ଡେରାବିଶ : ଡେରାବିଶ ବ୍ଲକ ଅନ୍ତର୍ଗତ ଲୁଣାନଦୀର ଦାନପୁର ଠାରେ ନଦୀବନ୍ଧର ଅବସ୍ଥା ଦୁର୍ବଳଥିବା ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀର ଜଳପତନ ଆଜି ପୂର୍ବାହ୍ନରୁ ବଢ଼ିବାରେ ଲାଗି ଅପରାହ୍ନ ୫ଟା ସୁଦ୍ଧା ୩୩.୬୫ ଫୁଟରେ ପହଂଚିଛି ଯାହାକି ଦାନପୁର ଠାରେ ଥିବା ମାପ ସ୍ତମ୍ଭର ବିପଦ ସଙ୍କେତ ପାଖାପାଖି ରହିଛି ।
ଏହା ପୂର୍ବରୁ ଲୁଣା ନଦୀର ଉଭୟ ପାଶ୍ୱର ବନ୍ଧକୁ ଉଚ୍ଚ ଓ ସୁଦୃଢ଼ କରିବା ପାଇଁ ବିଭାଗ ତରଫରୁ କାର୍ଯ୍ୟ କରାଯାଇଛିା ହେଲେ ଠିକାଦାର ଦାନପୁର ଲକ୍ ଠାରୁ ଗହଗା ଯାଏ ନଦୀବନ୍ଧକୁ ର’ ଠ’ କରି ନିର୍ମାଣ କରିଛନ୍ତି । ଏବେ ଏହି ରାସ୍ତାରେ ସାଇକେଲ୍ଟି ବି ଯାଇ ପାରିବ ନାହିଁ । ରାସ୍ତାସାରା ଖାଲଖମା ସହିତ ବଣବୁଦାରେ ଭର୍ତି ହୋଇଯାଇଛି । ବନ୍ୟା ସମୟରେ ନଦୀବନ୍ଧ ତଦାରଖ କରିବା ପାଇଁଗାଡ଼ିଟିଏ ଏହି ବାଟଦେଇ ଯାଇପାରିବ ନାହିଁ । ନଦୀର ଜଳ ଅଧିକ ହେଲେ ବନ୍ଧ ଭାଙ୍ଗିବାରେ ଏହି ସ୍ଥାନଟି ମଧ୍ୟ ବହୁ ଗୁରୁତ୍ୱ ରଖେ । ଗତ ୧୯୮୨ ମସିହାରେ ଏହି ସ୍ଥାନରେ ଘାଇ ହୋଇ ଅଂଚଳର ବହୁ କ୍ଷତି ଘଟାଇଥିଲା ।
ଏହାଛଡ଼ା ଦାନପୁର ଲକ୍ର ୧୦୦ ମିଟର ଦୂରରେ ଥିବା ବାଲିଘାଟରୁ ବାଲି ଉଠାଇବା ପାଇଁ ବନ୍ଧ କାଟି କରାଯାଇଥିବା ଗଡ଼ାକୁ ମଧ୍ୟ ମରାମତି କରାଯାଇନାହିଁ । ଏହି ସ୍ଥାନରେ ବନ୍ଧର ଅବସ୍ଥା ମଧ୍ୟ ବହୁତ ଦୁର୍ବଳ ହୋଇଯାଇଛି । ବନ୍ୟା ଆଶଙ୍କାର ଯଥେଷ୍ଟ ପୂର୍ବରୁ ଏସବୁ ପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବା ବେଳେ ଏବେ ତରବରିଆ ଭାବରେ କି ପ୍ରକାର ପଦକ୍ଷେପ ନେଉଛି ନଦୀତଟବାସୀମାନେ ଜାଣି ପାରୁନାହାଁନ୍ତି । ବନ୍ୟାଜଳ ପତନ ଯେତେ ବଢ଼ି ବଢ଼ି ଚାଲିଛି ଲୋକମାନଙ୍କ ଉଦ୍ବେଗ ଓ ଆଶଙ୍କା ସେତେ ବଢ଼ି ବଢ଼ି ଚାଲିଛି । ଏବେ ନଦୀର ଜଳପତନ ବଢ଼ିଚାଲିଥିବାରୁ ନୀଦପାଖ ଗାଁର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି