩୫) ହୋଇଥିବା ବେଳେ ପୁରୀ ସମୁଦ୍ର ଥାନା ଅନ୍ତର୍ଗତ ପେଣ୍ଠକଟା ଗ୍ରାମର ପାର୍ବତୀ ନାଇଡୁ ,ଏମ ପଦ୍ମା ,ମାରି ନାଇଡୁ, ଏସ କାର୍ତ୍ତିକ,ଲକ୍ଷ୍ମୀ ନାଇଡୁ(୬୦) ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି ।
ଏହି ଘଟଣାରେ ପୋଲିସ ପକ୍ଷରୁ ତିନୋଟି ମୋକଦ୍ଧମା କରାଯାଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି। ଏହି ମହିଳା ମାନେ ସୁନ୍ଦର ସୁନ୍ଦର ଲୁଗା ପିନ୍ଧି ଅତି ସହଜରେ ବେକରୁ ସୁନାଚେନ୍ ଲୁଟ କରିଥିଲେ ।
କନ୍ଧମାଳ ଜିଲ୍ଲା ସାରଙ୍ଗଡ ର ମୀନକେତନ ସାହୁ ଙ୍କ ସ୍ତ୍ରୀ ବେକରୁ ଏହି ମହିଳା ମାନେ ଚେନ ଲୁଟ କରିଥିବା ବେଳେ ,ନୂଆଗାଁ ବ୍ଲକ କନ୍ଦଳବ ଗ୍ରାମର ସବିତା ପ୍ରଧାନ ଙ୍କ ବେକରୁ ସୁନା ଚେନ ଲୁଟ କରିଥିଲେ । ଏପରିକି ଦଶପଲ୍ଲା ବ୍ଲକ ଏ ପି ଓ ଙ୍କ ବେକରୁ ଚେନ ଲୁଟ ହୋଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ମାତ୍ର ସବିତା ଓ ମୀନକେତନ ଙ୍କ ଚେନ ଏହି ମହିଳା ଙ୍କ ନିକଟରୁ ପୋଲିସ ଜବତ କରିବାରେ ସଫଳ ହୋଇଥିବା ବେଳେ ଏ ପି ଓ ଙ୍କ ଚେନ ମିଳିପାରି ନାହିଁ । ବିଶେଷ ଭାବେ ଏହାକୁ ନେଇ ସାମ୍ବାଦିକ ସୁରେଶ ବେହେରା ଙ୍କ ସହ ଚାରି ଜଣ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିବା ବେଳେ ସାମ୍ବାଦିକ ଓ ପୋଲିସ ସହଯୋଗ କ୍ରମେ ଏହି ମହିଳା ଚେନ ଲୁଟେରା ଗ୍ୟାଙ୍ଗ କୁ ପୋଲିସ ଧରିବାରେ ସଫଳ ହୋଇଥିଲା ।ଏବେବି ଏହି ମହିଳା ଗ୍ୟାଙ୍ଗ ର କିଛି ମହିଳା ଯାତ୍ରା ରେ ବୁଲୁଥିବା ସନ୍ଦେହ କରାଯାଉଥିବା ବେଳେ ଲଙ୍କାପୋଡି ଯାତ୍ରା ଏବଂ ମହୋତ୍ସବ କୁ ଆସୁଥିବା ମହିଳା ମାନେ ପିନ୍ଧି ଆସିଥିବା ସେମାନଙ୍କ ସୁନାଗହଣା ପ୍ରତି ସତର୍କ ରହିବା ସହ ଯଦି ଏଭଳି କୌଣସି ଘଟଣା ଘଟେ ତେବେ ଯଥା ଶୀଘ୍ର ଥାନାରେ ଜଣାଇବାକୁ ପୋଲିସ ପକ୍ଷରୁ କୁହା ଯାଇଛି ।